ଅସ୍ତଝରଣରେ କ୍ରାନ୍ତିବୀର ଧରତୀ ଆବା ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ ପାଳିତ..

0
Untitled

ବଡ଼ସାହି, ୧୭/୧୧(ପ୍ରବାହ ନ୍ୟୁଜ) : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ନାଉପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅସ୍ତଝରଣ ବିର୍ସା ମୁଣ୍ଡା ଛକଠାରେ କ୍ରାନ୍ତିବୀର ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ-୨୦୨୬ ଶ୍ରଦ୍ଧା, ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ମା’ ଚିନ୍ତାମଣୀ ଆଦିବାସୀ ଯୁବକ ସଂଘ ପକ୍ଷରୁ ଏହି ଜୟନ୍ତୀ ସମାରୋହ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିଳାମ୍ବର ସିଂ (ଠାକୁର) ଓ ସଂଘର ସକ୍ରିୟ ସଦସ୍ୟମାନେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମୁଣ୍ଡାରୀ ରୀତି ନୀତି ଅନୁସାରେ ପୂଜା ଅର୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ କରି ମହାନ ଜନନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି ଅବସରରେ ମୁଣ୍ଡାରୀ ଭାଷା ସମନ୍ୱୟ ସମିତିର ବଡ଼ସାହି ବ୍ଲକ ଆବାହକ ବୈଦ୍ୟନାଥ ନାଥ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ୨୨ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଦଶରଥ ସିଂ ମୁଖ୍ୟବକ୍ତା ଏବଂ ବହୁଭାଷୀ ଶିକ୍ଷୟିତ୍ରୀ ମୁଗୁନିମଣି ସିଂ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ।

ଅତିଥିମାନେ ନିଜ ବକ୍ତବ୍ୟରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନ ସଂଘର୍ଷ, ତାଙ୍କର ଅଦମ୍ୟ ସାହସ, ବ୍ରିଟିଶ ଶାସନ ବିରୋଧୀ ଐତିହାସିକ ଉଲଗୁଲାନ ଆନ୍ଦୋଳନ ଏବଂ ଆଦିବାସୀ ସମାଜର ଜଳ, ଜଙ୍ଗଲ ଓ ଜମିର ଅଧିକାର ପାଇଁ ତାଙ୍କର ସଂଘର୍ଷ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହିତ ଆଦିବାସୀ ସମାଜରେ ଶିକ୍ଷାର ପ୍ରସାର, ସାମାଜିକ ସଚେତନତା, ସଂଗଠନ ଓ ସାଂସ୍କୃତିକ ପରିଚୟର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ବିର୍ସା ମୁଣ୍ଡାଙ୍କ ଆଦର୍ଶ ଓ ବଳିଦାନ ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ସଭା ପରିଚାଳନା ଯୁବନେତା ଶୁକୁରା ସିଂ ଓ ଯୁବ ପ୍ରତିଭା ଗୌରାଙ୍ଗ ଚରଣ ସିଂ କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଗ୍ରାମବାସୀଙ୍କ ପକ୍ଷରୁ ପାରମ୍ପରିକ ମୁଣ୍ଡାରୀ ଆଦିବାସୀ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହା ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ଓ ଉତ୍ସାହ ସୃଷ୍ଟି କରିଥିଲା।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସଂଘର ସଦସ୍ୟ ବିଶ୍ୱନାଥ ସିଂ, ଛୋଟରାୟ ସିଂ, ଗୁରା ସିଂ,ସୁନ୍ଦର ମୋହନ ସିଂ, ଛବିରାଣି ସିଂ, ବଜି ସିଂ, ରଇଦାସ ସିଂ, ପୃଥିରାଜ ସିଂ, ଡାକ୍ତର ସିଂ, ଚୁଡୁରାମ ସିଂ, ସୁରେନ୍ଦ୍ର ସିଂ, ଶୁକୁରାମ, ଧର୍ମରାଜ ସିଂ, ବାଉଳା ସିଂ, ମଧୁ ସିଂ, ଶଙ୍କର ସିଂ, ବୀର ସିଂ, ଦସ ସିଂ, ଜାମାଦାର ସିଂ, କାଳିଆ ସିଂ, ଟିକିନା ସିଂ, ନକିଆ ସିଂ, ଠାକୁର ସିଂ, ଆକାଶ ସିଂ, ସାହେବା ସିଂ ଓ ଚୌଧୁରୀ ସିଂଙ୍କ ସମେତ ଅନ୍ୟ ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରିଥିଲେ।i

Leave a Reply

Your email address will not be published. Required fields are marked *