ଆନ୍ତର୍ଜାତୀୟ ସାକ୍ଷରତା ଦିବସ–୨୦୨୬: ବଡ଼ଦାଣ୍ଡରେ ‘ପଥପ୍ରାନ୍ତ ନାଟକ’ ମାଧ୍ୟମରେ ସାକ୍ଷରତାର ବାର୍ତ୍ତା

0
Untitled

ବାରିପଦା, (୯/୯(ପ୍ରବାହ ନ୍ୟୁଜ): ଆନ୍ତର୍ଜାତୀୟ ସାକ୍ଷରତା ଦିବସ–୨୦୨୬ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବାରିପଦା ବଡ଼ଦାଣ୍ଡରେ ସାକ୍ଷରତା ଓ ଶିକ୍ଷାର ଗୁରୁତ୍ୱ ନେଇ ଏକ ସଚେତନତାମୂଳକ ‘ପଥପ୍ରାନ୍ତ ନାଟକ’ ଆୟୋଜିତ ହୋଇଛି ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାକ୍ଷରତା ହାର ବୃଦ୍ଧିରେ ଏଭଳି ନାଟକ ବେଶ ଉପଯୋଗୀ, ଏହାଦ୍ୱାରା ନିଶ୍ଚୟ ଭାବରେ ଶିକ୍ଷାର ବାର୍ତ୍ତା ସମାଜର ସବୁ ମହଲରେ ପହଞ୍ଚି ପାରିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କହିଥିଲେ ।

ଏହି ଅବସରରେ ପିଏମ୍‌ଶ୍ରୀ ଏମ୍‌.କେ.ସି. ଉଚ୍ଚ ବିଦ୍ୟାଳୟ ଓ ଲେଡି ହାମିଲଟନ୍ ଉଚ୍ଚ ବିଦ୍ୟାଳୟ, ବାରିପଦାର ଛାତ୍ରଛାତ୍ରୀମାନେ ଯଥାକ୍ରମେ ‘ଭୁଲ୍ କାହାର’ ଓ ‘ଆଈ ବୁଢ଼ୀର କାହାଣୀ’ ଶୀର୍ଷକ ନାଟକ ପରିବେଷଣ କରି ନବସ୍ୱାକ୍ଷର ଶିକ୍ଷାର୍ଥୀମାନଙ୍କୁ ପୁନର୍ବାର ଶିକ୍ଷା ବ୍ୟବସ୍ଥା ସହ ଯୋଡ଼ିବା, ସେମାନଙ୍କୁ ଶିକ୍ଷାମୁଖୀ କରିବା ଏବଂ ଜୀବିକାର ବିକାଶ ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବା ସହ ‘ଆଈ ବୁଢ଼ୀର କାହାଣୀ’ ରେ ଦୈନନ୍ଦିନ ଜୀବନରେ ଶିକ୍ଷାର ଗୁରୁତ୍ୱ, ନିରକ୍ଷରତା ଦୂରୀକରଣ ଏବଂ ଜୀବନବ୍ୟାପୀ ଶିକ୍ଷାର ଆବଶ୍ୟକତାକୁ ଚିତାକର୍ଷକ ଭାବରେ ଦେଖାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସାକ୍ଷରତା ଓ ଶିକ୍ଷା ପ୍ରତି ସଚେତନତା ସୃଷ୍ଟିରେ ଅବଦାନ ପାଇଁ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ (ଏକାଡେମିକ) ବିନୋଦ କୁମାର ସିଂ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗୀରଥି ମଲ୍ଲିକ, ଶିକ୍ଷଣ ସଂଯୋଜକ ଶୈଳବାଲା ବେହେରା ଏବଂ ସମାବେଶୀ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକଙ୍କ ସମେତ ଶିକ୍ଷା ବିଭାଗର କର୍ମକର୍ତ୍ତା, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ବିଭିନ୍ନ ଶିକ୍ଷାବିତ୍‌, ଛାତ୍ରଛାତ୍ରୀଙ୍କ ସମେତ ବହୁ ସଂଖ୍ୟକ ଜନସାଧାରଣ ଓ ବଡ଼ଦାଣ୍ଡ ଦେଇ ଯାତାୟାତ କରୁଥିବା ବାଟୋଇମାନେ ଉପଭୋଗ କରିବା ସହ ସାକ୍ଷରତାର ବାର୍ତ୍ତା ସମ୍ପର୍କରେ ଅବଗତ ହୋଇଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷା ବିଭାଗର କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *