ବାରିପଦା ବାସୀଙ୍କ ଦିର୍ଘ ଦିନର ସ୍ୱପ୍ନ ହେବ ସାକାର: ବୁଢ଼ାବଳଙ୍ଗ ଆଡିବନ୍ଧ ଓ ମେଗା ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗ୍ନାଲ..

ବାରିପଦା,୨୦/୧୧(ପ୍ରବାହ ନ୍ୟୁଜ): ବାରିପଦା ବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ପ୍ରଚେଷ୍ଟା, ଉଦ୍ୟମ ଯୋଗୁଁ ବାରିପଦା ବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି | ପ୍ରଥମ ପର୍ଯ୍ୟାୟରେ ISS ବ୍ୟାରେଜ ନିର୍ମାଣ ପାଇଁ ୧୯୬ କୋଟି ଟଙ୍କା ଅନୁମୋଦନ ପରେ ଆଜି ରାଜ୍ୟ ସରକାର ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଆଡ଼ିବନ୍ଧ ପାଇଁ ୨୭୮.୧୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ସର୍ବମୋଟ ୪୭୪.୮୨ କୋଟି ଟଙ୍କା ଅନୁମୋଦିତ ହୋଇଛି। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରକୁ ବାରମ୍ବାର ବନ୍ୟା ଦାଉରୁ ସୁରକ୍ଷା ଦେବା ଲକ୍ଷ୍ୟରେ ଏକ ବୃହତ୍ତ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି। ବୁଢ଼ାବଳଙ୍ଗ ନଦୀର ବାମ ପାର୍ଶ୍ୱରେ ବାରିପଦା ସହର ନିକଟରେ ବନ୍ୟା ସୁରକ୍ଷା ବନ୍ଧ ସହ ରିଙ୍ଗ୍ ରୋଡ୍ ନିର୍ମାଣ ପାଇଁ
ମୋଟ ୨୭୮.୧୩ କୋଟି ଟଙ୍କାର ପ୍ରକଳ୍ପକୁ ନୀତିଗତ ଭାବେ ଅନୁମତି ପ୍ରଦାନ କରାଯାଇଛି।
ମୟୂରଭଞ୍ଜ ଜଳସେଚନ ଡିଭିଜନ, ବାରିପଦା ପକ୍ଷରୁ ଏହି ପ୍ରକଳ୍ପକୁ ୨୦୨୬-୨୭ ଆର୍ଥିକ ବର୍ଷର CAPEX ଯୋଜନା ଅଧୀନରେ କାର୍ଯ୍ୟକାରୀ କରାଯିବାର ପ୍ରସ୍ତାବ ରହିଛି।
ଏ ସମ୍ପର୍କରେ ଅର୍ଥ ବିଭାଗର ସହମତି ପରେ ଜାରି ହୋଇଥିବା ଚିଠିରେ ଉକ୍ତ ପ୍ରକଳ୍ପକୁ DFPR-1978ର ନିୟମ ୧୩ ଅନୁଯାୟୀ ନୀତିଗତ ଗୋ-ଏହେଡ୍ ଅନୁମତି ଦିଆଯାଇଛି। ତେବେ ଏହା ଚୂଡ଼ାନ୍ତ ପ୍ରଶାସନିକ ଅନୁମୋଦନ ନୁହେଁ। ଏଥିପାଇଁ କେତେକ ଆର୍ଥିକ ଓ ପ୍ରଶାସନିକ ସର୍ତ୍ତ ପୂରଣ କରିବାକୁ ପଡ଼ିବ।
ଚିଠିରେ ଉଲ୍ଲେଖ ଅନୁଯାୟୀ, ପ୍ରକଳ୍ପକୁ ଉପଯୁକ୍ତ ଅନୁମୋଦିତ ଯୋଜନା ଅଧୀନରେ ସାମିଲ କରିବା ସହିତ ବର୍ଷୱାରୀ ଅର୍ଥ ବ୍ୟବସ୍ଥାର ବିସ୍ତୃତ ବିବରଣୀ ଦାଖଲ କରିବାକୁ ହେବ।
ଏଥିସହିତ ଅନୁମୋଦିତ ଅର୍ଥ ବ୍ୟବସ୍ଥା ମଧ୍ୟରେ ପ୍ରକଳ୍ପର ଖର୍ଚ୍ଚ ସୀମିତ ରଖିବା ଏବଂ କୌଣସି ଅନୁମୋଦନ ବିହୀନ ଆର୍ଥିକ ଦାୟିତ୍ୱ ସୃଷ୍ଟି ନକରିବାକୁ କୁହାଯାଇଛି। କାମ ଆରମ୍ଭ ହେବାର ତିନି ମାସ ମଧ୍ୟରେ ଚୂଡ଼ାନ୍ତ ପ୍ରଶାସନିକ ଅନୁମୋଦନ ପାଇଁ ପୁନର୍ବାର ଅର୍ଥ ବିଭାଗ ନିକଟରେ ପ୍ରସ୍ତାବ ଦାଖଲ କରିବାକୁ ପଡ଼ିବ।
ଅନ୍ୟପକ୍ଷରେ, ବୈଷୟିକ ପରାମର୍ଶଦାତା କମିଟି (TAC)ର ସୁପାରିସ ଏବଂ ନିର୍ଦ୍ଧାରିତ କାର୍ଯ୍ୟ ପରିସରକୁ କାର୍ଯ୍ୟ ସମ୍ପାଦନ ସମୟରେ କଡ଼ାକଡ଼ି ପାଳନ କରିବା ସହ ସମସ୍ତ ଆଇନଗତ, ଆର୍ଥିକ ଓ ବିଭାଗୀୟ ନିୟମ ପୂରଣ କରିବାକୁ ସର୍ତ୍ତ ରଖାଯାଇଛି।
ବାରିପଦା ସହରରେ ବାରମ୍ବାର ବନ୍ୟା ପରିସ୍ଥିତି ଉପୁଜୁଥିବାରୁ ସହରବାସୀଙ୍କ ସୁରକ୍ଷା ଏବଂ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପକୁ ଗ୍ରୀନ ସିଗ୍ନାଲ ଦିଆଯାଇଥିବା ଚିଠିରେ ସ୍ପଷ୍ଟ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବାରିପଦା ସହରର ବନ୍ୟା ନିୟନ୍ତ୍ରଣ, ଜନସାଧାରଣଙ୍କ ସୁରକ୍ଷା ଏବଂ ଯାତାୟାତ ବ୍ୟବସ୍ଥାରେ ଉନ୍ନତି ଆସିବା ସହିତ ବାରିପଦା ସହରରେ ରୂପରେଖ ପୁରା ବଦଳିଯିବ ନେଇ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସହର ବାସୀଙ୍କୁ ଗଣ ମାଧ୍ୟମ ଜରିଆରେ ଜଣାଇଛନ୍ତି ।
