ପ୍ରେମରେ ପ୍ରତାରଣା ଅଭିଯୋଗରେ ବାରିପଦା ଟାଉନ ଥାନା ସବ ଇନ୍ସପେକ୍ଟର ପ୍ରଭାତ ନାୟକ ଗିରଫ..

ବାରିପଦା,୨୨/୦୮(ପ୍ରବାହ ନ୍ୟୁଜ): ଖାକିରେ ଲାଗିଲା ଦାଗ। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ ବନ୍ଧା ହେଲେ ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟର ପ୍ରଭାତ ନାୟକ । ପୋଲିସ ର ସୂଚନା ଅନୁଯାୟୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାରିପଦା ଟାଉନ ଥାନାରେ କେସ୍ ନଂ ୫୪୨/୨୬ , ବିଏନେଏସର ଧାରା ୬୯ ଦୁଷ୍କର୍ମ ମାମଲା ରୁଜୁ କରାଯାଇ ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ଏସାଆଇ ଙ୍କୁ ପ୍ରଭାତ ନାୟକଙ୍କୁ ବାରିପଦା ଟାଉନ୍ ପୋଲିସ୍ ଗିରଫ କରିବା ସହିତ ପରିବାର ର ୭ ଜଣଙ୍କ ନାମରେ ମାମଲା ରୁଜୁ କରିଛି ଟାଉନ ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ଅଭିଯୁକ୍ତ ଏସଆଇଙ୍କ ଘର କେନ୍ଦୁଝର ଜିଲ୍ଲାରେ ହୋଇଥିବା ବେଳେ ପୀଡ଼ିତାଙ୍କ ଘର ପୁରୀ ଜିଲ୍ଲାରେ।
ଉଭୟଙ୍କ ମଧ୍ୟରେ ବିଗତ ପ୍ରାୟ ଏକ ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପୂର୍ବରୁ ମଧ୍ୟ ବିବାହକୁ ନେଇ ବିବାଦ ଉପୁଜିବାରୁ କେନ୍ଦୁଝରର ଏକ ଥାନାରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା କରାଯାଇଥିଲା। ଏହା ପରେ ତିନି ମାସ ଧରି ଉଭୟ ବାରିପଦାରେ ଏକତ୍ର ରହୁଥିଲେ। ମାତ୍ର କିଛି ଦିନ ପରେ ଅଭିଯୁକ୍ତ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କରେ ଥିବା ପୀଡ଼ିତା ଜାଣିବାକୁ ପାଇବା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଓ ମନୋମାଳିନ୍ୟ ଚରମ ସୀମାରେ ପହଞ୍ଚିଥିଲା ଏବଂ ପରେ ଏସଆଇ ଜଣକ ପୀଡ଼ିତାଙ୍କୁ ଧରାଛୁଆଁ ଦେଇନଥିଲେ। ନିରାଶ ହୋଇ ପୀଡ଼ିତା ଏ ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
