ଲାଗିଛି କଟକଣା : ଫିକା ପଡିଛି ମକର ଯାତ୍ରା : ଶ୍ରଦ୍ଧାଳୁ ନିରାଶ
ଖୋର୍ଦ୍ଧା : ୧୪-୦୧(ପ୍ରବାହ ନିଉଜ୍) ଆଜି ମକର ସଂକ୍ରାନ୍ତି। ପ୍ରତ୍ୟେକ ଓଡ଼ିଆ ପାଇଁ ହର୍ଷ ଓ ଉଲ୍ଲାସର ପର୍ବ ।ଗାଁ ଗାଁରେ ଗୁଡ଼ିଉଡ଼ା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ, ଜାନିଯାତ୍ରା ଏବଂ ମହୋତ୍ସବ। କିନ୍ତୁ କୋଭିଡ କଟକଣା ପାଇଁ ପୂର୍ଵବର୍ଷ ପରି ମଧ୍ୟ ଚଳିତବର୍ଷ ଫିକା ପଡିଛି ମକର ମେଳା। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମନ୍ଦିର ପରିସରରେ ସାଧାରଣ ଦର୍ଶନ ବାରଣ କରାଯିବା ସହିତ ୧୪୪ ଧାରା ଜାରି କରାଯାଇଛି । କେବଳ ଧାର୍ମିକ ଅନୁଷ୍ଠାନରେ ସର୍ବନିମ୍ନ ପୂଜକ, ସେବକଙ୍କୁ ନେଇ ନୀତିକାନ୍ତି ଆୟୋଜନ ପାଇଁ ଅନୁମତି ମିଳିଛି । ଲୋକମାନଙ୍କୁ ଘରେ ରହି ପୂଜା ଓ ଧାର୍ମିକ ରୀତିନୀତି କରିବାକୁ ପରାମର୍ଶ ଦିଆଯାଇଛି ।

ଯାହା ଫଳରେ ଖୋର୍ଦ୍ଧାର ଅଟ୍ରି ସ୍ଥିତ ଉଷ୍ମ ପ୍ରସବଣ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିନାହିଁ। ଏହି ମକର ସଂକ୍ରାନ୍ତିରେ ମାନସିକଧାରୀ ନିଃସନ୍ତାନ ମହିଳାମାନେ ଏଠାରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜି ଖାଇଲେ ବନ୍ଧ୍ୟାଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି, ତେଣୁ ଏଠାକୁ ବହୁ ଦୂର ଦୁରାନ୍ତରୁ ଆଶାୟୀ ମାନେ ଆସିବା ସହିତ ନିକଟରେ ଥିବା ବାବା ହଟକେଶ୍ୱର ମହାଦେବଙ୍କ ଦର୍ଶନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଏ ବର୍ଷ ମନ୍ଦିର ଗୁଡିକରେ ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ କେବଳ ନୀତିକାନ୍ତି ଅନୁଯାୟୀ ମକର ସଂକ୍ରାନ୍ତି ପାଳନ କରାଯାଇଛି।

ସେହଭିଳି ଚିଲିକା କାଳିଯାଇ ପୀଠରେ ମକର ମେଳା ଫିକାପଡିଛି । ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିନାହିଁ। କେବଳ ମନ୍ଦିରରେ ନୀତିକାନ୍ତି ପାଇଁ ଅନୁମତି ଦିଆଯାଇଛି ।
