ଟିପିଡବ୍ଲୁଓଡିଏଲ ପକ୍ଷରୁ ପ୍ରଥମ ‘ସୋଲାର ଦିଦି’ ପ୍ରଶିକ୍ଷଣ ବ୍ୟାଚର ଶୁଭାରମ୍ଭ

ବୁର୍ଲା, ୧୭ ଜୁଲାଇ: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍)ର ସମ୍ବଲପୁର ଗୋଶାଳାସ୍ଥିତ ଟାଟା ପାୱାର ସ୍କିଲ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ (TPSDI)ଠାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଅନ୍ତର୍ଗତ ‘ସୋଲାର ଦିଦି’ କାର୍ଯ୍ୟକ୍ରମର ପ୍ରଥମ ପ୍ରଶିକ୍ଷଣ ବ୍ୟାଚର ଶୁଭାରମ୍ଭ ହୋଇଯାଇଅଛି । ଏହି ନଅ ଦିନିଆ ପ୍ରଶିକ୍ଷଣ ଶିବିରଟି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାର ସଫଳ କାର୍ଯ୍ୟକାରିତା ସହ ମହିଳାମାନଙ୍କ ପାଇଁ ନୂତନ ଜୀବିକାର ସୁଯୋଗ ସୃଷ୍ଟି କରିବ ।
ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ମହାନଗର ନିଗମ (ଏସଏମସି) ଦ୍ୱାରା ଚିହ୍ନଟ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ୨୪ ଜଣ ମହିଳାଙ୍କୁ ଏହି ପ୍ରଶିକ୍ଷଣ ପାଇଁ ଚୟନ କରାଯାଇଛି । ପ୍ରଶିକ୍ଷଣ ସମୟରେ ସେମାନଙ୍କୁ ରୁଫ୍ଟପ୍ ସୋଲାର ବ୍ୟବସ୍ଥାର ସ୍ଥାପନ, ପରିଚାଳନା, ରକ୍ଷଣାବେକ୍ଷଣ, ଉପଭୋକ୍ତା ସଚେତନତା ଏବଂ ସୌର ଶକ୍ତିର ବ୍ୟବହାର ବୃଦ୍ଧି ସମ୍ପର୍କରେ ବ୍ୟବହାରିକ ପ୍ରଶିକ୍ଷଣ ଦିଆଯାଉଛି ।
ପ୍ରଶିକ୍ଷଣ ଶେଷ ହେବା ପରେ ଏହି ‘ସୋଲାର ଦିଦି’ମାନେ ସମ୍ବଲପୁର ସହରର ୪୧ଟି ୱାର୍ଡରେ ଘରକୁ ଘର ବୁଲି ରୁଫ୍ଟପ୍ ସୋଲାର ବ୍ୟବସ୍ଥାର ଲାଭ ଏବଂ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବେ । ଏଥିସହ ଯୋଜନାରେ ଆଗ୍ରହୀ ପରିବାରମାନଙ୍କୁ ଚିହ୍ନଟ କରି ଆବେଦନ ପ୍ରକ୍ରିୟାରେ ସହଯୋଗ କରିବା ସହ ରୁଫ୍ଟପ୍ ସୋଲାର ସ୍ଥାପନ ପାଇଁ ମାର୍ଗଦର୍ଶନ ମଧ୍ୟ ଦେବେ।
ଏହି ଅବସରରେ ଟିପିଡବ୍ଲୁଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି,“ ‘ସୋଲାର ଦିଦି’ କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ଓ ସ୍ୱଚ୍ଛ ଶକ୍ତିର ପ୍ରସାରକୁ ଏକ ସୂତ୍ରରେ ବାନ୍ଧିବାର ଏକ ଅନନ୍ୟ ପ୍ରୟାସ । ମହିଳାମାନଙ୍କୁ ବୈଷୟିକ ଜ୍ଞାନ ଏବଂ ସାମାଜିକ ସଶକ୍ତୀକରଣ କ୍ଷେତ୍ରରେ ଦକ୍ଷ କରି, ଆମେ ସ୍ଥାନୀୟ ସ୍ତରରେ ଏଭଳି ପ୍ରତିନିଧି ପ୍ରସ୍ତୁତ କରୁଛୁ ଯେଉଁମାନେ ତୃଣମୂଳ ସ୍ତରରେ ଲୋକଙ୍କୁ ସଚେତନ କରିବେ ଏବଂ ପିଏମ୍ ସୂର୍ଯ୍ୟଘର: ମୁକ୍ତ ବିଜୁଳି ଯୋଜନାର ଲାଭ ପହଞ୍ଚାଇବାରେ ସାହାଯ୍ୟ କରିବେ । “
ଟିପିଡବ୍ଲୁଓଡିଏଲ୍ ସହଯୋଗରେ ପ୍ରଶିକ୍ଷିତ ସୋଲାର ଦିଦିମାନେ ୟୁଟିଲିଟି ଲେଡ୍ ଏଗ୍ରିଗେସନ୍ (ULA) ମଡେଲ୍ର ପ୍ରଚାର-ପ୍ରସାର କରିବା ସହ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାର ସୁବିଧାକୁ ସହଜରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହେବେ। ଏହି ପଦକ୍ଷେପ ସହରାଞ୍ଚଳର ମହିଳାମାନଙ୍କ ପାଇଁ ଆର୍ଥିକ ସ୍ୱାବଲମ୍ବନର ନୂଆ ଦ୍ୱାର ଖୋଲିବା ସହ ସମ୍ବଲପୁରରେ ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ଆହୁରି ଗତି ଦେବ। ଖୁବଶୀଘ୍ର ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଆଗ୍ରହୀ ମହିଳାମାନେ ସମ୍ବଲପୁର ମହାନଗର ନିଗମ ମାଧ୍ୟମରେ ଆବେଦନ କରି ଏହି ପ୍ରଶିକ୍ଷଣରେ ଯୋଗଦେଇ ପାରିବେ।
ଭାରତ ସରକାରଙ୍କ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ମିଳିତ ସହଯୋଗରେ ଦୀନଦୟାଳ ଅନ୍ତ୍ୟୋଦୟ ଯୋଜନା–ଜାତୀୟ ସହରାଞ୍ଚଳ ଜୀବିକା ମିଶନ (DAY-NULM) ଅଧୀନରେ ‘ସୋଲାର ଦିଦି’ କାର୍ଯ୍ୟକ୍ରମ ପରିଚାଳିତ ହେଉଛି ।
‘ସୋଲାର ଦିଦି’ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବଲପୁରରେ ରୁଫ୍ଟପ୍ ସୋଲାର ବ୍ୟବସ୍ଥାର ପ୍ରସାରକୁ ନୂତନ ଗତି ମିଳିବା ସହ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାର ସଫଳ କାର୍ଯ୍ୟାନ୍ୱୟନରେ ଜନସମ୍ପୃକ୍ତି ବୃଦ୍ଧି ପାଇବ ବୋଲି ଟିପିଡବ୍ଲୁଓଡିଏଲ୍ ଆଶା ପ୍ରକାଶ କରୁଅଛି ।
ଟିପିଡବ୍ଲୁଓଡିଏଲ୍ ସମ୍ବନ୍ଧରେ: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ହେଉଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ, ଯେଉଁଥିରେ ଉଭୟଙ୍କ ଅଂଶଧନ ଯଥାକ୍ରମେ ୫୧:୪୯ ଅଟେ । ଟିପିଡବ୍ଲୁଓଡିଏଲ୍ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଏବଂ ଖୁଚୁରା ଯୋଗାଣ ଦାୟିତ୍ୱରେ ୯ଟି ଜିଲ୍ଲା ଏବଂ ପ୍ରାୟ ୪୮,୦୦୦ ବର୍ଗ କିଲୋମିଟର ବିତରଣ କ୍ଷେତ୍ରରେ ୨୧ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଅଛି । କମ୍ପାନୀ ନିର୍ଭରଯୋଗ୍ୟ, ସୁରକ୍ଷିତ ଏବଂ ଗ୍ରାହକ-କେନ୍ଦ୍ରିକ ବିଦ୍ୟୁତ ସେବା ପ୍ରଦାନ ସହିତ ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ, କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା, ଡିଜିଟାଲ ରୂପାନ୍ତରଣ, ସ୍ଥାୟୀ ବିକାଶ ଏବଂ ସମ୍ପ୍ରଦାୟ ବିକାଶ ପଦକ୍ଷେପକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ଅଟେ । ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାହକ ସେବାରେ ନିରନ୍ତର ନିବେଶ ମାଧ୍ୟମରେ, ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହିତ ଏହି ଅଞ୍ଚଳର ଶକ୍ତି ରୂପାନ୍ତରଣ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି ।
