ମୟୂରଭଞ୍ଜରେ ବେକାରୀ ଦୂର ପାଇଁ ମନ୍ତ୍ରୀଙ୍କ ନିଆରା ପଦକ୍ଷେପ:ଯୁବକଙ୍କୁ ବାଣ୍ଟିଲେ ଜଳଖିଆ ଓ ଫାଷ୍ଟଫୁଡ୍ କେବିନ୍ , ସ୍ୱାବଲମ୍ବୀ ହେବାର ଦେଖାଇଲେ ବାଟ

0
Untitled

ବାରିପଦା ୨୮/୧୦(ପ୍ରବାହ ନ୍ୟୁଜ): ଅଭାବ ଆଉ ଅସହାୟତା ଭିତରେ ଜୀବନ ବିତାଉଥିବା ଗରିବ ପରିବାରର ଯୁବକଯୁବତୀଙ୍କ ପାଇଁ ଆଶାର ନୂଆ କିରଣ। ହାତକୁ କାମ ନାହିଁ, ପରିବାର ଚଳାଇବାକୁ ଚିନ୍ତା। ଜୀବିକା ପାଇଁ ଅନେକେ ନିଜ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଯୁବକଯୁବତୀଙ୍କୁ ନିଜ ଅଞ୍ଚଳରେ ରୋଜଗାରର ସୁଯୋଗ ଯୋଗାଇଦେବା ସହ ଆତ୍ମନିର୍ଭରଶୀଳ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।

ମୟୂରଭଞ୍ଜ ଜିଲ୍ଲାରେ ବେକାରୀ ସମସ୍ୟା ଦୂର କରିବା ଏବଂ ଗରିବ ତଥା ଅସହାୟ ପରିବାରର ଯୁବକଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ମନ୍ତ୍ରୀଙ୍କ ପକ୍ଷରୁ ଜଳଖିଆ ଓ ଫାଷ୍ଟଫୁଡ୍ କେବିନ୍ ପ୍ରଦାନ କରାଯାଇଛି। କେବଳ କେବିନ୍ ନୁହେଁ, ବ୍ୟବସାୟ ଆରମ୍ଭ କରିବା ପାଇଁ ଆବଶ୍ୟକ ରୋଷେଇ ସାମଗ୍ରୀ ଓ ବାସନକୁସନ ମଧ୍ୟ ଯୋଗାଇ ଦିଆଯାଇଛି। ଏହାଦ୍ୱାରା ହିତାଧିକାରୀମାନେ ନିଜେ ରୋଜଗାର କରିବା ସହ ପରିବାରର ଗୁଜୁରାଣ ମେଣ୍ଟାଇ ପାରିବେ ବୋଲି ଆଶା ରଖାଯାଇଛି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଯେଉଁ ଯୁବକ ଯୁବତୀଙ୍କର ପିତାମାତା ନାହାନ୍ତି କିମ୍ବା ଅତ୍ୟନ୍ତ ଗରିବ ପରିବାରରୁ ଆସିଛନ୍ତି ଏବଂ ଜୀବିକା ନିର୍ବାହ ପାଇଁ ରୋଜଗାରର ଜରୁରୀ ଆବଶ୍ୟକତା ରହିଛି, ସେମାନଙ୍କୁ ଚିହ୍ନଟ କରି ଏହି ସହାୟତା ଦିଆଯାଉଛି।ଏଥିରୁ ସେମାନେ ଅଣ୍ଡା ଅମଲେଟ୍, ତେଲଭାଜି,ଘୁଗୁନି ଓ ବିଭିନ୍ନ ପ୍ରକାରର ଜଳଖିଆ ବିକ୍ରି କରି ନିଜର ଜୀବିକା ନିଜେ ନିର୍ବାହ କରିପାରିବେ।

ମୟୂରଭଞ୍ଜ ଜିଲ୍ଲାରେ ଆଜି ପ୍ରଥମ ପର୍ଯ୍ୟାୟରେ ମୋଟ ୫ ଜଣ ହିତାଧିକାରୀଙ୍କୁ ଏହି ଜଳଖିଆ କେବିନ୍ ପ୍ରଦାନ କରାଯାଇଛି। ମୋରଡ଼ା ବିଧାନସଭା କ୍ଷେତ୍ରରୁ ୨ ଜଣ, ବାରିପଦା ବିଧାନସଭା କ୍ଷେତ୍ରରୁ ୨ ଜଣ ଏବଂ ବେତନଟୀ ବିଧାନସଭା କ୍ଷେତ୍ରରୁ ଜଣେ ହିତାଧିକାରୀ ଏହି ସହାୟତା ପାଇଛନ୍ତି। ଆଗାମୀ ଦିନରେ ଆହୁରି ଅଧିକ କେବିନ୍ ଯୋଗାଇ ଅନ୍ୟ ଆବଶ୍ୟକୀୟ ଯୁବକଯୁବତୀଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିବାକୁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ, କେବିନ୍ ପାଇଥିବା ହିତାଧିକାରୀ ମାନେ ମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଛନ୍ତି। ଆବଶ୍ୟକତା ଥିବା ଯୁବକମାନଙ୍କୁ ଆଉଟ୍‌ସୋର୍ସିଂ କ୍ଷେତ୍ରରେ ମଧ୍ୟ ସୁଯୋଗ ଦେବାକୁ ଉଦ୍ୟମ କରାଯାଉଛି। ଦାଦନ ଖଟିବାକୁ ବାହାରକୁ ନଯାଇ ନିଜ ଅଞ୍ଚଳରେ ରହି ରୋଜଗାର କରିବା ସହ ଆତ୍ମନିର୍ଭରଶୀଳ ହେବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ୍, ଉଦଳା ବିଧାୟକ ଶ୍ରୀଯୁକ୍ତ ଭାସ୍କର ମଢେଇ, ବାଙ୍ଗିରୀପୋଷୀ ବିଧାୟିକା ସୁଶ୍ରୀ ସଂଜଳି ମୁର୍ମୁ ମହୋଦୟା ପ୍ରମୁଖ ଉପସ୍ଥିତି ରହିବା ସହିତ ଅନ୍ୟାନ୍ୟ ମାନ୍ୟଗନ୍ୟ ବ୍ୟକ୍ତି ଯଥା ବିଜେପି ରାଜ୍ୟ ଏସ୍.ଟି. ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କାନ୍ଦ୍ରା ସୋରେନ୍, ମୟୂରଭଞ୍ଜ (ପୂ) ବିଜେପି ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦି ମହୋଦୟ ପ୍ରମୂଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *