ପରକୀୟା ପ୍ରୀତିକୁ ନେଇ ବନ୍ଧୁ ସାଜିଲା ବଇରୀ

ଖୋର୍ଦ୍ଧା: ୪/୮(ପ୍ରବାହ ନିଉଜ୍) ପରକୀୟା ପ୍ରୀତିକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ଶତ୍ରୁତା ଏବଂ ଶେଷରେ ବନ୍ଧୁ ସାଜିଲା ବନ୍ଧୁର ହତ୍ୟାକାରୀ। ମୃତକ ହେଲେ ଜଙ୍କିଆ ଥାନା ଅନ୍ତର୍ଗତ ମୋଟା ଗ୍ରାମର ଅକ୍ଷୟ ସାମନ୍ତରାୟ(୪୫) । ମୃତ ଅକ୍ଷୟଙ୍କର ତାଙ୍କ ନିକଟତର ବନ୍ଧୁ ଟୁଟୁ ବାରିକଙ୍କ ସମ୍ପର୍କୀୟାଙ୍କ ସହିତ ଅନୈତିକ ସମ୍ପର୍କ ଥିବା କାରଣରୁ ଅକ୍ଷୟଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି ନିଜେ ମୃତ ଅକ୍ଷୟଙ୍କ ସ୍ତ୍ରୀ ସସ୍ମିତା ସାମନ୍ତରାୟ ।

ପରିବାର ଲୋକଙ୍କ କହିବା ଅନୁସାରେ ପୁର୍ବରୁ ଦୁଇଜଣ ମିଶି ୧୬ନମ୍ବର ଜାତୀୟ ରାଜପଥ ଗୋଡ଼ିପଡ଼ା ଛକ ନିକଟରେ ଏକ ଢ଼ାବା କରିଥିଲେ । କ୍ରମଶଃ ଉଭୟଙ୍କ ପରିବାର ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବାରୁ ଉଭୟଙ୍କ ସ୍ତ୍ରୀ ସଙ୍ଗାତ ବସିଥିଲେ ଏବଂ ଉଭୟ ପରିବାର ଉଭୟଙ୍କୁ ଭଲ ମନ୍ଦରେ ମଧ୍ୟ ଲୋଡୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ମୃତ ଅକ୍ଷୟଙ୍କର ଟୁଟୁଙ୍କ ସ୍ତ୍ରୀଙ୍କ ସହିତ ଅନୈତିକ ସମ୍ପର୍କ ଥିବା ନେଇ ଦୁଇ ପରିବାର ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିବା ବେଳେ ଗତକାଲି ଅପରାହ୍ନରେ ଉଭୟ ଟୁଟୁ ଓ ଅକ୍ଷୟଙ୍କ ମଧ୍ୟରେ ଏହି କଥାକୁ ନେଇ ବଚସା ମଧ୍ୟ ହୋଇଥିଲା ଏବଂ ବିଳମ୍ବିତ ରାତିରେ ଟୁଟୁ ଅକ୍ଷୟଙ୍କୁ ଛାତ ଉପରକୁ ଡାକି ହତ୍ୟା କରିଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଘଟଣା ସମ୍ପର୍କରେ ଖବର ପାଇ ଜଙ୍କିଆ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟାକାରୀ ଟୁଟୁ ବାରିକ ଫେରାର ଥିବା ନେଇ ପୋଲିସ ସୂଚନା ଦେଇଥିବା ବେଳେ ଅତିଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଖୋର୍ଦ୍ଧା ଏସ୍.ଡି.ପି.ଓ ଶ୍ରୀଯୁକ୍ତ ସୁଶିଲ କୁମାର ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *