କିସ୍‍ ବିଶ୍ୱବିଦ୍ୟାଳୟର ଷଷ୍ଠ ବାର୍ଷିକ ସମାବର୍ତ୍ତନଜିଜ୍ଞାସୁ ହୁଅ, ସମାଜ ବିକାଶରେ ଅର୍ଥପୂର୍ଣ୍ଣ ଅବଦାନ ରଖ: ଆଇସିଜେ ପ୍ରେସିଡେଣ୍ଟ

0
Untitled

ଭୁବନେଶ୍ୱର, ୧୩ ।୧୧: କିସ୍‍ ବିଶ୍ୱବିଦ୍ୟାଳୟର ଷଷ୍ଠ ବାର୍ଷିକ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜସେବା, ଶିକ୍ଷା, ନ୍ୟାୟ ଓ ମହିଳାସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି । ଇଣ୍ଟରନ୍ୟାସ୍‍ନାଲ୍‍ କୋର୍ଟ ଅଫ୍‍ ଜଷ୍ଟିସ୍‍ (ଆଇସିଜେ)ର ପ୍ରେସିଡେଣ୍ଟ ଜଜ୍‍ ଇୱାସାୱା ୟୁଜି, ଆଇସିଜେର ଜଜ୍‍ ବୋଗଦାନ-ଲୁସିଆନ୍ ଆଉରେସ୍କୁ ଓ ଲିଓନାର୍ଡୋ ନେମର କାଲଡେଇରା ବ୍ରାଣ୍ଟ, ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା ରାହତକର, ଉତ୍ତରପ୍ରଦେଶସ୍ଥିତ ପଣ୍ଡିତ ରାମ ନାରାୟଣ ଶର୍ମା ଏଜୁକେସନାଲ୍ ଟ୍ରଷ୍ଟ ଓ ଆରଏନ୍‌ଏସ୍ ୱାର୍ଲ୍ଡ ସ୍କୁଲ୍‌ର ଅଧ୍ୟକ୍ଷା ଡ. ଅନୁରାଧା ଶର୍ମା (ମାତାଜୀ) ଏବଂ କଟକସ୍ଥିତ ଜୟଭାରତ ଫାଉଣ୍ଡେସନ୍ ଓ ଭାରତ ମସଲାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା ।


ଏହି ଅବସରରେ ଆଇସିଜେର ପ୍ରେସିଡେଣ୍ଟ ଜଜ୍‍ ଇୱାସାୱା ୟୁଜିଙ୍କୁ ୨୦୨୪ ବର୍ଷ ପାଇଁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯାଇଥିଲା । ଶିକ୍ଷା ଓ ଆଇନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷଙ୍କ ଉପସ୍ଥିତିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।କିସ୍‌ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ମୁଖ୍ୟ ଅତିଥି ଜଜ୍‍ ଇୱାସାୱା ଡିଗ୍ରୀଧାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଛାତ୍ରଛାତ୍ରୀମାନେ ସର୍ବଦା ଜିଜ୍ଞାସୁ ରହିବା ସହ ନିଜ ସମାଜ ଓ ସମୁଦାୟର ବିକାଶରେ ଅର୍ଥପୂର୍ଣ୍ଣ ଅବଦାନ ରଖିବାକୁ ସେ ଆହ୍ୱାନ ଦେଇଥିଲେ । ଜୀବନର ଅନିଶ୍ଚିତତାକୁ ଭୟ ନକରି ଆତ୍ମବିଶ୍ୱାସର ସହ ତାହାର ସମ୍ମୁଖୀନ ହେବାକୁ ସେ ପରାମର୍ଶ ଦେଇଥିଲେ ।  ଡିଗ୍ରୀ ହାସଲ କରିବା ଶିକ୍ଷାର ପରିସମାପ୍ତି ନୁହେଁ, ବରଂ ଏହା ଆଜୀବନ ଶିକ୍ଷା ଗ୍ରହଣର ଏକ ନୂତନ ଯାତ୍ରାର ଆରମ୍ଭ ବୋଲି ସେ କହିଥିଲେ । ନିଜ ଅଭିଜ୍ଞତାର ଉଦାହରଣ ଦେଇ ସେ କହିଲେ, ଜଣେ ବ୍ୟକ୍ତିର ସଫଳତା ପଛରେ ପରିବାର, ଶିକ୍ଷକ ଓ ବନ୍ଧୁମାନଙ୍କ ଅବଦାନ ରହିଥାଏ । ନିଜ ଜ୍ଞାନ ଓ ପ୍ରତିଭାକୁ କେବଳ ବ୍ୟକ୍ତିଗତ ସଫଳତାରେ ସୀମିତ ନରଖି ବୃହତ୍ତର ସମାଜର ହିତ ସାଧନରେ ବିନିଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଲୁସିଆନ୍ ଆଉରେସ୍କୁ କହିଲେ, ଶିକ୍ଷାଦାନ ହେଉଛି ସମାଜସେବାର ସବୁଠାରୁ ବଡ଼ ଓ ସୁନ୍ଦର ମାଧ୍ୟମ । ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେ, ସବୁବେଳେ ନିଜ ବୃତ୍ତିରେ ଆନନ୍ଦ ରୁହ । ଏହା ତୁମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ । କିସ୍‍ ହେଉଛି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ଉତ୍କର୍ଷ ଶିକ୍ଷା ଓ ସାମାଜିକ ପରିବର୍ତ୍ତନରେ କିଟ୍‍ ଓ କିସ୍‍ ପ୍ରତିବଦ୍ଧତା ସ୍ୱତନ୍ତ୍ର ଓ ଅନୁକରଣୀୟ ବୋଲି ସେ କହିଥିଲେ ।


ଅନ୍ୟତମ ଅତିଥି ଶ୍ରୀମତୀ ରାହତକର କହିଲେ, ସନ୍ଥକବି ଭୀମଭୋଇଙ୍କ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ଉକ୍ତିର ଯଥାର୍ଥ ପ୍ରତିଫଳନ କିସ୍‍ରେ ହୋଇଛି । ଛାତ୍ରଛାତ୍ରୀଙ୍କୁ ସେ କହିଲେ, ତୁମେମାନେ ଜୀବନରେ ଯେଉଁଠି ଥିଲେ ମଧ୍ୟ ନିଜ ପରିବାର, ସମାଜ, ରାଜ୍ୟ ଓ ଦେଶ ପ୍ରତି ନିଜର ଦାୟିତ୍ୱବୋଧକୁ ସବୁବେଳେ ଗୁରୁତ୍ୱ ଦେଉଥିବ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମାତାଜୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହା ତୁମ ପାଇଁ ଶ୍ରେଷ୍ଠ ଗୁରୁଦକ୍ଷିଣା ହେବ ବୋଲି ସେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ମୋଟ ୪୪୩ଜଣ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଓ ୨୬ ପିଏଚ୍‍ଡିଧାରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ସର୍ବଶ୍ରେଷ୍ଠ ଛାତ୍ର ଭାବେ ଇଙ୍କେତେଶ୍ୱର କନ୍ଦଗରିଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ୭ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ ଓ ୭ଜଣଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  କିସ ସମ୍ପାଦକ ଆର ଏନ ଦାଶ, କିଟ ସମ୍ପାଦକ ମନୋରଞ୍ଜନ ପ୍ରଧାନ, କିସ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, ଉପକୁଳାଧିପତି ପ୍ରଫେସର ଦୀପକ ବେହେରା, କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *