ଦୁଇ ଏସ୍‌ଟି/ଏସ୍‌ସି ବିଭାଗ ଅଡିଟର ଗିରଫ ୧୪.୩୮ ଲକ୍ଷ ଟଙ୍କା ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

0
Untitled

ଲାଞ୍ଚ ଆଦାୟ ଅଭିଯୋଗରେ ଏସ୍‌ଟି/ଏସ୍‌ସି ବିଭାଗର ଦୁଇ ଅଡିଟର ପ୍ରଶାନ୍ତ କୁମାର ପ୍ରଧାନ ଓ ପ୍ରଜ୍ଞାନ ପ୍ରକାଶ ପାତ୍ରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଉଭୟଙ୍କୁ ବାରିପଦା ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯିବ।  ଭିଜିଲାନ୍ସ ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ଏସ୍‌ଟି/ଏସ୍‌ସି ବିଭାଗ ଅଧୀନ ଆଶ୍ରମ ସ୍କୁଲ ଓ ଏସ୍‌ଏସ୍‌ଡି ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ଲାଞ୍ଚ ଆଦାୟ ହେଉଥିବା ନେଇ ଅଭିଯୋଗ ମିଳିଥିଲା। ଗତକାଲି ଡିଡବ୍ଲ୍ୟୁଓ କାର୍ଯ୍ୟାଳୟ, ବାରିପଦାରୁ ରକ୍ସି ଲେନ୍‌ସ୍ଥିତ ମହାପାତ୍ର ହୋଟେଲକୁ ଯାଉଥିବା ବେଳେ ଡିଡବ୍ଲ୍ୟୁଓଙ୍କ ସ୍କର୍ପିଓରୁ ଉଭୟଙ୍କୁ ଭିଜିଲାନ୍ସ ଟିମ୍‌ ଅଟକାଇଥିଲା। ତଲାସୀ ବେଳେ ୫ ଲକ୍ଷ ୫୧ ହଜାର ୫୧୦ ଟଙ୍କା ୫୨ଟି ଲଫାପା ଓ ୨୦ଟି ଖୋଲା ବଣ୍ଡଲରୁ ଜବତ ହୋଇଥିଲା। ପରେ ହୋଟେଲ ରୁମ୍‌ରେ ଚଢ଼ାଉ କରି ଆଉ ୮ ଲକ୍ଷ ୮୬ ହଜାର ୮୩୦ ଟଙ୍କା ଜବତ କରାଯାଇଥିଲା। ଏହିପରି ମୋଟ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କା ଜବତ ହୋଇଛି।

ଏହି ଟଙ୍କାର ହିସାବ ଉଭୟ ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହାପରେ ଭୁବନେଶ୍ୱରରେ ଥିବା ଉଭୟଙ୍କ ସରକାରୀ କ୍ୱାର୍ଟରରେ ମଧ୍ୟ ଏକକାଳୀନ ତଲାସୀ କରାଯାଇଛି। ଉଭୟ ଅଡିଟର ୩୦ ଅଗଷ୍ଟ ୨୦୨୬ରୁ ବାରିପଦାରେ ଡିଡବ୍ଲ୍ୟୁଓ କାର୍ଯ୍ୟାଳୟ ସହ ଆଶ୍ରମ, ସେବାଶ୍ରମ, ହାଇସ୍କୁଲ, ହାୟର ସେକେଣ୍ଡାରୀ ସ୍କୁଲ ଓ ଏସ୍‌ଏସ୍‌ଡି ହଷ୍ଟେଲର ଅଡିଟ୍‌ କରୁଥିଲେ। ସ୍କୁଲ ଓ ହଷ୍ଟେଲର ମୁଖ୍ୟ/ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଫାଇଲ ଓ ରେଜିଷ୍ଟର ସହ ବାରିପଦା ଆସିବାକୁ କୁହାଯାଇଥିଲା। ଅଭିଯୋଗ ଅନୁଯାୟୀ, ଅଡିଟ୍‌ ସୁରୁଖୁରୁରେ କରାଇବା ପାଇଁ ପ୍ରତି ଛାତ୍ରଙ୍କ ପିଛା ୧୦ ଟଙ୍କା ହିସାବରେ ଲାଞ୍ଚ ଦାବି କରାଯାଉଥିଲା। ଅଭିଯୋଗର ସତ୍ୟତା ଯାଞ୍ଚ ପରେ ଭିଜିଲାନ୍ସ ଉଭୟଙ୍କୁ ଅଟକାଇଥିଲା। ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନା କେସ୍‌ ନମ୍ବର ୨୩ ଓ ୨୪, ତାରିଖ ୧୧.୦୯.୨୦୨୬, PC (Amendment) Act, 2018ର ଧାରା ୧୩(୨) ଆର୍/ଡବ୍ଲ୍ୟୁ ୧୩(୧)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି। ଏହି ଦୁଇ ସରକାରୀ ବାବୁ  ପ୍ରକାଶ ପାତ୍ର ୨୦୨୨ ସେପ୍ଟେମ୍ବରରେ ଏସ୍‌ଟି/ଏସ୍‌ସି ବିଭାଗରେ ଅଡିଟର ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ପ୍ରଶାନ୍ତ କୁମାର ପ୍ରଧାନ ୨୫.୦୩.୧୯୯୬ରେ ମାଲକାନଗିରି କଲେକ୍ଟରେଟ୍‌ରେ ଜୁନିୟର କ୍ଲର୍କ ଭାବେ ଚାକିରି ଆରମ୍ଭ କରିଥିଲେ ଏବଂ ଏପ୍ରିଲ ୨୦୨୧ରେ ଅଡିଟର ପଦକୁ ପଦୋନ୍ନତି ପାଇ ଏସ୍‌ଟି/ଏସ୍‌ସି ବିଭାଗରେ ନିଯୁକ୍ତ ହୋଇଥିଲେ।

Leave a Reply

Your email address will not be published. Required fields are marked *