ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହଯୋଗରେ ‘ନିଶି’ ପାଲଟିଛନ୍ତି ପ୍ରେରଣାର ଉତ୍ସ..

ଯୋଡ଼ା ୯/୧୧: ଅଭାବ, ଅନାଟନ ଆଉ ପ୍ରତିକୂଳ ପରିସ୍ଥିତି ଆଗରେ ବି ହାର୍ ମାନିନାହାନ୍ତି ନିଶି। ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସବୁ ପରିସ୍ଥିତିର ମୁକାବିଲା କରିବା ସହ ନିଜ ସ୍ୱପ୍ନକୁ ବି ସାକାର କରିପାରିଛନ୍ତି ସେ। ରାଜ୍ୟ ତଥା କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଥିବା କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଆଜାଦ ବସ୍ତିର ୨୪ ବର୍ଷୀୟା ନିଶି ବୋଦ୍ରା ଆଜି ପାଲଟିଛନ୍ତି ଶହ ଶହ ଝିଅଙ୍କ ପାଇଁ ପ୍ରେରଣାର ଉତ୍ସ।
ଦିନ ଥିଲା ପରିବାର ଚଳାଇବା ପାଇଁ ସେ ଅନ୍ୟ ଘରେ ବାସନ ମାଜୁଥିଲେ, ହେଲେ ଆଜି ସେ ସମୟ ନାହିଁ। ସମୟ ବଦଳିଛି, ଆଉ ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ସେ ହାଉସ୍ ହେଲ୍ପରୁ ପାଲଟି ଯାଇଛନ୍ତି ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (ଏଆଇଏଫ୍ଏଫ)ର ସ୍ୱୀକୃତିପ୍ରାପ୍ତ ଫୁଟବଲ୍ କୋଚ୍।
ଖୁବ୍ କମ ବୟସରେ ବାପାଙ୍କୁ ହରାଇବା ପରେ ନିଶି ତାଙ୍କ ସମ୍ପର୍କୀୟଙ୍କ ଘରେ ରହିବା ସହ ଘର ଚଳାଇବା ପାଇଁ ଅନ୍ୟ ଘରେ କାମ କରୁଥିଲେ। ହେଲେ ଜଣେ ଶିକ୍ଷକଙ୍କ ପରାମର୍ଶ ଯୋଗୁଁ ସେ ନିଜ ପାଠପଢ଼ା ଛାଡ଼ି ନଥିଲେ।୨୦୧୩ ମସିହାରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ସାଙ୍ଗମାନଙ୍କ ସହ ସ୍କୁଲ୍ ପଡ଼ିଆରେ ଫୁଟବଲ୍ ଖେଳିବା ଆରମ୍ଭ କରିଥିଲେ। ସେଠାରେ କୋଚ୍ ବାଦଲ ମହାକୁଡ଼ଙ୍କ ସହ ତାଙ୍କର ଭେଟ ହୋଇଥିଲା। ନିଶିଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନି କୋଚ୍ ତାଙ୍କୁ ଖେଳିବା ପାଇଁ ପ୍ରୋତ୍ସାହିତ କରିବା ସହ ଆବଶ୍ୟକ ଖେଳ ସାମଗ୍ରୀ ଯୋଗାଇ ଦେଇଥିଲେ।
ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ଏଆଇଏଫ୍ଏଫ୍ର ‘ସି’ ଲାଇସେନ୍ସପ୍ରାପ୍ତ କୋଚ୍ ବାଦଲ ଟାଟା ଷ୍ଟିଲ ଫାଉଣ୍ଡେସନ ସହ ମିଶି ୨୦୧୪ ମସିହାରୁ ଝିଅମାନଙ୍କ ପାଇଁ ଫୁଟବଲ ଟ୍ରେନିଂ ସେଣ୍ଟର ଆରମ୍ଭ କରିଥିଲେ। ମାତ୍ର ୨୫ ଜଣ ଝିଅଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଫୁଟବଲ୍ ଟ୍ରେନିଂ ସେଣ୍ଟରରେ ଆଜି କେନ୍ଦୁଝର ଓ ସୁନ୍ଦରଗଡ଼ର ପାଖାପାଖି ୧୪୦ ରୁ ଊର୍ଦ୍ଧ୍ୱ ଝିଅ ତାଲିମ୍ ନେଉଛନ୍ତି।
ନିଶିଙ୍କ ଖେଳ ଜୀବନର ଆରମ୍ଭ ସେତେ ସହଜ ନ ଥିଲା। ବରଗଡ଼ରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ନିଶିଙ୍କ ଟିମ୍ ୧୨-୦ ଗୋଲ୍ରେ ପରାଜିତ ହୋଇଥିଲା। କିନ୍ତୁ ଏହି ପରାଜୟରେ ନିରାଶ ନ ହୋଇ, ଏହାକୁ ସେ ଏକ ଶିକ୍ଷା ଭାବେ ଗ୍ରହଣ କରିଥିଲେ। ୨୦୨୨ରେ ଏସଡିସି କପ୍ ଭଳି ଅନେକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।
ଏହି ଯାତ୍ରା ସମ୍ପର୍କର୍ରେ ନିଶି କହିଛନ୍ତି, “ଆରମ୍ଭରୁ ମୁଁ ଫୁଟବଲ୍ ବିଷୟରେ ବେଶି କିଛି ଜାଣିନଥିଲି। ପ୍ରଥମ ମ୍ୟାଚ୍ରେ ଶୋଚନୀୟ ଭାବେ ହାରିବା ପରେ ବି ମୁଁ ହାର୍ ମାନିବାକୁ ଚାହିଁନଥିଲି। କୋଚ୍ଙ୍କ ସହଯୋଗ ମୋତେ ଆଗକୁ ବଢ଼ିବାକୁ ସାହସ ଦେଇଥିଲା।’
ନିଶିଙ୍କ ଭିତରେ ଥିବା ନେତୃତ୍ୱ ନେବାର ଦକ୍ଷତାକୁ ଚିହ୍ନି, କୋଚ୍ ବାଦଲ ତାଙ୍କୁ କୋଚିଂକୁ ଏକ ପେଶା ଭାବେ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ। ଶେଷରେ ନିଶି ଘରକାମ ଛାଡ଼ି ସମ୍ପୂର୍ଣ୍ଣ ଭାବେ ଫୁଟବଲ୍କୁ ଆପଣେଇ ନେଇଥିଲେ। ଟିଏସ୍ଏଫ୍ର ପ୍ରତ୍ୟକ୍ଷ ସହଯୋଗରେ ନିଶି ଏଆଇଏଫ୍ଏଫ୍ର “ଇ’ ଲାଇସେନ୍ସ ଏବଂ ପରେ “ଡି’ ଲାଇସେନ୍ସ ହାସଲ କରିଛନ୍ତି।
ଏବେ ନିଶି ଯୋଡ଼ା ଅଞ୍ଚଳରେ ୧୦ ବର୍ଷରୁ କମ୍ ୧୦ ବୟସର ଶିଶୁମାନଙ୍କୁ ସପ୍ତାହକୁ ୫ ଦିନ ଫୁଟବଲ୍ ତାଲିମ୍ ଦେଉଛନ୍ତି। ଏ ସମ୍ପର୍କରେ ନିଶି କୁହନ୍ତି, ପ୍ରଥମେ ମୋର କେବଳ ଖେଳିବାକୁ ଇଚ୍ଛା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ଅନୁଭବ କଲି ଯେ, କୋଚିଂ ଜରିଆରେ ମୋ ଭଳି ଅନେକ ଝିଅଙ୍କୁ ଶିଖିବା, ଆଗକୁ ବଢ଼ିବା ଏବଂ ଜୀବନରେ ସଫଳ ହେବାରେ ମୁଁ ସାହାଯ୍ୟ କରିପାରିବି। ନିଜ ପାଖରେ ତାଲିମ୍ ନେଉଥିବା ସାନ ସାନ ପିଲାମାନଙ୍କଠାରୁ ଆଦରରେ “ମ୍ୟାଡମ୍’ ସମ୍ବୋଧନ ପାଉଥିବା ନିଶି, ଫୁଟବଲ୍ ମାଧ୍ୟମରେ ଏକ ସମ୍ମାନଜନକ ଜୀବିକା ପାଇପାରିଛନ୍ତି। ଏହି ବାବଦରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ଆସିଷ୍ଟାଣ୍ଟ ମ୍ୟାନେଜର, ସ୍ପୋର୍ଟସ୍, ଚିନ୍ମୟ ବୋରା କହିଛନ୍ତି, “ନିଶିଙ୍କ ଏହି ସଫଳତା ପ୍ରମାଣିତ କରୁଛି ଯେ, ଝିଅମାନଙ୍କୁ ସଠିକ୍ ସୁଯୋଗ ଓ ମାର୍ଗଦର୍ଶନ ମିଳିଲେ ସେମାନେ ନିଜ ଭବିଷ୍ୟତ ନିଜେ ଗଢ଼ିପାରିବେ।’ ଆଜି ନିଶି ବୋଦ୍ରା କେବଳ ନିଜ ପାଇଁ ନୁହେଁ, ବରଂ ଗ୍ରାମାଞ୍ଚଳର ଶହ ଶହ ଝିଅଙ୍କ ମନରେ ନିଜ ପାଦରେ ଛିଡ଼ା ହେବାର ଓ ସ୍ୱପ୍ନ ଦେଖିବାର ଆଶାକୁ ଉଜାଗର କରିପାରିଛନ୍ତି।
