ଆଧାର କାର୍ଡ ସହିତ ଭୋଟର ପରିଚୟ ପତ୍ର ଲିଙ୍କ୍ କରିବା ନେଇ ନିର୍ବାଚନ ଆୟୋଗଙ୍କ ଦେଶବ୍ୟାପୀ ସଚେତନତା ଅଭିଯାନରେ ସାମିଲ ହେଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ଖୋର୍ଦ୍ଧା:୧/୮(ପ୍ରବାହ ନିୟୁଜ) ଭୋଟର ପରିଚୟ ପରିଚୟ ପତ୍ରକୁ ଆଧାର ସହିତ ଯୋଡିବା ପାଇଁ ଭାରତର ନିର୍ବାଚନ ଆୟୋଗ ଆନୁଷ୍ଠାନିକ ଭାବେ ସାରା ଦେଶରେ ଏକ ଅଭିଯାନ ଆରମ୍ଭ କରିଥିବା ବେଳେ ଲୋକଙ୍କୁ ଆଜିଠାରୁ ଭୋଟର ପରିଚୟ ପତ୍ର ଏବଂ ଆଧାର କାର୍ଡ ସଂଯୋଗ କରିବାକୁ କହିବା ସହିତ ମତଦାତା ମାନେ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ଆଧାର ତଥ୍ୟ ପ୍ରଦାନ କରିବା ସହିତ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ଆଧାର କାର୍ଡସହିତ ସେମାନଙ୍କର ଭୋଟର ପରିଚୟ ପତ୍ରକୁ ସୁରୁଖୁରୁରେ ଲିଙ୍କ୍ କରିବାରେ ସାହାଯ୍ୟ କରିବା ନେଇ  ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜୟୀ ରାଜଗୁରୁ ଟାଉନହଲ ସମ୍ମିଳନୀ କକ୍ଷରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ।

ଏ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହିତ ସ୍ବତନ୍ତ୍ର ଶିବିର ଆୟୋଜନ ଏବଂ ଅନଲାଇନ ମାଧ୍ୟମରେ ଆଧାର ତଥ୍ୟ ଦେବାକୁ ପ୍ରୋତ୍ସାହିତ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ ଯାହା ଫଳରେ ବ୍ୟକ୍ତିଗତ ତଥ୍ୟ ପ୍ରଘଟ ହେବା ଆଶଙ୍କା ଦୂର ହୋଇପାରିବ । ଏଥି ନିମନ୍ତେ ସହଯୋଗ କରିବାକୁ ସମସ୍ତ ଲୋକ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜିବୀ, ଛାତ୍ରଛାତ୍ରୀ, ମତଦାତା ଏବଂ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ନିର୍ବାଚନ ଆୟୋଗ ଲୋକ ପ୍ରତିନିଧି ଆଇନ-୧୯୫୦ର ଧାରା ୨୩ରେ ସଂଶୋଧନ କରାଯାଇ ପ୍ରଚଳିତ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟର ଓ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବାକୁ ଥିବା ଭୋଟର ମାନେ ସେମାନଙ୍କ ଆଧାର ବିବରଣୀ ସ୍ବେଚ୍ଛାକୃତ ଭାବେ ପ୍ରଦାନ କରିପାରିବେ । ଏହା ସହିତ ନିର୍ବାଚନ ପଞ୍ଜିକରଣ ଆଇନ-୧୯୬୦ର ମଧ୍ୟ ସଂଶୋଧନ କରାଯାଇଛି । ଆସନ୍ତା ଏପ୍ରିଲ ପହିଲା ୨୦୨୩ ମସିହା ସୁଦ୍ଧା ଭୋଟର ତାଲିକାଭୁକ୍ତ ହେବାକୁଥିବା ଭୋଟର ମାନେ ସେମାନଙ୍କ ଆଧାର ତଥ୍ୟ ସଂଯୋଗ ପାଇଁ ଅଧିକାରୀଙ୍କୁ ଜଣାଇବେ । ଆଧାର ବିବରଣୀ ଦାଖଲ ନିମନ୍ତେ ନୂତନ ଫର୍ମ ୬(ଖ) ପ୍ରଚଳନ କରାଯାଇଛି । ଉକ୍ତ ଫର୍ମ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍, ERONET,GARUDA, NVSP,  VHA ମାଧ୍ୟମରେ ଆଜିଠାରୁ ଉପଲବ୍ଧ ହୋଇଛି । ଉକ୍ତ ପ୍ରକ୍ରିୟା ଆସନ୍ତା ୨ରୁ ୩ ମାସ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଶ୍ରୀ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅବସରରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢୀ, ଖୋରଧା ଉପ-ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇସଲୱର, ଭୁବନେଶ୍ବର ଉପ-ଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ବିଡିଓ, ତହସିଲଦାର,ବୁଥସ୍ତରୀୟ ଅଧିକାରୀ ଓ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *