ସେମିକନ୍ ଇଣ୍ଡିଆ ୨୦୨୬ ଉଦ୍ଯାପିତ;ବିଶ୍ୱ ଚିପ୍ ଶିଳ୍ପରେ ଭାରତର ଭୂମିକା ଆହୁରି ସୁଦୃଢ଼ କରିବ

ଭୁବନେଶ୍ୱର, ୨୧ ସେପ୍େଟମ୍ବର ୨୦୨୬: ବିଶ୍ୱ ସେମିକଣ୍ଡକ୍ଟର ପରିସଂସ୍ଥାନରେ ଭାରତର ବଢୁଥିବା ଭୂମିକାକୁ ପ୍ରଦର୍ଶିତ କରି ତିନିଦିନିଆ ‘ସେମିକନ୍ ଇଣ୍ଡିଆ ୨୦୨୬’ ଉତ୍ସାହଜନକ ପରିବେଶରେ ଉଦ୍ଯାପିତ ହୋଇଛି । ଯଶୋଭୂମିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୧,୬୫୬ ଜଣ ପଞ୍ଜୀକରଣ କରିଥିବା ବେଳେ ପ୍ରାୟ ୪୦,୦୦୦ ଜଣ ଦର୍ଶକ ଯୋଗଦେଇଥିଲେ ।
ଏହି ସମ୍ମିଳନୀରେ ୬୦୦ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରେ ପ୍ରାୟ ୩୦୦ଟି ଅନ୍ତର୍ଜାତୀୟ କମ୍ପାନୀ ସାମିଲ ହୋଇଥିଲେ । ମୋଟ ୫୨ଟି ଦେଶର ପ୍ରତିନିଧିଙ୍କ ଅଂଶଗ୍ରହଣ ଏହାକୁ ବିଶ୍ୱସ୍ତରୀୟ ମଂଚରେ ପରିଣତ କରିଥିଲା ।
ସେମିକଣ୍ଡକ୍ଟର କ୍ଷେତ୍ରରେ ସହଯୋଗ ଓ ନିବେଶକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ ୫୬ଟି ବୁଝାମଣାପତ୍ର ଓ ବିଭିନ୍ନ ଘୋଷଣା କରାଯାଇଥିଲା । ଏହାସହ ୫,୦୦୦ରୁ ଅଧିକ ବ୍ୟବସାୟିକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୭ ବିଲିୟନ୍ ଡଲାରର ନିବେଶ ପ୍ରତିଶ୍ରୁତି ସହ ବିଭିନ୍ନ ଉତ୍ପାଦ ଉନ୍ମୋଚନ ଓ ରଣନୈତିକ ପଦକ୍ଷେପ ଘୋଷଣା କରାଯାଇଛି ।
ସେମିକନ୍ ଇଣ୍ଡିଆ ୨୦୨୬ର ଉଦ୍ଯାପନୀ ଅବସରରେ ସେମି ଇଣ୍ଡିଆ ଓ ଆଇଇଏସ୍ଏର ସଭାପତି ଅଶୋକ ଚାନ୍ଦକ କହିଛନ୍ତି, ଭବିଷ୍ୟତକୁ ରୂପାନ୍ତର କରିବା ଦିଗରେ ଭାରତର ସେମିକଣ୍ଡକ୍ଟର ଯାତ୍ରା ପାଇଁ ସେମିକନ୍ ଇଣ୍ଡିଆ ୨୦୨୬ ଏକ ନିର୍ଣ୍ଣାୟକ ମୁହୂର୍ତ । ଏହି ତିନିଦିନରେ ଦେଖିବାକୁ ମିଳିଥିବା ବ୍ୟାପକ ଅଂଶଗ୍ରହଣ, ବିଶ୍ୱସ୍ତରୀୟ ଉପସ୍ଥିତି, ବାଣିଜ୍ୟିକ ଘୋଷଣା, ପ୍ରଯୁକ୍ତିଗତ ସହଭାଗିତା ଓ ଅଭୂତପୂର୍ବ ଉତ୍ସାହ ପ୍ରମାଣ କରୁଛି ଯେ ଭାରତ ଆଉ ସେମିକଣ୍ଡକ୍ଟର ଶିଳ୍ପର ଦ୍ୱାରଦେଶରେ ଠିଆ ହୋଇନାହିଁ; ବରଂ ଏହି ଶିଳ୍ପରେ ନିଜର ସ୍ଥାନ ଗଢ଼ି ତୋଳୁଛି ।
