କିଟ୍‍ ରେ ଇଂଲିଶ ଆକସେସ୍‍ ସ୍କଲରାସିପ କାର୍ଯ୍ୟକ୍ରମ ଆରମ୍ଭ

0
Untitled

ଭୁବନେଶ୍ୱର: ଆମେରିକାର ହାଇଦ୍ରାବାଦସ୍ଥିତ କନସୁଲେଟ୍ ଜେନେରାଲ୍ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟ ମିଳିତ ସହଯୋଗରେ କିଟ୍‍ ରେ ପଢୁଥିବା ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ ବା (ଷ୍ଟେମ୍‍) ଛାତ୍ରଛାତ୍ରୀଙ୍କ ପାଇଁ ଇଂଲିଶ ଆକସେସ ସ୍କଲରାସିପ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଆମେରିକା ମିଶନ୍ ଇଣ୍ଡିଆର ରିଜିଓନାଲ୍‍ ଇଂଲିଶ ଲାଙ୍ଗୁଏଜ ଅଫିସ୍‍ (ରେଲୋ) ସହଯୋଗରେ ଏହି କାର୍ଯ୍ୟକ୍ରମ ବୁଧବାର କିଟ୍‍ ରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ହାଇଦ୍ରାବାଦସ୍ଥିତ ଆମେରିକୀୟ କନସୁଲେଟ୍‍ର କନସୁଲ୍ ଜେନେରାଲ୍ ଲାରା ୱିଲିୟମ୍ସଙ୍କ ସମେତ କନସୁଲେଟ୍‍ର ଏକ ପ୍ରତିନିଧି ଦଳ ଉପସ୍ଥିତ ଥିଲେ।

ଏହା ଏକ ଏକବର୍ଷିଆ ସ୍କଲାରସିପ୍ କାର୍ଯ୍ୟକ୍ରମ ହୋଇଥିବା ବେଳେ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ ବିଷୟ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ପରିକଳ୍ପନା କରାଯାଇଛି। ଗବେଷଣା ଓ ଏକାଡେମିକ୍ ଯୋଗାଯୋଗ କ୍ଷେତ୍ରରେ ଆମେରିକୀୟ ମାନଦଣ୍ଡ ସଂପର୍କରେ ଛାତ୍ରଛାତ୍ରୀଙ୍କ ବୁଝାମଣାକୁ ମଜଭୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ।

ଆମେରିକା ଓ ଭାରତ ମଧ୍ୟରେ ଅଧିକ ଘନିଷ୍ଠ ସହଯୋଗ ଦିଗରେ ଏହି ପଦକ୍ଷେପ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଉଚ୍ଚଶିକ୍ଷା, ଗବେଷଣା ଓ ବୃତ୍ତିଗତ କ୍ଷେତ୍ରରେ ସଫଳତା ହାସଲ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ସହ ଏହି କାର୍ଯ୍ୟକ୍ରମ ସେମାନଙ୍କୁ ବିଶ୍ୱସ୍ତରୀୟ ଅଭିଜ୍ଞତା ଓ ଏକ୍ସପୋଜ ପ୍ରଦାନ କରିବ।

ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଆମେରିକା କନସୁଲେଟ୍ ଜେନେରାଲ୍ ଏବଂ ରେଲୋକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଲେ, ଏହି କାର୍ଯ୍ୟକ୍ରମ ଷ୍ଟେମ୍‍ ବିଷୟର ଛାତ୍ରଛାତ୍ରୀଙ୍କୁ ନିଜର ଯୋଗାଯୋଗ ଓ ଗବେଷଣା ଦକ୍ଷତାକୁ ଆମେରିକୀୟ ମାନଦଣ୍ଡ ସହିତ ସମନ୍ୱିତ କରିବାରେ ସହାୟତା କରିବ। କିଟ୍‍ ଛାତ୍ରଛାତ୍ରୀଙ୍କୁ ଏଭଳି ସୁଯୋଗ ମିଳିବା ନିଶ୍ଚିତ ଗୌରବର ବିଷୟ। ଏଭଳି ସୁଯୋଗ ସେମାନଙ୍କୁ ବିଶ୍ୱସ୍ତରରେ ଶିକ୍ଷାଲାଭ, ଯୋଗାଯୋଗ ଓ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆମେରିକା ଦୂତାବାସ ସହଯୋଗରେ ଏବଂ ଆମେରିକାର ଡିପାର୍ଟମେଣ୍ଟ ଅଫ୍‍ ଷ୍ଟେଟ୍‍ ଦ୍ୱାରା ପରିଚାଳିତ ଇଂଲିଶ  ଆକସେସ୍‍ ମାଇକ୍ରୋସ୍କଲାରସିପ୍‍ ପ୍ରୋଗ୍ରାମ ୨୦୦୯ ମସିହାରେ କିସରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି ସ୍କୁଲ୍ ପରବର୍ତ୍ତୀ ଶ୍ରେଣୀ ଏବଂ ବିଶେଷ ପ୍ରଶିକ୍ଷଣ ଅଧିବେଶନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମୌଳିକ ଇଂରାଜୀ ଭାଷା ଦକ୍ଷତା ବିକଶିତ କରିବା, ଆମେରିକୀୟ ସଂସ୍କୃତି ସଂପର୍କରେ ଜାଣିବା ଓ ସେମାନଙ୍କ ମଧ୍ୟରେ ଆଲୋଚନାତ୍ମକ ଚିନ୍ତନଶକ୍ତିର ବିକାଶ କରିବା।

Leave a Reply

Your email address will not be published. Required fields are marked *