ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍‍-କିସ୍‍ର ୩୪ ଅଧ୍ୟାପକ

0
Untitled

ଭୁବନେଶ୍ୱର, ୯ । ୧୦: ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଏଲ୍‌ସେଭିୟର ପକ୍ଷରୁ ପ୍ରତିବର୍ଷ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକା ପ୍ରକାଶ ପାଇଥାଏ। ୨୦୨୬ ବର୍ଷର ପ୍ରକାଶିତ ତାଲିକାରେ କିଟ୍ ବିଶ୍ୱବିଦ୍ୟାଳୟର ୩୪ ଜଣ ଅଧ୍ୟାପକ ସ୍ଥାନ ପାଇଥିବା ବେଳେ କିସ୍ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ମଧ୍ୟ ଏଥିରେ ସାମିଲ ଅଛନ୍ତି।

୨୦୨୬ର ବାର୍ଷିକ ଗବେଷଣା ପ୍ରଭାବ ତାଲିକା (ସିଙ୍ଗଲ ଇୟର ଇମ୍ପାକ୍ଟ ଲିଷ୍ଟ)ରେ ସ୍ଥାନ ପାଇଥିବା ୩୪ ଜଣ ଅଧ୍ୟାପକଙ୍କ ମଧ୍ୟରୁ ୧୩ ଜଣ ଦୀଘର୍କାଳୀନ ଗବେଷଣା ପ୍ରଭାବ ତାଲିକା (କ୍ୟରିୟର ଲଙ୍ଗ ଇମ୍ପାକ୍ଟ ଲିଷ୍ଟ)ରେ ମଧ୍ୟ ସ୍ଥାନ ପାଇଛନ୍ତି । ସେହିପରି, ୧୧  ଜଣ ଅଧ୍ୟାପକ ଉଭୟ ତାଲିକାରେ ସ୍ଥାନ ହାସଲ କରିଛନ୍ତି।

ଗବେଷଣା ପ୍ରକାଶନର ଉଦ୍ଧୃତି ସଂଖ୍ୟା ଓ ବୈଜ୍ଞାନିକ ପ୍ରଭାବ ସଂପର୍କିତ ବିଭିନ୍ନ ମାନଦଣ୍ଡ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଏ। ନିଜ ନିଜ ବିଷୟରେ ଉଲ୍ଲେଖନୀୟ ଗବେଷଣା ଓ ବୈଜ୍ଞାନିକ ଅବଦାନ ରଖିଥିବା ଗବେଷକମାନଙ୍କୁ ଏଥିରେ ସ୍ଥାନ ମିଳିଥାଏ। ଏହି ସଫଳତା କିଟ୍‌ର ଗବେଷଣା, ନବସର୍ଜନା ଓ ଶୈକ୍ଷିକ ଉତ୍କର୍ଷତା ପ୍ରତି ରହିଥିବା ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି। ଏଥିସହ କିସ୍‌ର ଜଣେ ଅଧ୍ୟାପକଙ୍କ ସ୍ଥାନ ପାଇବା ଅନୁଷ୍ଠାନର ଗବେଷଣା କ୍ଷେତ୍ରରେ ବଢ଼ୁଥିବା ଅବଦାନକୁ ମଧ୍ୟ ପ୍ରତିପାଦିତ କରିଛି। ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ବିଶ୍ୱସ୍ତରରେ ବୈଜ୍ଞାନିକ ପ୍ରଭାବ ପାଇଁ କିଟ୍‍ ଓ କିସ୍‍ର ଅଧ୍ୟାପାକମାନେ ଏହି ସ୍ୱୀକୃତି ହାସଲ କରିଛନ୍ତି। ଏହା ସେମାନଙ୍କର ଦୀର୍ଘକାଳୀନ ଗବେଷଣା ସଫଳତା ସହ ସାଂପ୍ରତିକ ବର୍ଷର ଉଲ୍ଲେଖନୀୟ ଅବଦାନକୁ ପ୍ରତିଫଳିତ କରୁଛି।

ଏହି ସଫଳତାରେ ଖୁସି ପ୍ରକାଶ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ କିଟ୍ ଓ କିସ୍‌ର ୩୪ ଜଣ ସଦସ୍ୟ ସ୍ଥାନ ପାଇଥିବାରୁ ଆମେ ଗର୍ବିତ। ବିଭିନ୍ନ ବୈଜ୍ଞାନିକ କ୍ଷେତ୍ରରେ କାର୍ଯ୍ୟରତ ଆମ ଅଧ୍ୟାପକମାନଙ୍କର ଏହି ସଫଳତା ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଏହି ସ୍ୱୀକୃତି ବିଶ୍ୱ ଗବେଷଣା ମାନଚିତ୍ରରେ କିଟ୍‌ର ସ୍ଥିତିକୁ ଆହୁରି ମଜଭୁତ କରିବା ସହ ଗୁଣାତ୍ମକ ଗବେଷଣା ମାଧ୍ୟମରେ ଜ୍ଞାନର ଅଭିବୃଦ୍ଧି ଓ ସମାଜର ଉନ୍ନତି ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଛି।

Leave a Reply

Your email address will not be published. Required fields are marked *