ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ..

0
Untitled

ବାରିପଦା, ୧୭/୧୧(ପ୍ରବାହ ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ସହ ଦଳର ସାଂଗଠନିକ ଶକ୍ତି ପ୍ରଦର୍ଶନ ନିମନ୍ତେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। ଆସନ୍ତାକାଲି ଅର୍ଥାତ୍ ୧୮ ନଭେମ୍ବରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ବାରିପଦା ଗସ୍ତକୁ ନେଇ ଜିଲ୍ଲା କଂଗ୍ରେସ ଶିବିରରେ ଦେଖାଦେଇଛି ଉତ୍ସାହ ଓ ଉଦ୍ଦୀପନା। ଏହି ଗସ୍ତ ଅବସରରେ ଏକ ବିଶାଳ ପଦଯାତ୍ରା ସହ ମହାମିଶ୍ରଣ ପର୍ବ ଆୟୋଜନ କରାଯିବାକୁ ଯୋଜନା ରହିଛି। ଏନେଇ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ (ପୂର୍ବ) ଙ୍କ ତତ୍ତ୍ୱାବଧାନରେ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ କାର୍ଯ୍ୟକ୍ରମ ବିସ୍ତୃତ ବିବରଣୀ କରାଯାଇଛି।  

ଉକ୍ତ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଥିଲେ ଯେ, ଆସନ୍ତାକାଲି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ବାରିପଦା ଗସ୍ତରେ ଆସିବେ। ତାଙ୍କ ଗସ୍ତକୁ ସ୍ମରଣୀୟ ଓ ସଫଳ କରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି। ଏହି ଅବସରରେ ଦଳୀୟ ନେତା, କର୍ମୀ ଓ ସମର୍ଥକମାନଙ୍କୁ ନେଇ ଏକ ବିଶାଳ ପଦଯାତ୍ରା ଆୟୋଜନ କରାଯିବ। ଏହା କେବଳ ଏକ ଦଳୀୟ କାର୍ଯ୍ୟକ୍ରମ ନୁହେଁ, ବରଂ ଜିଲ୍ଲାରେ କଂଗ୍ରେସର ସାଂଗଠନିକ ଏକତା, ଶକ୍ତି ଓ ଜନସମ୍ପର୍କକୁ ଅଧିକ ମଜବୁତ କରିବାର ଏକ ପ୍ରୟାସ ବୋଲି ଦଳୀୟ ନେତୃତ୍ୱ ପକ୍ଷରୁ ପ୍ରକାଶ କରାଯାଇଛି।ଏହି ଗସ୍ତର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି ମହାମିଶ୍ରଣ ପର୍ବ। ଶ୍ରୀ ବିଶ୍ୱାଳଙ୍କ ସୂଚନା ଅନୁଯାୟୀ, କଂଗ୍ରେସର ନୀତି, ଆଦର୍ଶ ଓ ବିଚାରଧାରା ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ବର୍ଗର ଅଧିକରୁ ଅଧିକ ବ୍ୟକ୍ତି ଦଳ ସହିତ ଯୋଡ଼ି ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ପରି ପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳରୁ ଅନେକ ନେତା ଓ କର୍ମୀ କଂଗ୍ରେସରେ ଯୋଗଦେବାର ସମ୍ଭାବନା ରହିଛି। 

ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକରୁ ଅଧିକ ଜନସାଧାରଣଙ୍କୁ କଂଗ୍ରେସ ସହିତ ଯୋଡ଼ିବା ଏବଂ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସଂଗଠନକୁ ସକ୍ରିୟ କରିବା। ନୂତନ ଭାବେ ଦଳରେ ଯୋଗଦେଉଥିବା ବ୍ୟକ୍ତିମାନଙ୍କୁ ସାଙ୍ଗରେ ନେଇ ଆଗାମୀ ଦିନରେ କଂଗ୍ରେସକୁ ଏକ ସୁଦୃଢ଼ ଜନଭିତ୍ତିକ ସଂଗଠନ ଭାବରେ ଗଢ଼ିତୋଳିବା ପାଇଁ ଉଦ୍ୟମ ଜାରି ରହିବ। ଏଥିପାଇଁ ଜିଲ୍ଲାର ସମସ୍ତ ଦଳୀୟ ନେତା ଓ କର୍ମୀଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ବିଶ୍ୱାଳ ଆହ୍ୱାନ ଦେଇଛନ୍ତି। ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ଉପସଭାପତି ନାରାୟଣ ପଟ୍ଟନାୟକ, ଉପସଭାପତି ମାଧବୀ ଲତା ସେନାପତି, ପିସିସି ସଦସ୍ୟ ମୀନକେତନ ବେହେରା, ଗୌରୀ ନାୟକ, ଜୀବନ ବାରିକ, ସୁନିତା ନାୟକ ଓ ଅଭିଷେକ ଯାଦବଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ସମସ୍ତେ ଆସନ୍ତାକାଲିର କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ନିଜ ନିଜ ସ୍ତରରେ ସହଯୋଗ ଓ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ।

Leave a Reply

Your email address will not be published. Required fields are marked *