ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ପିଠାବଟା ରେ‘ଶିମିଳି କାଫେ’ ଉଦ୍ଘାଟିତ

ବାରିପଦା,୦୩/୧୦(ପ୍ରବାହ ନ୍ୟୁଜ)- : ଶିମିଳିପାଳ ଅଭୟାରଣ୍ୟର ପ୍ରବେଶ ପଥ ପିଠାବଟା ଠାରେ ପର୍ଯ୍ୟଟକଙ୍କ ସୁବିଧା ତଥା ସ୍ଥାନୀୟ ଆଦିବାସୀ ମହିଳାମାନଙ୍କ ଆର୍ଥିକ ବିକାଶ ଲକ୍ଷ୍ୟରେ ‘ଶିମିଳି କାଫେ’ ର ଶୁଭାରମ୍ଭ ହୋଇଯାଇଛି। ୭୨ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶରାମ ଖୁଣ୍ଟିଆ, ଭୁବନେଶ୍ୱରରୁ ଭର୍ଚୁଆଲ ମାଧ୍ୟମରେ ଏହାକୁ ଉଦ୍ଘାଟନ କରିଥିବା ବେଳେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଛନ୍ତି।
ରାଜ୍ୟ ସରକାରଙ୍କ ‘ଆମ ଶିମିଳିପାଳ’ ଯୋଜନା ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଆନୁକୂଲ୍ୟରେ ପ୍ରାୟ ୫୦ ଲକ୍ଷ ଟଙ୍କାର ପ୍ରାରମ୍ଭିକ ବଜେଟ୍ରେ ନିର୍ମିତ ଏହି କାଫେଟି ଏକ ସମ୍ପୂର୍ଣ୍ଣ କମ୍ୟୁନିଟି-ବେସ୍ଡ୍ ମ୍ୟାନେଜମେଣ୍ଟ ମଡେଲରେ ପରିଚାଳିତ ହେବ।
ବ୍ୟାଘ୍ର ପ୍ରକଳ୍ପର ପିଠାବଟା ପ୍ରବେଶ ଦ୍ୱାରରେ ଅବସ୍ଥିତ ଏହି କାଫେକୁ ଶିମିଳିପାଳର ପାଦଦେଶରେ ଥିବା ଗୋବିନ୍ଦଚନ୍ଦ୍ରପୁର ଗ୍ରାମର ବାବା ବୁଢ଼େଶ୍ୱର ଇକୋ-ଡେଭଲପମେଣ୍ଟ କମିଟିର ସଦସ୍ୟମାନେ ପରିଚାଳନା କରିବେ।
ଶିମିଳିପାଳ ଜାତୀୟ ଉଦ୍ୟାନ ସହିତ ନିକଟସ୍ଥ ସୀତାକୁଣ୍ଡ, ଲୁଲୁଙ୍ଗ ଓ ବାଲିଡିହା ଡ୍ୟାମ ଭଳି ପର୍ଯ୍ୟଟନ ସ୍ଥଳୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହା ସେବା ଯୋଗାଇବ। ଏହି କାଫେରେ ମୟୂରଭଞ୍ଜ ଜିଲ୍ଲାର ନିଜସ୍ୱ ପାରମ୍ପରିକ ଖାଦ୍ୟ ପରିବେଷଣ କରାଯିବ। ବର୍ତ୍ତମାନ ବିଭିନ୍ନ ପ୍ରକାର ଜଳଖିଆ ଓ ପାନୀୟ ଉପଲବ୍ଧ ରହିଛି। କାଫେ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି କାଫେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)ରେ ପଞ୍ଜୀକରଣ ସଂଖ୍ୟା 22026019000111 ଦ୍ୱାରା ପଞ୍ଜୀକୃତ ହୋଇଥିବା ନେଇ ଗଣ ମାଧ୍ୟମ ଜରିଆରେ ସୂଚନା ଦିଆଯାଇଛି।
ଏଠାରେ ଶିମିଳିପାଳ ଥିମ୍ରେ ସ୍ୱତନ୍ତ୍ର ଭାବେ ପରିକଳ୍ପିତ ସାମଗ୍ରୀ ସହିତ ‘ଆମ ଶିମିଳିପାଳ’ ଯୋଜନା ଅଧୀନରେ ସୀମାନ୍ତବର୍ତ୍ତୀ ଗ୍ରାମର ଆଦିବାସୀ ସମ୍ପ୍ରଦାୟଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ଉପଲବ୍ଧ ହେବ। ଛୋଟ ଉତ୍ସବ ଓ ବୈଠକ ପାଇଁ ମଧ୍ୟ ଏହି କାଫେରେ ସ୍ଥାନ ଉପଲବ୍ଧ ରହିବ।
ଏହି ପଦକ୍ଷେପରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ଶିମିଳିପାଳ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଆବଶ୍ୟକତା ପୂରଣ ସହ ସୀମାନ୍ତବର୍ତ୍ତୀ ଗ୍ରାମର ଆଦିବାସୀ ସମ୍ପ୍ରଦାୟ ପାଇଁ ଜୀବିକା ସୁଯୋଗ ସୃଷ୍ଟି କରିବା ସହିତ ଜଙ୍ଗଲ ଉପରେ ନିର୍ଭରଶୀଳ ସମ୍ପ୍ରଦାୟଙ୍କୁ ସହଯୋଗ କରିବା ପାଇଁ କାଫେର ସେବା ଗ୍ରହଣ କରିବାକୁ ସେ ସାଧାରଣ ଜନତାଙ୍କୁ ଆହ୍ୱାନ ଦେଇଥିଲେ।
