ଗୋଳାବନ୍ଧରେ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

0
Untitled

ବ୍ରହ୍ମପୁର ତା ୨୭/୮ (ନିପ୍ର) ଗଞ୍ଜାମ ଜିଲ୍ଲା ଗୋଳାବନ୍ଧ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଦୀର୍ଘ ବର୍ଷର ଅପେକ୍ଷା ଓ ସଂଘର୍ଷ ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ  ୧,୩୭୧ଟି  ପରିବାରଙ୍କ ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ  ପ୍ୟାକେଜ୍ ଘୋଷଣା କରିଥିଲେ । ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଭାବ ବିହ୍ୱଳ ପରିବେଶ ମଧ୍ୟରେ ସ୍ୱାଗତ ଜଣାଇ ଶୁଭାରମ୍ଭ କରିଛନ୍ତି।  ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ୧୧୨ଟି ପରିବାରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ଟି ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ବଣ୍ଟନ କରିଥିବା  ମତପ୍ରକାଶ ପ୍ରକାଶ କରିଛନ୍ତି । ଏହି 

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୋଳାବନ୍ଧର ଅଧିବାସୀଙ୍କ  ସଂଘର୍ଷ ଓ ତ୍ୟାଗ ଅସୀମ। ୧୯୮୪ ମସିହାରେ ଆର୍ମୀ ଏୟାର ଡିଫେନ୍ସ କଲେଜ ପାଇଁ ଜମି ହସ୍ତାନ୍ତର ପରଠାରୁ ଦୀର୍ଘ ୪ ଦଶନ୍ଧି ଧରି ଅଣଦେଖା ହୋଇ ରହିଥିବା ଏହି ସମସ୍ୟାର ଆମ ସରକାର ସ୍ଥାୟୀ ସମାଧାନ କରିଛନ୍ତି। ବିଗତ ୨୪ ବର୍ଷର ଶାସନ କାଳରେ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ନେତୃତ୍ୱ ନୋଳିଆ ପରିବାରଙ୍କ ସ୍ୱରକୁ ଚାପି ରଖିଥିବା ବେଳେ, ‘ଡବଲ ଇଞ୍ଜିନ’ ସରକାର ଆସିବା ପରେ ଏହି ସମସ୍ୟାକୁ ପ୍ରାଥମିକତା ଦିଆଯାଇଛି। ସୂଚନା ଯୋଗ୍ୟଯେ ଘୋଷିତ ସ୍ୱତନ୍ତ୍ର ପ୍ୟାକେଜ୍ ଅଧୀନରେ ୧,୩୭୧ଟି ଯୋଗ୍ୟ ପରିବାରକୁ ଆର୍ଥିକ ସ୍ୱାବଲମ୍ବନ ପାଇଁ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ମୋଟ ୬୮.୫୫ କୋଟି ଟଙ୍କାର ଏକକାଳୀନ କ୍ଷତିପୂରଣ ଡି,ବି,ଟି, ମାଧ୍ୟମରେ ପ୍ରଦାନ କରାଯାଉଛି। ଘର ନିର୍ମାଣ ସହାୟତା ବାବଦରେ ୪ କୋଟି ୨୫ ଲକ୍ଷ ୧୦ ହଜାର ଟଙ୍କା ଆବଣ୍ଟନ କରାଯାଇଛି, ଯେଉଁଥିରେ ୯୯୮ଟି ଅସମ୍ପୂର୍ଣ୍ଣ ଗୃହକୁ ସମ୍ପୂର୍ଣ୍ଣ କରାଯିବା ସହ ୧୦ଟି ନୂତନ ଘର ନିର୍ମାଣ ହେବ। ଏହା ବ୍ୟତୀତ ନୂଆ କୀର୍ତ୍ତିପୁର କଲୋନୀର ରାସ୍ତା, ଷ୍ଟ୍ରିଟ୍ ଲାଇଟ୍, ଅଙ୍ଗନବାଡ଼ି, ମାର୍କେଟ କମ୍ପ୍ଲେକ୍ସ, ପବ୍ଲିକ୍ ଟଏଲେଟ୍, ବାତ୍ୟା ଆଶ୍ରୟସ୍ଥଳୀ ଓ ମାଛଧରା ଡଙ୍ଗା ରଖିବା ପାଇଁ ବେଳାଭୂମି ସମତୁଲକରଣ ଭଳି ଭିତ୍ତିଭୂମି ବିକାଶ ପାଇଁ ୨.୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଯାଇଛି।ସେହିପରି ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ଦିଗପହଣ୍ଡିର ସାନ୍ତରାପୁର ଠାରେ ଥଇଥାନ କରାଯାଇ ୧୧୨ ପରିବାରକୁ ୧୦ ଡିସିମିଲ୍ ଘରବାରି  ଓ ୨ ଏକର ଲେଖାଏଁ ଚାଷଜମି ଯୋଗାଇ ଦିଆଯାଉଛି। ଆଜି ଏମାନଙ୍କ ମଧ୍ୟରୁ ୯୬ ପରିବାରକୁ ପଟ୍ଟା ଦିଆଗଲା। ଅନ୍ୟ ସମସ୍ତଙ୍କୁ ଖୁବ୍ ଶିଘ୍ର ପଟ୍ଟା ଦିଆଯିବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ଛେଳିଗଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬ ହଜାର ହେକ୍ଟରରୁ ଅଧିକ ଜମି ଜଳସେଚିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଗଞ୍ଜାମ ଜିଲ୍ଲାର ସାମଗ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ବ୍ଲୁ-ଇକୋନୋମି, ଅର୍ଜିପଲ୍ଲୀ ଫିସିଙ୍ଗ ବନ୍ଦର ନବୀକରଣ, ୨୮ଟି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର, ଗୋପାଳପୁର ବନ୍ଦର ସମ୍ପ୍ରସାରଣ ଏବଂ ବାହୁଦା ଠାରେ ୨୧,୫୦୦ କୋଟି ଟଙ୍କାର ନୂତନ ବୃହତ୍ ବନ୍ଦର ନିର୍ମାଣ ଯୋଜନା ବିଷୟରେ ସୂଚନା ଦେଇଛନ୍ତି। ଗୋପାଳପୁର ଶିଳ୍ପ ପାର୍କରେ ୪୦ ହଜାର କୋଟିରୁ ଅଧିକ ନିବେଶ ମାଧ୍ୟମରେ ୧୮ ହଜାରରୁ ଊର୍ଦ୍ଧ୍ୱ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ରାଜ୍ୟରେ ଆଗାମୀ ଦୁଇ ବର୍ଷରେ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଥିବାରୁ ଯୁବଗୋଷ୍ଠୀଙ୍କୁ ନିଜକୁ ଦକ୍ଷ ଓ ପ୍ରଶିକ୍ଷିତ କରିବାକୁ ସେ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବିରୋଧୀମାନେ ଦୀର୍ଘ ୨୪ ବର୍ଷ ଧରି ଗଞ୍ଜାମକୁ ନିଜର ଅଭେଦ୍ୟ ଦୁର୍ଗ ଭାବି କେବଳ ରାଜନୀତି କରିଛନ୍ତି, କିନ୍ତୁ ବିସ୍ଥାପିତଙ୍କ ଦୁଃଖ ବୁଝିନାହାନ୍ତି। ଏହି ଜିଲ୍ଲା ରାଜ୍ୟକୁ ୫ ଥର ମୁଖ୍ୟମନ୍ତ୍ରୀ ଦେଇଥିଲେ ସୁଦ୍ଧା ଗରିବ ନୋଳିଆଙ୍କ ସ୍ୱର କ୍ଷମତାର ଅଳିନ୍ଦ ପାଖରେ ପହଞ୍ଚିପାରି ନଥିଲା। ବର୍ଷ ବର୍ଷ ଧରି ଫାଇଲ୍ ତଳେ ଗୋଳାବନ୍ଧର ଭବିଷ୍ୟତ ଚାପି ହୋଇରହିଥିଲା। କିନ୍ତୁ ଆମ ‘ଡବଲ ଇଞ୍ଜିନ’ ସରକାର କେବଳ ଭାଷଣ କିମ୍ବା ପ୍ରତିଶ୍ରୁତି ନଦେଇ, ପ୍ରତ୍ୟେକ ବିସ୍ଥାପିତ ପରିବାରକୁ ସ୍ଥାୟୀ ଓ ସୁରକ୍ଷିତ ଅଧିକାର ଦେବାକୁ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ନିଜ ଅଭିଭାଷଣରେ କହିଥିଲେ ଯେ, ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଦୀର୍ଘ ବର୍ଷ ଧରି ଅଟକି ରହିଥିବା ଏହି ପୁନର୍ବାସ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ଧ୍ୟାନ ଦେଇଛି। ଗୋଳାବନ୍ଧ ଓ ଛେଳିଗଡ଼ର ବିସ୍ଥାପିତଙ୍କୁ ଯଥାଶୀଘ୍ର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଏବଂ ଜମି ପଟ୍ଟା ପ୍ରଦାନ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ ସହ୍ୟ କରାଯିବ ନାହିଁ।

ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୁଷଣ ଜେନା ପ୍ରକାଶ କରିଥିଲେ ଯେ, ଗୋପାଳପୁର ଶିଳ୍ପ ପାର୍କରେ ୧୪ଟି ପ୍ରକଳ୍ପ ମାଧ୍ୟମରେ ୪୦ ହଜାର କୋଟିରୁ ଅଧିକ ଟଙ୍କାର ନିବେଶ ହେବାକୁ ଯାଉଛି, ଯାହା ୧୮ ହଜାରରୁ ଊର୍ଦ୍ଧ୍ୱ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ବାହୁଦାଠାରେ ୨୧,୫୦୦ କୋଟି ଟଙ୍କାରେ ମେଗା ବନ୍ଦର ନିର୍ମାଣ ଗଞ୍ଜାମର ବାଣିଜ୍ୟିକ ନକ୍ସାକୁ ବଦଳାଇ ଦେବ। ସେହିପରି , ଏମ,ଏସ୍,ଏମ୍,ଇ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ଅର୍ଜିପଲ୍ଲୀ ଫିସିଙ୍ଗ ବନ୍ଦରର ନବୀକରଣ ସହ ୨୮ଟି ନୂତନ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ପ୍ରତିଷ୍ଠା କରାଯାଉଛି।

ଏମ,ଏସ୍,ଏମ୍,ଇ ମାଧ୍ୟମରେ ସ୍ଥାନୀୟ ମହିଳା ଓ ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବାକୁ ନୂତନ ଯୋଜନା କାର୍ଯ୍ୟକାରୀ ହେଉଛି।ଏହି ଆୟୋଜିତ ସମାରୋହରେ ଆସିକା ସାଂସଦ ଶ୍ରୀମତୀ ଅନୀତା ସୁଭଦର୍ଶିନୀ, ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ପାଢ଼ୀ, ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା, ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ କେ. ଅନିଲ କୁମାର, ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଧ୍ୟାନ ସାମନ୍ତରା, ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ, ପାରଳାଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ଓ ଦକ୍ଷିଣାଞ୍ଚଳ ରାଜସ୍ୱ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତି ଭାସନ୍ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *