କିମ୍ସ ଡାକ୍ତରଙ୍କ ସଫଳତା ୧୦ମାସର ଶିଶୁ ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍

ଭୁବନେଶ୍ୱର, ୨୦ ।୮: ୧୦ ମାସର ଶିଶୁ ଅସାବଧାନତା ଭାବେ ଗିଳି ଦେଇଥିଲା ଧାତବ ପିନ୍। କିମ୍ସ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଶିଶୁଟି ମୃତ୍ୟୁ ମୁହଁରୁ ବଞ୍ଚିଯାଇଛି । ରାଉରକେଲାର ୧୦ ମାସର ଶିଶୁ ଏକ ଧାତବ ପିନ୍ ଗିଳି ଦେଇଥିଲା। ପିନ୍ଟି ଶିଶୁର ଖାଦ୍ୟନଳୀରେ ଅଟକି ରହିଥିଲା। ଶିଶୁଟି ବାରମ୍ବାର ବାନ୍ତି କରିବାରୁ ତାକୁ ତାର ପରିବାର ଲୋକେ ବିଭିନ୍ନ ଡାକ୍ତରଖାନାରେ ଦେଖାଇଥିଲେ। ବାନ୍ତିର କାରଣ ଜଣାନପଡ଼ିବାରୁ ତାକୁ ୧୮ତାରିଖରେ ସେମାନେ କିମ୍ସରେ ଭର୍ତ୍ତି କରିଥିଲେ। କିମ୍ସ ଡାକ୍ତରମାନେ ବିଭିନ୍ନ ପରୀକ୍ଷା କରିବା ପରେ ଶିଶୁଟିର ଗଳା ତଳକୁ ଖାଦ୍ୟନଳୀର ଉପର ଅଂଶରେ ଏକ ତୀକ୍ଷ୍ଣ ପିନ୍ ଅଟକି ରହିଥିବା ଜାଣିବାକୁ ପାଇଥିଲେ। ପିନ୍ଟି ତୀକ୍ଷ୍ଣ ହୋଇ ଥିବାରୁ ଏହାକୁ ଖାଦ୍ୟନଳୀରୁ କାଢ଼ିବା ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା। ଏହାକୁ ସିଧା ସଳଖ କାଢ଼ିଲେ ଏହା ଖାଦ୍ୟ ନଳୀରେ ଗଭୀର କ୍ଷତ ସୃଷ୍ଟି ସହ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିଲା।
ତେବେ ଖାଦ୍ୟନଳୀରେ କୌଣସି କ୍ଷତ ସୃଷ୍ଟି ନକରି କିପରି ପିନ୍ଟିକୁ କଢ଼ାଯିବ ସେ ନେଇ ଡାକ୍ତରୀ ଦଳ ସତର୍କତାର ପ୍ରକ୍ରିୟା ପ୍ରସ୍ତୁତ କରିଥିଲେ। କିମ୍ସ କର୍ଣ୍ଣ-ନାସା-ଗଳା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଓ ନିଶ୍ଚେତକ ବିଶେଷଜ୍ଞଙ୍କୁ ଗଠିତ ଏକ ଡାକ୍ତରୀ ଦଳ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ପିନ୍ଟିକୁ ପେଟକୁ ଆଣିବା ପରେ ସେଠାରୁ ବାହାରକୁ ବାହାର କରିଥିଲେ। ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହି ପ୍ରକ୍ରିୟାରେ କୌଣସି ଜଟିଳତା ଆସିନଥିଲା। କିମ୍ସ ଇଏନ୍ଟି ବିଶେଷଜ୍ଞ ଡା କବିକାନ୍ତ ସାମନ୍ତରାୟ, ଡା ମାନସ ରଞ୍ଜନ ରାଉତ, ଡା. ଟି ରାଜମୋହନ ରାଓ, ଡା ଦିବ୍ୟଲୋଚନ ପ୍ରହରାଜ ଓ ଡା ସ୍ନେହାଙ୍କୁ ନେଇ ଗଠିତ ଡାକ୍ତରୀ ଦଳ ଏହି ଜଟିଳ ପ୍ରକ୍ରିୟାରେ ସାମିଲ୍ ହୋଇଥିଲେ। ଏଭଳି ପ୍ରକ୍ରିୟା କରିବା ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରାଯିବା ଉଚିତ ବୋଲି ଡା ସାମନ୍ତରାୟ ପ୍ରକାଶ କରିଛନ୍ତି। କିମ୍ସରେ ଉନ୍ନତ ଏଣ୍ଡୋସ୍କୋପିକ୍ ଉପକରଣ ଥିବାରୁ ଏହା ସମ୍ଭବ ହୋଇପାରିଲା ବୋଲି ସେ କହିଛନ୍ତି । ଶିଶୁଟିର ସଫଳ ଚିକିତ୍ସା ପାଇଁ ତାର ଅଭିଭାବକ କିମ୍ସ ଓ ଏହାର ଡାକ୍ତରୀ ଦଳକୁ କୃତଜ୍ଞତା ଜଣାଇଛନ୍ତି। ଏଭଳି ସଫଳ ଅସ୍ତ୍ରୋପଚାର ପାଇଁ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ପୃକ୍ତ ଡାକ୍ତରୀ ଦଳ ଧନ୍ୟବାଦ ଜଣାଇବା ସହ ଶିଶୁର ଆରୋଗ୍ୟ କାମନା କରିଛନ୍ତି।
