ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ କୈବଲ୍ୟ ଏଜୁକେସନ୍ ଫାଉଣ୍ଡେସନ୍ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

0
82ac070a-58a0-491e-954a-a547a94764c3

ଭୁବନେଶ୍ୱର, ୦୫/୦୮/୨୦୨୬: ସାରାରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ କୈବଲ୍ୟ ଏଜୁକେସନ୍ ଫାଉଣ୍ଡେସନ୍ (ପିରାମଲ୍ ଫାଉଣ୍ଡେସନ୍‌ର ଏକ ସଂସ୍ଥା) ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱରସ୍ଥିତ ଖାରବେଳ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ; ଆଇଏଏସ୍ ଅବସ୍ଥି ଏସ୍‌., ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ସଚିବ; ଆଇଏଏସ୍ ଡା. ବୃନ୍ଦା ଡି., ଜାତୀୟ ସ୍ୱାସ୍ଥ୍ୟ ମିଶନ୍ (ଓଡ଼ିଶା)ର ମିଶନ ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।


ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ରବୀନ୍ଦ୍ରନାଥ ମିଶ୍ର, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଜନସ୍ୱାସ୍ଥ୍ୟ ମୁଖ୍ୟ ଡା. ଅନୁଜ ଭଟ୍ଟନାଗର ଏବଂ କୈବଲ୍ୟ ଏଜୁକେସନ୍ ଫାଉଣ୍ଡେସନ୍‌ର କୋର୍ ଟିମ୍ ସଦସ୍ୟ ଡା. ସୁନିଲ ବାବୁ ପ୍ରମୁଖ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ୩ ବର୍ଷିଆ ସହଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ରାଜ୍ୟରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଷ୍ଟ୍ରାଟେଜିକ ଓ ଟେକ୍ନୋ-ମ୍ୟାନେଜରିଆଲ ସହାୟତା ପ୍ରଦାନ କରିବା । ଏହା ବିଶେଷ ଭାବରେ ପ୍ରଜନନ, ନବଜାତ, ମାତୃ, ଶିଶୁ, କିଶୋରୀ ସ୍ୱାସ୍ଥ୍ୟ ଓ ପୋଷଣ (ଆର୍ଏମ୍‌ଏନ୍‌ସିଏଏଚ୍‌+ଏନ୍‌) ଏବଂ ଯକ୍ଷ୍ମା (ଟିବି) ଓ ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଉନ୍ନତି ଆଣିବା ଉପରେ କାର୍ଯ୍ୟ କରିବ ।


ଏହି ପ୍ରକଳ୍ପ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବ୍ୟବସ୍ଥା ସହିତ ମିଶି ସଂସ୍ଥାଗତ ଦକ୍ଷତା ବୃଦ୍ଧି କରିବା ସହ ସ୍ୱାସ୍ଥ୍ୟ ସେବା ଯୋଗାଣ, ହେଲ୍‌ଥ ଗଭର୍ନାନ୍ସ, ସ୍ୱାସ୍ଥ୍ୟ ମାନବ ସମ୍ବଳ, ସପ୍ଲାଇ ଚେନ୍ ମ୍ୟାନେଜମେଣ୍ଟ ଏବଂ ସ୍ୱାସ୍ଥ୍ୟ ଆôର୍ଥକ ପରିଚାଳନାରେ ତଥ୍ୟ-ଆଧାରିତ ନିଷ୍ପତ୍ତି ଗ୍ରହଣକୁ ପ୍ରୋତ୍ସାହିତ କରିବ ।
ଏହି ପ୍ରକଳ୍ପ ପ୍ରମାଣ-ଆଧାରିତ ଯୋଜନା, ଲକ୍ଷ୍ୟଧାର୍ଯ୍ୟ କାର୍ଯ୍ୟାନ୍ୱୟନ ଏବଂ ସମୁଦାୟର ଭାଗିଦାରୀ ମାଧ୍ୟମରେ ସ୍ୱାସ୍ଥ୍ୟ ଶାସନ ପ୍ରଣାଳୀକୁ ସୁଦୃଢ଼ କରିବ । ଏହାସହ ଡିଜିଟାଲ୍ ଓ ନୂତନ ମଡେଲ୍ ଗୁଡ଼ିକର ବ୍ୟବହାର କରି ଆର୍ଏମ୍‌ଏନ୍‌ସିଏଏଚ୍‌+ଏନ୍‌, ଯକ୍ଷ୍ମା ଏବଂ ମ୍ୟାଲେରିଆ ନିୟନ୍ତ୍ରଣରେ ସେବା ଯୋଗାଣର ଦକ୍ଷତା ବୃଦ୍ଧି କରିବ ।
ଏହି ସହଯୋଗିତା ଅଧୀନରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓଡ଼ିଶାର ୧୬ଟି ଜିଲ୍ଲାରେ କୌଶଳଗତ ଓ ବୈଷୟିକ ସହାୟତା ଯୋଗାଇଦେବ ଏବଂ କୈବଲ୍ୟ ଏଜୁକେସନ୍ ଫାଉଣ୍ଡେସନ୍ ଅବଶିଷ୍ଟ ୧୪ଟି ଜିଲ୍ଲାରେ କାର୍ଯ୍ୟ କରିବ । ଏହି ପ୍ରକଳ୍ପ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରାଥମିକତା ଏବଂ ପର୍ଯ୍ୟାୟକ୍ରମିକ କାର୍ଯ୍ୟକାରୀ ଯୋଜନା ଅନୁଯାୟୀ ସମ୍ପାଦିତ ହେବ ।


ଏହି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ (ଓଡ଼ିଶା)ର ମିଶନ ନିର୍ଦ୍ଦେଶକ ଆଇଏଏସ୍ ଡା. ବୃନ୍ଦା ଡି. କହିଛନ୍ତି, \”ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ସବୁବେଳେ ଓଡ଼ିଶାରେ ଆର୍ଏମ୍‌ଏନ୍‌ସିଏଏଚ୍‌+ଏନ୍ କ୍ଷେତ୍ରରେ ସୁଧାର ଆଣିବା ଉପରେ ଗୁରୁତ୍ୱ ଦେଇଆସିଛି । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ କୈବଲ୍ୟ ଏଜୁକେସନ୍ ଫାଉଣ୍ଡେସନ୍ ଭଳି ଅନୁଷ୍ଠାନ ସହିତ ସହଯୋଗିତା ସ୍ଥାପନ କରି ଆମେ ଖୁସି, ସେମାନଙ୍କର ବ୍ୟବସ୍ଥାଗତ ସୁଦୃଢ଼ୀକରଣ ଏବଂ କାର୍ଯ୍ୟାନ୍ୱୟନ ଅଭିଜ୍ଞତା ଆମର ପ୍ରଚେଷ୍ଟାକୁ ଆହୁରି ଗତିଶୀଳ କରିବ । ଏହି ସହଯୋଗିତା ରାଜ୍ୟ ଓ ଜିଲ୍ଲାସ୍ତରରେ ଉନ୍ନତ ଯୋଜନା, ମନିଟରିଂ, ଶାସନ ଏବଂ ଦକ୍ଷତା ବୃଦ୍ଧି ମାଧ୍ୟମରେ ଆର୍ଏମ୍‌ଏନ୍‌ସିଏଏଚ୍‌+ଏନ୍ ଫଳାଫଳକୁ ଆହୁରି ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ।’


ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୌରଭ ରୟ କହିଛନ୍ତି, \”ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ଏହି ସହଯୋଗିତା, ସାମାଜିକ ଆହ୍ୱାନଗୁଡ଼ିକର ସମାଧାନ ଏବଂ ରାଜ୍ୟସାରା ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାର ଆମର ମିଳିତ ସଂକଳ୍ପକୁ ଆଗକୁ ନେଉଛି । ଏହି ଭାଗିଦାରୀ ମାଧ୍ୟମରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ସୁବିଧା, ବିଶେଷ କରି ଅବହେଳିତ ଓ ଦୁର୍ବଳ ବର୍ଗର ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହ ଏକ ସୁସ୍ଥ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରିବାରେ ଆମେ ଯୋଗଦାନ ଦେବାକୁ ଆଶା ରଖିଛୁ ।’

Leave a Reply

Your email address will not be published. Required fields are marked *