ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ ମିଟର ରିଡିଂ ହେରଫେର ଅଭିଯୋଗ, ଥାନାରେ ଅଭିଯୋଗ ଦାଖଲ

ବୌଦ୍ଧ, ଜୁଲାଇ: ଏଆଇ (କୃତ୍ରିମ ବୁଦ୍ଧିମତା) ଆଧାରିତ ଇମେଜ୍ ଏଡିଟିଂ ଟୁଲ୍ ବ୍ୟବହାର କରି ବିଦ୍ୟୁତ୍ ମିଟର ରିଡିଂ ରେକର୍ଡରେ ହେରଫେର ଅଭିଯୋଗ ହୋଇଥିବା ବୌଦ୍ଧ ଜିଲ୍ଲାରେ ଏକ ମାମଲା ସାମ୍ନାକୁ ଆସିଛି । ମିଟର ରିଡିଂ ଇମେଜକୁ ଡିଜିଟାଲ୍ ଉପାୟରେ ପରିବର୍ତ୍ତନ କରି ଠକେଇ ଉଦ୍ୟମ କରିଥିବା ମିଟର ରିଡରଙ୍କ ବିରୋଧରେ ପୁରୁଣାକଟକ ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ରୁଜୁ ହୋଇଛି।
ଡିଜିଟାଲ୍ ମିଟର ରିଡିଂ ରେକର୍ଡଗୁଡିକର ନିୟମିତ ଯାଞ୍ଚ ସମୟରେ ଏହି ଠକେଇ ସାମ୍ନାକୁ ଆସିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ, ମିଟର ରିଡିଂର ଫଟୋଗ୍ରାଫଗୁଡ଼ିକୁ ବିଲିଂ ସିଷ୍ଟମରେ ଅପଲୋଡ୍ କରିବା ପୂର୍ବରୁ ଏଡିଟ୍ କରାଯାଇଛି । ମୂଳ ଫଟୋଚିତ୍ରରୁ ମିଟର ନମ୍ୱରକୁ ହଟାଇ ରିଡିଂକୁ ଡିଜିଟାଲ ଉପାୟରେ ପରିବର୍ତ୍ତିତ କରାଯାଇଛି । ଏହାପରେ ସମାନ ଫଟୋକୁ ଏକାଧିକ ଉପଭୋକ୍ତାଙ୍କ ବିଲ୍ ଭାବେ ପ୍ରଦର୍ଶିତ କରାଯାଇଛି । ସନ୍ଦିଗ୍ଧ ଅନିୟମିତତା କାରଣରୁ ପ୍ରାୟ ୧.୭୪ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଆକଳନ କରାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ ବିଦ୍ୟୁତ ବିଭାଗ ପକ୍ଷରୁ ଗ୍ରାହକମାନଙ୍କୁ ଏନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କର ମାସିକ ବିଦ୍ୟୁତ ବିଲରେ ଉଲ୍ଲେଖ କରାଯାଇଥିବା ମିଟର ରିଡିଂ, ବିଦ୍ୟୁତ ମିଟରରେ ପ୍ରଦର୍ଶିତ ରିଡିଂ ସହିତ ମେଳ ଖାଉଛି କି ନାହିଁ ତାହା ଯାଞ୍ଚ କରିବାକୁ କୁହାଯାଇଛି। ମିଟର ରିଡିଂ ସମୟରେ କୌଣସି ଅସଙ୍ଗତି, ସନ୍ଦେହଜନକ ବିଲିଂ ପଦ୍ଧତି କିମ୍ବା ଅନୈତିକ ଅଭ୍ୟାସ ଦେଖାଗଲେ ତୁରନ୍ତ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ କିମ୍ବା ଉପଭୋକ୍ତା ହେଲ୍ପଲାଇନ ୧୯୧୨ କିମ୍ବା ୧୮୦୦୨୦୨୬କୁ ଜଣାଇବାକୁ କୁହାଯାଇଛି । ବିଦ୍ୟୁତ ବିଭାଗ ଅଧିକାରୀମାନେ କହିଛନ୍ତି ଯେ, ବିଲିଂ ପ୍ରକ୍ରିୟାରେ ସ୍ୱଚ୍ଛତା, ସଠିକତା ଏବଂ ନିରପେକ୍ଷତା ନିଶ୍ଚିତ କରିବା ପାଇଁ ଟେକ୍ନୋଲୋଜି ଚାଳିତ ମନିଟରିଂ ଏବଂ ନିୟମିତ ଅଡିଟ୍ ଜାରି ରହିଛି ।
