ଟିପିଡବ୍ଲୁଓଡିଏଲ୍ର ରୁଫଟପ୍ ସୋଲାର ଅଭିଯାନ ପ୍ରତିବର୍ଷ ୧.୩୨ ଲକ୍ଷ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସରେ ସହାୟକ ହେବ

ବୁର୍ଲା, ଓଡ଼ିଶା | ଜୁଲାଇ ୨୪, ୨୦୨୬: ପଶ୍ଚିମ ଓଡ଼ିଶାରେ ସବୁଜ ଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା ଦିଗରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍), ଏହାର କାର୍ଯ୍ୟକ୍ଷମ କ୍ଷେତ୍ରରେ ୩୮,୬୩୮ଟି ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ ଦ୍ୱାରା ୧୧୧.୪୨ ମେଗାୱାଟ୍ ସୌର ଶକ୍ତି କ୍ଷମତା ମାଧ୍ୟମରେ ବାର୍ଷିକ ପ୍ରାୟ ୧.୩୨ ଲକ୍ଷ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ସହୟାକ ହେଉଅଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ କମ୍ପାନୀର ଗ୍ରାହକ କୈନ୍ଦ୍ରିକ ‘ଉଲା (ULA) ମଡେଲ’ ଅଧୀନରେ ହାସଲ କରାଯାଇଥିବା ଏହି ମାଇଲଖୁଣ୍ଟ, ସୌରଶକ୍ତିକୁ ଗ୍ରାହକମାନଙ୍କ ପାଇଁ ଅଧିକ ସୁଲଭ କରିବା ସହିତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।
ମୋଟ୍ ସ୍ଥାପନା ମଧ୍ୟରେ, ଘରୋଇ ଗ୍ରାହକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ୩୮,୦୨୫ଟି ସୋଲାର ପ୍ୟାନେଲ୍ ସ୍ଥାପନ ହୋଇଥିବା ବେଳେ ୬୧୩ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟ ସୌରଶକ୍ତି ଗ୍ରହଣ ଦିଗରେ ଅଗ୍ରଣୀ ରହିଛନ୍ତି, ଯାହା କ୍ରମାଗତ ସ୍ଥାପିତ କ୍ଷମତାକୁ ୧୧୧.୪୨ ମେଗାୱାଟ୍ କ୍ଷମତାରେ ପହଞ୍ଚାଇ ପାରିଛି । କେବଳ ଗତ ମାସରେ, ଅତିରିକ୍ତ ୧୧.୯୨୨ ମେଗାୱାଟ୍ ସୌରଶକ୍ତି କ୍ଷମତା ଯୋଡାଯାଇଛି, ଯାହା ସମଗ୍ର ପଶ୍ଚିମ ଓଡ଼ିଶାରେ ସବୁଜ ଶକ୍ତି ଗ୍ରହଣର ବର୍ଦ୍ଧିତ ଗତିକୁ ପ୍ରତିଫଳିତ କରୁଅଛି ।
ଏହି ସଫଳତା ସମ୍ପର୍କରେ ଟିପିଡବ୍ଲୁଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ଏହି ସଂଖ୍ୟା ସବୁଜ ରୁଫଟପ୍ ସୋଲାର ପ୍ରତି ଉପଭୋକ୍ତାଙ୍କ ବଢ଼ୁଥିବା ଆଦର ଏବଂ ସଚେତନତାକୁ ପ୍ରତିଫଳିତ କରୁଅଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ଆମର ୟୁଏଲଏ ମଡେଲ୍ ମାଧ୍ୟମରେ ଆମେ ସୌର ଶକ୍ତିକୁ ଅଧିକ ସୁଲଭସାଧ୍ୟ କରିବା ସହ ପ୍ରତ୍ୟେକ ସୋଲାର ସଂଯୋଗକୁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଏବଂ ଏକ ସବୁଜ ପଶ୍ଚିମ ଓଡ଼ିଶା ଗଠନରେ ଭାଗିଦାର କରୁଅଛୁ।”
ପରିବେଶ ସୁରକ୍ଷା ସହିତ ଏହି ରୁଫଟପ୍ ସୋଲାର ଅଭିଯାନ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଆର୍ଥିକ ଲାଭ ମଧ୍ୟ ସୁନିଶ୍ଚିତ କରୁଅଛି । ଜୁନ୍ ୨୦୨୬ ମାସରେ ଟିପିଡବ୍ଲୁଓଡିଏଲ୍ର କାର୍ଯ୍ୟକ୍ଷେତ୍ରର ୧୦,୧୧୨ଟି ପରିବାର ଶୂନ୍ୟ-ୟୁନିଟ୍ ବିଦ୍ୟୁତ୍ ବିଲ୍ ରେକର୍ଡ କରିଛନ୍ତି, ଯାହା ରୁଫଟପ୍ ସୋଲାର ମାଧ୍ୟମରେ ବିଦ୍ୟୁତ୍ ଖର୍ଚ୍ଚରେ ହେଉଥିବା ସଞ୍ଚୟକୁ ସ୍ପଷ୍ଟ କରୁଅଛି ।
ତେବେ ଏହି ରୁଫଟପ୍ ସୋଲାର ଅଭିଯାନ କେବଳ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସରେ ସୀମିତ ନୁହେଁ । ଏହି ସୋଲାର ସିଷ୍ଟମ୍ ମାଧ୍ୟମରେ ଉତ୍ପାଦିତ ବିଦ୍ୟୁତ୍ ଶକ୍ତି ଫଳରେ ପ୍ରତିବର୍ଷ ପ୍ରାୟ ୧.୩୦ ଲକ୍ଷ ଟନ୍ କୋଇଲା ବ୍ୟବହାରରେ ହ୍ରାସ ଘଟୁଅଛି । ଏହାର ପରିବେଶଗତ ପ୍ରଭାବ, ପ୍ରତିବର୍ଷ ପ୍ରାୟ ୬୦ ଲକ୍ଷ ପରିପକ୍ୱ ବୃକ୍ଷରୋପଣ ସହ ସମାନ, ଯାହା ଜଳବାୟୁ ପରିବର୍ତ୍ତନ ମୁକାବିଲା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି ।
ରୁଫଟପ୍ ସୋଲାରର ଦ୍ରୁତ ବିସ୍ତାର ପଛରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ଆକର୍ଷଣୀୟ ଆର୍ଥିକ ସହାୟତା ବଡ଼ ଭୂମିକା ନେଇଛି । ପ୍ରାୟ ୨ ଲକ୍ଷ ଟଙ୍କା ବ୍ୟୟରେ ୩ କିଲୋୱାଟ୍ ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ କଲେ ଉପଭୋକ୍ତା ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇପାରିବେ । ସେହିପରି ପ୍ରାୟ ୧.୪୦ ଲକ୍ଷ ଟଙ୍କା ବ୍ୟୟରେ ୨ କିଲୋୱାଟ୍ ସୋଲାର ସିଷ୍ଟମ୍ ପାଇଁ ୧.୧୦ ଲକ୍ଷ ପର୍ଯ୍ୟନ୍ତ ସବସିଡି ମିଳୁଛି, ଯାହା ଉପଭୋକ୍ତାଙ୍କ ପ୍ରାରମ୍ଭିକ ବିନିଯୋଗକୁ ଯଥେଷ୍ଟ କମାଇବାରେ ସହାୟକ ହେଉଅଛି ।
ରୁଫଟପ୍ ସୋଲାରକୁ ଅଧିକରୁ ଅଧିକ ଉପଭୋକ୍ତାଙ୍କ ପାଇଁ ସୁଲଭ କରିବାକୁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ୧ କିଲୋୱାଟ୍ ୟୁଏଲଏ (ULA) ମଡେଲ୍ ଆରମ୍ଭ କରାଯାଇଅଛି । ଏହି ମଡେଲରେ ଯୋଗ୍ୟ ଉପଭୋକ୍ତାମାନେ ମାତ୍ର ₹୧,୮୭୫ ଟଙ୍କା ପ୍ରଦାନ କରି ରୁଫଟପ୍ ସୋଲାର ସ୍ଥାପନ କରିପାରିବେ । ସମ୍ପୂର୍ଣ୍ଣ ସ୍ଥାପନ ପ୍ରକ୍ରିୟା ଟିପିଡବ୍ଲୁଓଡିଏଲ୍ ପରିଚାଳନା କରୁଥିବାବେଳେ ଉପକରଣ ଉପରେ ୫ ବର୍ଷର ୱାରେଣ୍ଟି ଏବଂ ସୋଲାର ପ୍ୟାନେଲ୍ ଉପରେ ୨୫ ବର୍ଷର କାର୍ଯ୍ୟଦକ୍ଷତା ୱାରେଣ୍ଟି ପ୍ରଦାନ କରାଯାଉଛି, ଯାହା ଉପଭୋକ୍ତାଙ୍କୁ ଦୀର୍ଘମିଆଦୀ ନିର୍ଭରଯୋଗ୍ୟ ସେବା ନିଶ୍ଚିତ କରୁଅଛି ।
ରୁଫଟପ୍ ସୋଲାର ସ୍ଥାପନ କରିବାକୁ ଇଚ୍ଛୁକ ଉପଭୋକ୍ତାମାନେ ନିଜ ନିକଟସ୍ଥ ଟିପିଡବ୍ଲୁଓଡିଏଲ୍ ସେକ୍ସନ୍ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ କିମ୍ବା ରିନ୍ୟୁଏବଲ୍ ଏନର୍ଜି (RE) ସେଲର ୯୦୭୮୬୮୨୮୯୪ ନମ୍ବରରେ ଯୋଗାଯୋଗ କରି ଅଧିକ ସୂଚନା ପାଇପାରିବେ ।
