ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲାସ -୨୦୨୬’ ସମ୍ମିଳନୀ ଅନୁଷ୍ଠିତ..

0
Untitled

ବାରିପଦା, ୮/୯: ( ପ୍ରବାହ ନ୍ୟୁଜ): ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ULLAS–୨୦୨୬) ଅଧୀନରେ “ଶିକ୍ଷିତ ଜନ, ବିକଶିତ ୱତନ” ବିଷୟବସ୍ତୁକୁ ନେଇ ଏକ ଜିଲ୍ଲାସ୍ତରୀୟ ସେମିନାର ସୋମବାର ବାରିପଦାସ୍ଥିତ ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମୟୂରଭଞ୍ଜ ପକ୍ଷରୁ ଆୟୋଜିତ ଏହି ସେମିନାରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଉଦ୍‌ଘାଟନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏକାଡେମିକ୍) ଶ୍ରୀ ବିନୋଦ ସିଂହ, ବାରିପଦା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଅନୁଜା ମାଧୁରୀ ଦାସ ଏବଂ ପୋଲିସ ଉଚ୍ଚ ବିଦ୍ୟାଳୟ, ବାରିପଦାର ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ। ସେମିନାରରେ ଜିଲ୍ଲାସ୍ତରୀୟ ବିଚାରକ ଭାବେ ବି.ଏଡ୍. କଲେଜ୍, UGCTE, ତକତପୁରର ଟିଚର ଏଜୁକେସନ୍ ବିଭାଗର ସହକାରୀ ପ୍ରାଧ୍ୟାପକ ଡଃ ନାରାୟଣ ପ୍ରସାଦ ବେହେରା, DIET, ମୟୂରଭଞ୍ଜର ଶିକ୍ଷକ ପ୍ରଶିକ୍ଷକ ଶ୍ରୀମତୀ କଳ୍ପନା ଚମ୍ପିଆ ଓ ଶ୍ରୀମତୀ ରୂପାଲି ରୋଚନା ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କର ଉପସ୍ଥାପନକୁ ମାର୍ଗଦର୍ଶନ କରାଇଥିଲେ। ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ବିଷୟ ଉପରେ ନିଜର ଚିନ୍ତାଧାରା, ଜ୍ଞାନ ଓ ଅଭିବ୍ୟକ୍ତିକୁ ସୁନ୍ଦର ଭାବେ ଉପସ୍ଥାପନକୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ସେମିନାରର ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବର୍ଗରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

ପ୍ରାଥମିକ ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟ–୨, ବାରିପଦାର ରିଷା ଦାସ ପ୍ରଥମ, ଶ୍ରୀପଦଗଞ୍ଜ ଉଚ୍ଚ ବିଦ୍ୟାଳୟର ଦେବାଶିଷ ବାରିକ ଦ୍ୱିତୀୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ–୨ର ଅନନ୍ୟା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ମାଧ୍ୟମିକ ବର୍ଗରେ ପୋଲିସ ଉଚ୍ଚ ବିଦ୍ୟାଳୟ, ଭଞ୍ଜପୁରର ଅଂଶୁମାନ ପଣ୍ଡା ପ୍ରଥମ, OAV ରାଣୀଭୋଳର ଭାଗ୍ୟଶ୍ରୀ ଦାସ ଦ୍ୱିତୀୟ ଏବଂ ଭଞ୍ଜପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଉଷା ଗୋରାଇ ତୃତୀୟ ସ୍ଥାନ ହାସଲ କରିଥିଲେ। ଉଚ୍ଚ ମାଧ୍ୟମିକ ବର୍ଗରେ MPC ଜୁନିୟର କଲେଜ୍, ବାରିପଦାର ଆଶିଷ କୁମାର ବେହେରା ପ୍ରଥମ ଏବଂ ଅର୍ଜ୍ୟୋତି ପ୍ରଧାନ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସମାପନୀ ଅଧିବେଶନରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ବିଜେତା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ULLAS କାର୍ଯ୍ୟକ୍ରମ ମାଧ୍ୟମରେ ସାକ୍ଷରତା ସହିତ ଶିକ୍ଷା, ସଚେତନତା ଓ ସାମାଜିକ ଦାୟିତ୍ୱର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏପରି କାର୍ଯ୍ୟକ୍ରମର ଗୁରୁତ୍ୱ ରହିଛି ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ବାରିପଦା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଅନୁଜା ମାଧୁରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପୂଜାରିଣୀ ପଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଠାକୁରାଣୀସାହି, ବାରିପଦା ଓ ପୋଲିସ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ / ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମଟିକୁ ସଫଳମଣ୍ଡିତ କରିଥିଲେ । ଜିଲ୍ଲାରେ ULLAS–୨୦୨୬ କାର୍ଯ୍ୟକ୍ରମକୁ ଅଧିକ ସଫଳ ଓ ଜନମୁଖୀ କରିବା ପାଇଁ ଏହି ସେମିନାର ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ପରିଗଣିତ ହୋଇଛି।

Leave a Reply

Your email address will not be published. Required fields are marked *