କିଟ୍‌ ରେ ପୂର୍ବାଞ୍ଚଳ ଏନ୍‌ଏସ୍‌ଏସ୍ ପ୍ରାକ୍‌-ଗଣତନ୍ତ୍ର ଦିବସ ପରେଡ୍ ଶିବିର ୨୦୨୬ ଉଦ୍‌ଘାଟିତ ୧୦ ରାଜ୍ୟରୁ ୨୦୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀଙ୍କ ଯୋଗଦାନ

0
Untitled

ଭୁବନେଶ୍ୱର, ୧୩ ।୧୧: କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଶୁକ୍ରବାର ପୂର୍ବାଞ୍ଚଳ ଏନ୍‌ଏସ୍‌ଏସ୍ ପ୍ରାକ୍ ଗଣତନ୍ତ୍ର ଦିବସ ପରେଡ୍ ଶିବିର-୨୦୨୬ ଉଦ୍‌ଘାଟିତ ହୋଇଛି । ନଭେମ୍ବର ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ଶିବିର ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶାଳୟ ଓ କିଟ୍ ଏନ୍‌ଏସ୍‌ଏସ୍ ବ୍ୟୁରୋର ମିଳିତ ସହଯୋଗରେ ଏହି ଶିବିର ଆୟୋଜିତ ହେଉଛି।

ଏଥିରେ ପୂର୍ବାଞ୍ଚଳର ୧୦ଟି ରାଜ୍ୟରୁ ପ୍ରାୟ ୨୦୦ ଜଣ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଯୋଗଦେଇଛନ୍ତି। ଏଥିରେ ଓଡ଼ିଶା, ପଶ୍ଚିମବଙ୍ଗ, ମଣିପୁର ଓ ମେଘାଳୟ ସମେତ ବିଭିନ୍ନ ରାଜ୍ୟର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ କିଟ୍ ବିଶ୍ୱବିଦ୍ୟାଳୟ ଓ ଏନ୍‌ଏସ୍‌ଏସ୍‌ର ବହୁ ବରିଷ୍ଠ ଅଧିକାରୀ, ଅତିଥି ଓ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ। କିଟ୍ ଏନ୍‌ଏସ୍‌ଏସ୍ ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଡ. ପ୍ରଭାତ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଉତ୍ସବରେ କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି,ଉପକୁଳପତି ପ୍ରଫେସର  ଦେବାଶିଷ ବାନାର୍ଜୀ ଏବଂ ଏନ୍‌ଏସ୍‌ଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଅଜିତ କୁମାର କୁଶୱାହା ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ଯୋଗଦେଇଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଅତିଥିମାନେ ଶୁଭେଚ୍ଛା ଜଣାଇବା ସହ ଏହି ଶିବିର ଯୁବପିଢ଼ିଙ୍କ ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ବୋଲି କହିଥିଲେ। ଏହି ଶିବିରର ଅନୁଭୂତି ସ୍ୱେଚ୍ଛାସେବୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ସେମାନଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱ ଦକ୍ଷତାର ବିକାଶରେ ସହାୟକ ହେବ ବୋଲି ସେମାନେ ଆଶାବ୍ୟକ୍ତ କରିଥିଲେ।

ଶିବିରରେ ଓଡ଼ିଶାରୁ ୫୨ ଜଣ, ଆସାମରୁ ୩୮ ଜଣ ଏବଂ ମେଘାଳୟରୁ ୧୪ ଜଣ ସ୍ୱେଚ୍ଛାସେବୀ ଯୋଗଦେଇଛନ୍ତି । ଏହି ୧୦ ଦିନିଆ ଶିବିରରେ ସ୍ୱେଚ୍ଛାସେବୀମାନଙ୍କୁ ଶୃଙ୍ଖଳା, ନେତୃତ୍ୱ, ଶାରୀରିକ ସୁସ୍ଥତା ଓ ଜାତୀୟ ସେବା ମନୋଭାବର ବିକାଶ ପାଇଁ କଠୋର ପ୍ରଶିକ୍ଷଣ ଦିଆଯିବ। ଆଗାମୀ ଗଣତନ୍ତ୍ର ଦିବସ ପରେଡ୍ ଚୟନ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରତିଭାବାନ ସ୍ୱେଚ୍ଛାସେବୀଙ୍କୁ ଚିହ୍ନଟ ଓ ପ୍ରସ୍ତୁତ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ।

ଏହି ଅବସରରେ ତୀବ୍ର ପ୍ରଶିକ୍ଷଣ ଅଧିବେଶନ, ମାର୍ଚ୍ଚିଂ, ପରେଡ୍ ଅଭ୍ୟାସ, ଶାରୀରିକ ବ୍ୟାୟାମ ଓ ଅନ୍ୟାନ୍ୟ ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହା ସହ ବିଭିନ୍ନ ରାଜ୍ୟରୁ ଆସିଥିବା ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ, ଭାବ ବିନିମୟ ଓ ଜାତୀୟ ଏକତା ଭାବନାକୁ ସୁଦୃଢ଼ କରିବାର ସୁଯୋଗ ସୃଷ୍ଟି ହେବ।

ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ, ଶୃଙ୍ଖଳା, ନେତୃତ୍ୱ ଓ ସାମାଜିକ ସେବାର ଗୁରୁତ୍ୱ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। କିଟ୍‌-ଡିୟୁର ଏନ୍‌ଏସ୍‌ଏସ୍ ଲିଆଜନ୍ ଅଫିସର ଡ. ସ୍ମୃତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *