କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲର ୧୨ତମ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ଉଦଘାଟିତ..

0
Untitled

ଭୁବନେଶ୍ୱର, ୨୧ ।୧୧: କିଟ ଇଣ୍ଟରନ୍ୟାସନାଲ ସ୍କୁଲର ବହୁ ପ୍ରତୀକ୍ଷିତ ୧୨ତମ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ୨୦୨୬ ଶନିବାର ଉଦ୍‍ଘାଟିତ ହୋଇଯାଇଛି । ମୁଖ୍ୟଅତିଥିଭାବେ ଯୋଗଦେଇ ଭୁବନେଶ୍ୱର ସାଂସଦ  ଅପରଜିତା ଷଡ଼ଙ୍ଗୀ କହିଲେ, ଛାତ୍ରଛାତ୍ରୀଙ୍କ ପାଇଁ  ସେମାନଙ୍କ ଅନ୍ତର୍ନିହିତ ମେଧାର ଆବିଷ୍କାର ନିମନ୍ତେ ଏହା ଏକ ଉତ୍ତମ ପ୍ଲାଟଫର୍ମ । ଏକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ସାହିତ୍ୟ ମହୋତ୍ସବ ଆୟୋଜନ କରିବା ବେଶ୍‍ ପ୍ରଶଂସନୀୟ ଓ ଅନନ୍ୟ ବୋଲି ସେ କହିଥିଲେ । ସାହିତ୍ୟ ଓ ସର୍ଜନା କ୍ଷେତ୍ରରେ ସାରା ବିଶ୍ୱରେ ଅନେକ ଉଦୀୟମାନ ପ୍ରତିଭା ରହିଛନ୍ତି । କିନ୍ତୁ ଏ କ୍ଷେତ୍ରରେ ଭାରତର ପ୍ରତିଭାମାନେ ଶୀର୍ଷରେ ରହିବେ । ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଥିଲେ, ତୁମେମାନେ ଯେତେ ପାରୁଛ ସେତେ ପଢ । କବିତା, ଉପନ୍ୟାସ, ଗଳ୍ପ ଆଦି ଯାହା ବି ହେଉ ପଢ । ଏହା ତୁମ ଭିତରେ ଲୁକ୍କାୟିତ ହୋଇ ରହିଥିବା ପ୍ରତିଭା ଆବିସ୍କାରରେ ସହାୟକ ହେବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ । ଶିଶୁ ସାହିତ୍ୟ ମହୋତ୍ସବ ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟତମ ଅତିଥିଭାବେ ଯୋଗଦେଇ କିଟ୍‍ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ହେଉଛି ସ୍ୱତନ୍ତ୍ର ଓ ନିଆରା ।

ଏହାକୁ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ କ୍ରମାଗତଭାବେ ୨୦୧୦ ମସିହାରୁ କ୍ରମାଗତଭାବେ ଆୟୋଜନ କରିଆସୁଛି । ଇଣ୍ଟରନେଟ୍‍ ଓ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍‍ସ ଯୁଗରେ ଏଭଳି ମହୋତ୍ସବ ଓ ସମାବେଶର ଆବଶ୍ୟକତା ସବୁଠାରୁ ଅଧିକ ବୋଲି ଶ୍ରୀ ସାମନ୍ତ କହିଥିଲେ । ପ୍ରତ୍ୟେକ ପିଲା ଗୋଟିଏମାତ୍ର ଚିନ୍ତାଧାରା ନେଇ ଏହି ମହୋତ୍ସବକୁ ଆସିଛି । କିନ୍ତୁ ସେମାନେ ଏଠାରୁ ଫେରିଲାବେଳେ ନିଜ ସହ ଅନେକ ଚିନ୍ତାଧାରା ନେଇ ଫେରିବ । ଏହା ସେମାନଙ୍କ ଚିନ୍ତାଧାରା ଓ ଜ୍ଞାନକୁ ସମୃଦ୍ଧ କରିଥାଏ । ଏହା ହେଉଛି ଏଭଳି ଆୟୋଜନର ସୁଫଳ ବୋଲି ସେ କହିଥିଲେ । କାରଣ ଆଜିର ଦୁନିଆରେ ଯେତେ ଅଧିକ ଆଲୋଚନା ଓ ପରସ୍ପର କଥାବାର୍ତ୍ତା ହେବ ତୁମମାନଙ୍କର ଜ୍ଞାନର ପରିସୀମା ସେତେ ଅଧିକ ବଢିବ ବୋଲି ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ବିଶିଷ୍ଟ ଲେଖକ ଓ ପ୍ରାକ୍ତନ କୂଟନୀତିଜ୍ଞ ଅମିସ ତ୍ରିପାଠୀ ଓ ଲେଖକ ସକ୍ଷମ ଗର୍ଗ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସ୍କୁଲ୍‍ର ଚେୟାରପର୍ସନ ଡ. ମୋନାଲିସା ବଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ପକ୍ଷରୁ ପ୍ରକାଶିତ ପତ୍ରିକା କ୍ଲାଉଡ୍‍ ନାଇନ୍‍ ଉନ୍ମୋଚିତ ହୋଇଥିଲା ।

Leave a Reply

Your email address will not be published. Required fields are marked *