ଯୋଡ଼ା ଲକ୍ଷ୍ମୀପୂଜା ପଡ଼ିଆ ସଫା କଲେ ଟାଟା ଷ୍ଟିଲ କର୍ମଚାରୀ

ଯୋଡ଼ା, ୧୩/୧୧: ନିକଟରେ ଉଦଯାପିତ ହୋଇଥିବା ଗଜଲକ୍ଷ୍ମୀ ପୂଜା ଓ ମେଳା ପରେ ପୂଜା ପଡ଼ିଆରେ ଗଦା ହୋଇ ରହିଥିବା ଅଳିଆ ଆବର୍ଜ୍ଜନାକୁ ଗୁରୁବାର ଟାଟା ଷ୍ଟିଲର କର୍ମଚାରୀ ମାନେ ସଫା କରିଛନ୍ତି। ଟାଟା ଷ୍ଟିଲ ଫେରୋ ଆଲଏଜ୍ ଓ ମିନେରାଲସ୍ ଡିଭିଜନ (ଏଫ୍ଏଏମଡି)ର ଏଗଜିକ୍ୟୁଟିଭ ଇନଚାର୍ଜ ସୁଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ବରେ ଟାଟା ଷ୍ଟିଲ ଫାଉଣ୍ଡେସନର ସହଯୋଗରେ ଏହି ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା।
ପୂଜା ଅବସରରେ ସ୍ଥାନୀୟ ପଡ଼ିଆଠାରେ ଦଶଦିନରୁ ଉର୍ଦ୍ଧ୍ବ ଧରି ଚାଲିଥିବା ମେଳାରେ ଯୋଡ଼ା ଓ ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ମେଳା ଶେଷ ହୋଇଯିବା ପରେ ବ୍ୟବହୃତ ହୋଇଥିବା ବିଭିନ୍ନ ପ୍ରକାରର କାଗଜ, ଜରି, ପ୍ଲାଷ୍ଟିକ ବୋତଲ ଓ ପଲିଥିନ ଆଦି ଅନେକ ବର୍ଜ୍ୟବସ୍ତୁ ପଡ଼ି ରହିଥିଲା। ତେବେ ଏହାକୁ ସଫା କରିବା ପାଇଁ କମ୍ପାନୀର କର୍ମଚାରୀମାନେ ଏକ ସ୍ବେଚ୍ଛାକୃତ ସଫେଇ ଅଭିଯାନ ଆୟୋଜନ କରିଥିଲେ। ଗୁରୁବାର ସକାଳ ୬ଟା ସମୟରେ ଟାଟା ଷ୍ଟିଲର ୫୦ରୁ ଉର୍ଦ୍ଧ୍ବ କର୍ମଚାରୀ ପୂଜା ପଡ଼ିଆଠାରେ ଏକାଠି ହୋଇ ହାତରେ ଝାଡୁ ଧରି ଗଦା ହୋଇ ରହିଥିବା ଅଳିଆକୁ ସଫା କରିବା ସହ ଅଞ୍ଚଳକୁ ସମ୍ପୂର୍ଣ୍ଣ ପରିଷ୍କାର କରିଦେଇଥିଲେ। ଏଥିସହ କମ୍ପାନୀ ପକ୍ଷରୁ ବ୍ଲିଚିଁ ପାଉଡର ମଧ୍ୟ ସିଞ୍ଚନ କରାଯାଇଥିଲା।
ପ୍ରାୟ ଏକଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା ଏହି ସଫେଇ କାର୍ଯ୍ୟକ୍ରମରେ ଯୋଡ଼ା ପୌରପାଳିକାର ପୌରାଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁ ଏବଂ ୫ନଂ ୱାର୍ଡର କାଉନସିଲର ଶ୍ରୀ ଜିତୁ କାରୁଆ ଯୋଗଦେଇ ଏପରି କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
ଲୋକମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିବା ଲକ୍ଷ୍ୟନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଏଫ୍ଏଏମଡି ଖଣି ମୁଖ୍ୟ ଶମ୍ଭୁନାଥ ଝା, ମାଙ୍ଗାନିଜ ଖଣି ସମୂହ ମୁଖ୍ୟ ଅଭୟ କୁମାର ଗୁପ୍ତା, ଯୋଡ଼ା ଫେରୋ ଆଲଏଜ୍ ପ୍ଲାଣ୍ଟ ମୁଖ୍ୟ ସୋମନାଥ ଲାହିରି, ଟାଟା ଷ୍ଟିଲ ଫାଉଣ୍ଡେସନ ଯୋଡ଼ା ୟୁନିଟ ମୁଖ୍ୟ ପ୍ରବୀଣ କୁମାର ବେରା ଓ କମ୍ପାନୀର ଅନ୍ୟ କର୍ମଚାରୀମାନେ ଯୋଗଦେଇଥିଲେ।
