ଦେବପ୍ରିୟ ଚକ୍ରଙ୍କ ‘ଜନଜାତି ବିବରଣ’ ପୁସ୍ତକ ଲୋକାର୍ପିତ

0
Untitled

ମୟୂରଭଞ୍ଜ  ସଦର ମହକୁମା ବାରିପଦା ସ୍ଥିତ ବାଙ୍କିଶୋଳ

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ପରିସରରେ ଜଣାଶୁଣା ଯୁବ ଲେଖକ ତଥା ଅଧ୍ୟାପକ ଡ. ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରଙ୍କ ବିବିଧ ଜନଜାତି ସମ୍ପର୍କିତ ନୂଆ ଗବେଷଣା ପୁସ୍ତକ’ ଜନଜାତି ବିବରଣ’ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ସାହିତ୍ୟିକା ତଥା ଶିକ୍ଷାବିଦ ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେଶ୍ରା ଯୋଗଦେଇ ପୁସ୍ତକର ଲୋକାର୍ପଣ କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ ଆଦିବାସୀଙ୍କ ସମ୍ପର୍କରେ ଜଣେ ଅଣଆଦିବାସୀଙ୍କର ମୁଗ୍ଧଦୃଷ୍ଟି ଓ ଅନ୍ତରଙ୍ଗ ପଣ ନ ରହିଲେ ଏଭଳି ବିମର୍ଶ ଗ୍ରନ୍ଥ ପ୍ରକାଶନ ସମ୍ଭବ ନୁହେଁ। ଜନଜାତି ସମ୍ପ୍ରଦାୟ ପକ୍ଷରୁ ଲେଖକଙ୍କୁ ଯେତେ ବଧେଇ ଜଣାଇଲେ କମ ପଡ଼ିବ। ମୁଖ୍ୟବକ୍ତା ଭାବେ ଏମ. ପି. ସି ସ୍ୱୟଂ ଶାସିତ କଲେଜର ଅଧକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା ଯୋଗ ଦେଇ ନିଜ ବକ୍ତବ୍ୟରେ କିସ ଅନୁଷ୍ଠାନର ବ୍ୟବସ୍ଥାକୁ ପ୍ରଶଂସା କରିବା ସହିତ ସୃଜନଶୀଳତାରେ ତଲ୍ଲୀନତା ଓ ଆବେଗ ପ୍ରବଣତା ନ ରହିଲେ ଏଭଳି ଭିନ୍ନ ଧରଣର ପୁସ୍ତକ ରଚନା ସମ୍ଭବ ନୁହେଁ ବୋଲି କହିଥିଲେ। ଜନଜାତି ବିବରଣର ତଥ୍ୟ ଓ ପ୍ରସଙ୍ଗ ଏହା ସୂଚାଉଛି ଯେ ଲେଖକ ଜନଜାତିଙ୍କ ପ୍ରତି କେତେ ଅନ୍ତରଙ୍ଗ ଓ ଯତ୍ନଶୀଳ ଥିଲେ। ସମ୍ମାନିତ ଅତିଥି ଭାବେ କିସର ଜନ ସମ୍ପର୍କ ଅଧିକାରୀ ସତ୍ୟଜିତ ସୋମ ଓ କିସର ଅତିରିକ୍ତ ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ରାୟ ଯୋଗ ଦେଇ ଲେଖକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବ ବୋଲି କହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କିସ ବାରିପଦା ଶାଖାର ଅଧ୍ୟକ୍ଷ ଶ୍ରୀଗଣେଶ ମିଶ୍ର ସ୍ୱାଗତ ଅଭିଭାଷଣ ରଖିବା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ପୁସ୍ତକର ଲୋକାର୍ପଣ ଅବସରରେ ଲେଖକ ଡ. ଚକ୍ର ନିଜ ଲେଖକୀୟ ଅଭିବ୍ୟକ୍ତିରେ ମୟୂରଭଞ୍ଜରେ ଦୀର୍ଘ ନଅ ବର୍ଷ ଧରି ଜନଜାତିଙ୍କ ସମ୍ପର୍କରେ ଅନୁସନ୍ଧିତ୍ସା ଓ ଅନ୍ତରଙ୍ଗତାର ଫଳଶ୍ରୁତି ହେଉଛି ଜନଜାତି ବିବରଣ ପୁସ୍ତକର ବୋଲି କହିଥିଲେ। ଏମ.ଏସ.ବି. ୟୁ ର ଗବେଷକ ଶ୍ରୀ ତୋଷବନ୍ତ ମେହେର ମଞ୍ଚ ସଂଚାଳନ କରିଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟନରେ ଚକ୍ରଧର ମହାନ୍ତ, ଜୟନ୍ତୀ ଭାଉଁରିଆ, ଅଭିରାମ ସୋରେନ, ଭୂପତି ଶିଙ୍କୁ, ବିଷ୍ଣୁପ୍ରିୟା ନାଏକ, ମନୀଷା ଦତ୍ତ, ସ୍ମିତା ନିବେଦିତା ଧଳ, ଉଦୟ ମାରାଣ୍ଡି, ସୁରେନ୍ଦ୍ର ମୁର୍ମୁ, ଇତିଶ୍ରୀ ଦାସ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ କିସ ବିଦ୍ୟାଳୟର ଏକ ହଜାର ଛାତ୍ରୀ, ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଏମ. ଏସ. ସି. ବି ୟୁର ଗବେଷିକା ରୁକ୍ମଣୀ ହେମ୍ବ୍ରମ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଜନଜାତି ବିବରଣ ପୁସ୍ତକକୁ ଭୁବନେଶ୍ୱର ସ୍ଥିତ ଡ଼ଟ ବୁକ୍ସ ପ୍ରକାଶନୀ ସଂସ୍ଥା ପ୍ରକାଶ କରିଛନ୍ତି। ଏଥିରେ ସାନ୍ତାଳ, ପାହାଡି ଖଡିଆ, ବାଥୁଡି, ଭୂମିଜ, ଜୁଆଙ୍ଗ, ପାଉଡି ଭୂୟାଁ, କନ୍ଧ ଓ ହୋ ଜନଜାତିର ସାମାଜିକ ଓ ସାଂସ୍କୃତିକ ଜୀବନକୁ ନେଇ ଚଉଦଟି ଆଲେଖ୍ୟ ରହିଛି।

Leave a Reply

Your email address will not be published. Required fields are marked *