ଅବହେଳିତ ଓୟୁଏଟି ର ଡିପ୍ଲୋମା ଫିସେରୀ ଶିକ୍ଷା।

ଆଜକୁ ପ୍ରାୟ ୧୫ ବର୍ଷ ହବ; ୨୦୧୨ ମସିହାର ଠାରୁ OUAT ଦ୍ୱାରା ୧୦ ଟି ଆଗ୍ରୋ ପଲିଟେକନିକରେ ୪ଗୋଟି କୃଷି ବୈଷୟିକ ପାଠ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | ଓଡ଼ିଶାର କୋଣ ଅନୁକୋଣ ରୁ ଛାତ୍ରଛାତ୍ରୀ ମାନେ ମତ୍ସ୍ୟ ବିଜ୍ଞାନ ରେ ଡିପ୍ଲୋମା ଫିସେରୀ ରେ ଶିକ୍ଷା ଗ୍ରହଣ କରି ଆଜି ପର୍ଯ୍ୟନ୍ତ ବେକାରୀ ହୋଇ ବୁଲୁଛନ୍ତି | ପୂର୍ବ ସରକାର ଏହାକୁ ଅଣଦେଖା କରିଥିଲା ବେଳେ ଶାସକ ଦଳ ମଧ୍ୟ ଏହି ପିଲାମାନଙ୍କ ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି | ୨୦୨୩ ମସିହାରେ ତତ୍କାଳୀନ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଠଙ୍କ ତତ୍ୱାବଧାନରେ ଡିପ୍ଲୋମା ଫିସେରୀ ପିଲାମାନଙ୍କୁ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀରେ ୫୦% ସଂରକ୍ଷିତ ଦିଆଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିୟମକୁ ଉଠାଇ ନିଆଯାଇଥିଲା |
ବିଗତ ୬ ବର୍ଷରେ ୨ ଥର (୨୦୨୧ ଏବଂ ୨୦୨୩) କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ର ନିଯୁକ୍ତି ପ୍ରକ୍ରିୟାକରାଯାଇଥିଲା, ଯେଉଁଠିକି ଭୋକେସନାଲ ଫିସେରୀ ପିଲାମାନଙ୍କୁ ଅଗ୍ରାଧିକାର ଦିଆଯାଉଛି | ଯାହାଦ୍ୱାରା ୨୦୨୧ ରେ ସର୍ବୋମୋଟ ୧୦୦ ରୁ ୧୫ ମାର୍କ cutoff ଯାଇଥିଲା ବେଳେ ୨୦୨୩ ରେ ସର୍ବମୋଟ ୨୦୦ ରୁ ୧୯ ମାର୍କ cutoff ଯାଇଛି | ସରକାର କଣ ଏହି ଭଳି ନନ୍ ଟେକ୍ନିକାଲ ପିଲାଙ୍କ ଦ୍ୱାରା ଫିସେରୀ ବିଭାଗକୁ ଆଗକୁ ନେଇପାରିବେ ନା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା କୁ ଆଗକୁ ନେଇପାରିବେ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ? ନିକଟରେ ରାଜ୍ୟ ସରକାରଙ୍କ ଦ୍ଵାରା ଓଡ଼ିଶା ଅଧୀନସ୍ଥ ମତ୍ସ୍ୟ ସେବା କର୍ମଚାରୀ ମାନଙ୍କର କ୍ୟାଡର୍ ପୁନଃ ଗଠନ କରାଯାଇ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ମାନଙ୍କର ପଦବୀ ସଂଖ୍ୟା ବୃଦ୍ଧି ସହିତ ଗ୍ରେଡ୍ ପେ ବୃଦ୍ଧି କରାଯାଇଛି କିନ୍ତୁ ସରକାର ଶିକ୍ଷା ଗତ ଯୋଗ୍ୟତା ଉପରେ ଦୃଷ୍ଟି ଗୋଚର କରି ନାହାଁନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଖୋଲାଯାଇଥିବା ୧୦ ଗୋଟି କୃଷି ଓ ବୈଷୟୀକ ଶିକ୍ଷକେନ୍ଦ୍ରରେ ଅଧ୍ୟାପକଙ୍କ ଦରମା, ଷ୍ଟାଫଙ୍କ ଦରମା, ଅଫିସ ଖର୍ଚ୍ଚ, ହଷ୍ଟେଲ ଖର୍ଚ୍ଚ, ଗବେଷଣାଗାର ଖର୍ଚ୍ଚ ଏବଂ ଭିତ୍ତିଭୂମି ଖର୍ଚ୍ଚ, ଏ ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି | ଯଦି ଏଠାରୁ ପଢିଲା ପରେ ପିଲାମାନଙ୍କୁ ନିଯୁକ୍ତିର ସୁଯୋଗ ଦିଆଯାଉନାହିଁ, ପିଲାମାନଙ୍କ ଭବିଷ୍ୟତ ସହ ଖେଳା ଯାଉଛି, ତେବେ ଏ ଅଯଥା ଖର୍ଚ୍ଚ କଣ ପାଇଁ, ଏ ଅଯଥା କୋର୍ସର କଣ ଵା ଆବଶ୍ୟକ ?ଆଗ୍ରୋ ପଲିଟେକନିକ ର ସ୍ମାରକପତ୍ର ରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ ୨ ବର୍ଷ ପଢି ସାରିବା ପରେ ପିଲାମାନଙ୍କ ପାଇଁ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ମତ୍ସ୍ୟ କର୍ମଚାରୀ ପଦବୀରେ ନିଯୁକ୍ତିର ସୁଯୋଗ ଅଛି | ମିଛ ପ୍ରଲୋଭନ ଦେଖାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଖେଳନା କରିସାରିଲାଣି OUAT | ଏହାକୁ ନେଇ ପିଲାମାନେ ବାରମ୍ବାର ବର୍ତ୍ତମାନ ର କୃଷି ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ (ମତ୍ସ୍ୟବିଭାଗ), OUAT କୁଳପତି ଏବଂ ଆଗ୍ରୋ ପଲିଟେକନିକରେ ନିର୍ଦେଶକଙ୍କୁ ବାରମ୍ବାର ଦେଖା କରିବା ସତ୍ତ୍ୱେ ବିଭାଗ କିମ୍ବା ସରକାରଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ | ଯଦି ଏହାର ଏକ ସ୍ଥାୟୀ ସମାଧାନ ନ କରାଯାଏ, ତେବେ ନବ ନିର୍ବାଚିତ ସରକାର ଙ୍କ ନାମ ବଦନାମ ହେବା ସ୍ୱାଭାବିକ |
