ଇନ୍‌ଫ୍ଲୁଏନ୍ସର୍ସ କନ୍‌କ୍ଲେଭ୍‌-ଇଷ୍ଟ ରିଜିଅନ୍ (ଏକ୍ସଟେଣ୍ଡଡ୍‌) ୨୦୨୬ ଆୟୋଜିତ

0
Untitled

ଭୁବନେଶ୍ୱର, ୧୭.୧୦.୨୦୨୬: ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ଶକ୍ତି ଦକ୍ଷତା ବ୍ୟୁରୋ (ବିଇଇ) ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ମେଫେୟାର ଲାଗୁନ୍ ଠାରେ ‘ଇନ୍‌ଫ୍ଲୁଏନ୍ସର୍ସ କନ୍‌କ୍ଲେଭ୍‌-ଇଷ୍ଟ ରିଜିଅନ୍ (ଏକ୍ସଟେଣ୍ଡଡ୍‌) ୨୦୨୬’ ଆୟୋଜିତ ହୋଇଯାଇଛି । ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର (ଏନ୍‌ଇସିଏ) ୨୦୨୬ ପୂର୍ବରୁ ଆୟୋଜିତ ଏହି ସମ୍ମିଳନୀରେ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ଓ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର୍ସମାନେ ଯୋଗ ଦେଇଥିଲେ । ଶକ୍ତି ଦକ୍ଷତା, ଶକ୍ତି ସଂରକ୍ଷଣ ଏବଂ ସ୍ଥାୟୀ ଜୀବନଶୈଳୀ ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ଥିଲା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ବିଇଇର ମହାନିର୍ଦ୍ଦେଶକ ଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଶକ୍ତିର ସୁବ୍ୟବସ୍ଥିତ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଓ ଦୈନନ୍ଦିନ ଜୀବନରେ ଶକ୍ତି ସଞ୍ଚୟ ଭଳି ଅଭ୍ୟାସ କରିବାରେ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଓ ଡିଜିଟାଲ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।   ଶକ୍ତି ସଂରକ୍ଷଣ ସମ୍ପର୍କିତ ବାର୍ତ୍ତା ପ୍ରସାର କରିବାକୁ ସେ ଆହ୍ୱାନ ଦେଇଥିଲେ । ବିଦ୍ୟୁତ୍ ସଞ୍ଚୟ କରିବା ପାଇଁ ପାଞ୍ଚ ତାରକା ବିଶିଷ୍ଟ ଘରୋଇ ଉପକରଣ ବ୍ୟବହାର କରିବା ଏବଂ ବିଦ୍ୟୁତ୍ ଶକ୍ତିର ସଠିକ ବିନିଯୋଗ ଆଦି ବିଷୟ ଉପରେ ଆଲୋଚନା କରିଥିଲେ । ୨୦୨୫ରେ ଏନ୍‌ଇସିଏ ଅଧିନରେ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର୍ସ ଓ କଣ୍ଟେଣ୍ଟ କ୍ରିଏଟର୍ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବର୍ଗର ଶକ୍ତି ଉପଯୋଗ ବିଷୟ ଉଲ୍ଲେଖ କରିଥିଲେ । ଡିଜିଟାଲ ମିଡିଆ ମାଧ୍ୟମରେ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଦିଗରେ ସେମାନଙ୍କ ଉଦ୍ୟମକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହା ପ୍ରତିଷ୍ଠା କରାଯାଇଥିଲା ।

ସ୍ୱଚ୍ଛ ଓ ଦକ୍ଷ ରୋଷେଇ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡକ୍ସନ ଚୁଲା ବ୍ୟବହାର, ଶକ୍ତିର ସଠିକ ଉପଯୋଗ ପାଇଁ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ତାପମାତ୍ରା ୨୪ ଡିଗ୍ରୀ ସେଲ୍‌ସିୟସ୍ କିମ୍ବା ତଦୁର୍ଦ୍ଧ୍ୱ ତାପମାତ୍ରାରେ ରଖିବା, ଦୈନନ୍ଦିନ ଜୀବନରେ ସଚେତନତା ଓ ସ୍ମାର୍ଟ ଶକ୍ତି ବ୍ୟବହାରରେ ଶକ୍ତି ସମ୍ପନ୍ନ ଉପକରଣର ଚୟନ, ଏବଂ ବୈଦ୍ୟୁତିକ ଯାନ (ଇଭି) ସହ ସ୍ଥାୟୀ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଭଳି ୫ ଟି ପ୍ରମୁଖ ବିଷୟବସ୍ତୁ ଉପରେ ସମ୍ମିଳନୀରେ ଏନ୍‌ଇସିଏ ୨୦୨୬ ପାଇଁ ଗୁରୁତ୍ୱ ଦିଆଯାଇଥିଲା । 

କାର୍ଯ୍ୟକ୍ରମରେ ଏନ୍‌ଇସିଏ ସମ୍ପର୍କିତ ଉପସ୍ଥାପନା, ଆଲୋଚନାମୂଳକ କାର୍ଯ୍ୟକଳାପ, ପଞ୍ଜୀକରଣ ପୋର୍ଟାଲର ପ୍ରଦର୍ଶନୀ, ମତ ବିନିମୟ ଏବଂ ଇନ୍‌ଫ୍ଲ୍ୟୁଏନ୍ସର୍ସମାନଙ୍କୁ ସମ୍ମାନିତ କରିବା ଭଳି କାର୍ଯ୍ୟକ୍ରମ ସ୍ଥାନ ପାଇଥିଲା । ଏହି ପଦକ୍ଷେପ ମାଧ୍ୟମରେ ବିଇଇ ଆଞ୍ଚଳିକ ଭାଷାରେ ଏବଂ ଆକର୍ଷଣୀୟ ଡିଜିଟାଲ ବିଷୟବସ୍ତୁ ଜରିଆରେ ଶକ୍ତି ସଂରକ୍ଷଣ ବାର୍ତ୍ତାକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି । ଏହି ପ୍ରୟାସ ମିଶନ ଲାଇଫ୍ (Mission Life)ର ଦୃଷ୍ଟିକୋଣ ସହ ସମନ୍ୱିତ । ଚଳିତ ବର୍ଷ ଡିସେମ୍ବର ୧୪ରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ୩୬ତମ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ସମାରୋହ ଆୟୋଜିତ ହେବ ।

Leave a Reply

Your email address will not be published. Required fields are marked *