ଖଡିଗ୍ରାପଡାରେ ଜଳିଲା ପ୍ରଥମ ବଲ୍‌ବ, ବିଦ୍ୟୁତିକରଣ ପ୍ରକଳ୍ପର ଶୁଭ ଉଦଘାଟନ କଲେ ସାଂସଦ ମାଳବିକା ଦେବୀ

0
Image - 2

ନୂଆପଡା, ୦୮ ମଇ ୨୦୨୬: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କିଷ୍ଣା ଗ୍ରାମର ଏକ ଛୋଟ ତଥା ଅପହଞ୍ଚ ଇଲାକା ହେଉଛି ଖଡିଗ୍ରାପଡା । ଏହି ପଡ଼ାରେ ଏବେ ଖୁସିର ମାହୋଲ, କାରଣ ପ୍ରଥମଥର ପାଇଁ ଆଜି ପଡ଼ାରେ ପହଞ୍ଚିଛି ବିଦ୍ୟୁତ୍ ସେବା ଏବଂ ପ୍ରତ୍ୟେକ ଘର ଅଗଣାରେ ଆଜି ଜଳିଛି ବିଦ୍ୟୁତ୍ ବଲ୍‌ବ ।

ଗ୍ରାମୀଣ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ରାଜ୍ୟ ସରକାରଙ୍କ ସହାୟତାରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ମାତ୍ର ଗୋଟିଏ ମାସରୁ କମ୍ ସମୟ ମଧ୍ୟରେ ୧.୧୫ କିଲୋମିଟର ଲୋ-ଟେନସନ୍ ଲାଇନ ବିଛାଯାଇ ଅପହଞ୍ଚ ଖଡିଗ୍ରାପଡାକୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସଫଳତାର ସମାପ୍ତ କରାଯାଇଅଛି । ପାଖାପାଖି ୧୬ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ଏହି ପ୍ରକଳ୍ପ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମ୍ପ୍ରତି ଘର ପାଇଥିବା ଆଠଟି ପରିବାରକୁ ବିଦ୍ୟୁତୀକରଣ କରାଯାଇଛି ।

ଏହି ବିଦ୍ୟୁତୀକରଣ ପ୍ରକଳ୍ପକୁ ମାନ୍ୟବର ଲୋକସଭା ସାଂସଦ, କଳାହାଣ୍ଡି, ଶ୍ରୀମତୀ ମାଳବିକା ଦେବୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ବିଧାୟକ, ନୂଆପଡା, ଶ୍ରୀ ଜୟ ଢୋଲକିଆ ମଧ୍ୟ ଯୋଗ ଦେଇଥିଲେ ।

ଘର ଅଗଣାରେ ବଲ୍ବ ଜଳିବା ସହିତ ପଡ଼ାବାସୀଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ପାଇଁ ବିଦ୍ୟୁତ୍‌ କେବଳ ଏକ ସେବା ନୁହେଁ, ବରଂ ଏହା ଏକ ସୁରକ୍ଷିତ ଓ ଉନ୍ନତ ଜୀବନର ଶୁଭାରମ୍ଭ ।

ଏହି ଅବସରରେ ସାଂସଦ ଶ୍ରୀମତୀ ମାଳବିକା ଦେବୀ ଟିପିଡବ୍ଲୁଓଡିଏଲର ପ୍ରତିବଦ୍ଧତା ଓ ସମୟୋପଯୋଗୀ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସେ ଏହି ହାମଲେଟ୍‌ର ସଫଳ ବିଦ୍ୟୁତୀକରଣ ପାଇଁ ସନ୍ତୋଷ ପ୍ରକାଶ କରିବା ସହ କମ୍ପାନୀର ସିଇଓ ଏବଂ ସମଗ୍ର ଟିମ୍‌କୁ ଧନ୍ୟବାଦ ଜଣାଇଥିଲେ ।

ଗ୍ରାମବାସୀମାନେ ମଧ୍ୟ ନିଜର ଖୁସି ଓ ସନ୍ତୋଷ ବ୍ୟକ୍ତ କରି ଏହାକୁ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଥିଲେ । ବିଦ୍ୟୁତ୍‌ ସଂଯୋଗ ପାଇବା ପରେ ଖଡ଼ିଗ୍ରାପଡ଼ାରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଜୀବିକାର ନୂତନ ସୁଯୋଗ ସୃଷ୍ଟି ହେବା ସହ ଗ୍ରାମର ସାର୍ବିକ ଉନ୍ନତିର ନୂଆ ଦ୍ୱାର ଖୋଲିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *

You may have missed