ମୟୂରଭଞ୍ଜରେ ବନ୍ୟା ପରିଚାଳନାର ସମୀକ୍ଷା

0
42b0b9c9-0fb4-40bf-ac8e-e282200b7462

ବାରିପଦା, (୦୬/୦୮):  ଲଘୁଚାପ ଜନିତ ହୋଇଥିବା ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି, କ୍ଷୟକ୍ଷତି, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମାନ୍ୟବର ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ ଇଂ ଗଣେଶରାମ ସିଂ ଖୁଣ୍ଟିଆ, ଉଦଳା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ମଢେଇ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଭାଦବ ହାଁସଦା, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ, ରାଇରଙ୍ଗପୁର ବିଧାୟକ ଜାଲେନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ସମୀକ୍ଷା ବୈଠକରେ ବିଶେଷକରି ବଡ଼ସାହି ଓ ଉଦଳା ବ୍ଲକ ସମେତ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ଥିତି, କ୍ଷୟକ୍ଷତି, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସବିଶେଷ ସମୀକ୍ଷା କରାଯାଇଥିଲା । ମନ୍ତ୍ରୀ ଶ୍ରୀ ନାଏକ ପ୍ରାଥମିକତା ଭିତ୍ତିରେ ବିଚ୍ଛିନ୍ନ ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥାକୁ ଅବିଳମ୍ବେ ସ୍ୱାଭାବିକ କରିବା, ପାନୀୟ ଜଳ, ବିଦ୍ୟୁତ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାର ପୁନଃସ୍ଥାପନ ତଥା ସ୍ୱାଭାବିକ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ ।

ସେ ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତିର ଆକଳନ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରି ରିପୋର୍ଟ ଦାଖଲ କରିବା ଏବଂ ସରକାରଙ୍କ ପ୍ରଚଳିତ ନିୟମାବଳୀ ଅନୁଯାୟୀ ପ୍ରଭାବିତ ପରିବାରମାନଙ୍କୁ କ୍ଷତିପୂରଣ ଓ ସହାୟତା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଭବିଷ୍ୟତରେ ବନ୍ୟା ସମୟରେ ଯାତାୟାତ ବ୍ୟାହତ ନ ହେବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ କଜୱେର ସର୍ଭେ କରି ପର୍ଯ୍ୟାୟକ୍ରମେ ସେଗୁଡିକୁ ଉଚ୍ଚସ୍ତରୀୟ ସେତୁରେ ପରିଣତ କରିବା ପାଇଁ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

 ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳରେ ଥିବା କଚ୍ଚା (ମାଟି) ଘରଗୁଡ଼ିକର ସର୍ଭେ କରି ପ୍ରାଥମିକତା ଭିତ୍ତିରେ ସେଗୁଡ଼ିକୁ ପକ୍କା ଘରରେ ପରିଣତ କରିବା ପାଇଁ ଆବଶ୍ୟକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଭବିଷ୍ୟତରେ ନିର୍ମାଣ ହେବାକୁ ଥିବା ଘରଗୁଡ଼ିକର ନକ୍ସାକୁ ବନ୍ୟା ସମେତ ପ୍ରାକୃତିକ ବିପର୍ଯ୍ୟୟକୁ ସହନଶୀଳ ଭାବେ ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

 ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ହେମକାନ୍ତ ସୟ୍ ଜିଲ୍ଲାର ବନ୍ୟା ପରିସ୍ଥିତି, ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରସ୍ତୁତ ହୋଇଥିବା ପିପିଟି ମାଧ୍ୟମରେ ଉପସ୍ଥାପନା କରିଥିଲେ । ବୈଠକରେ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, କ୍ଷେତ୍ର ନିର୍ଦ୍ଦେଶକ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଡ଼ ପ୍ରକାଶ ଗୋଗିନାନୀ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତାପସ କୁମାର ମହାନ୍ତ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You may have missed