ପିଏମ୍ ସୂର୍ଯ୍ୟ ଘର ଯୋଜନାର ପ୍ରଚାର ପାଇଁ ପୁରୀରେ ଟିପିସିଓଡିଏଲ୍ ସୌର ରଥର ଶୁଭାରମ୍ଭ

0
3f115241-0ca7-4709-af23-2e218f1fdb44

ରଥଯାତ୍ରା ସମୟରେ, ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ର ପ୍ରଚାର ପ୍ରସାର କରିବା ଏବଂ ରୁଫଟପ୍ ସୋଲାର ଆପଣାଇବା ପାଇଁ ପରିବାରଗୁଡ଼ିକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ଟିପିସିଓଡିଏଲ୍ ପୁରୀ ଡିଭିଜନ୍‌ କାର୍ଯ୍ୟାଳୟରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଟିପିସିଓଡିଏଲ୍‌ର ସର୍କଲ୍ ଏବଂ ଡିଭିଜନ୍ ନେତୃବୃନ୍ଦଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଶ୍ରୀ ନୀତି ରଞ୍ଜନ ସେନ୍‌, ଓଏଏସ୍ (ଏସ୍‌ଏଜି), ମ୍ୟାନେଜିଂ ଡାଇରେକ୍ଟର, ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍‌ଙ୍କ ଦ୍ୱାରା ଏହି ଅଭିଯାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଥିଲା । ଏହି ପଦକ୍ଷେପର ଅଂଶସ୍ୱରୂପ, ସିଧାସଳଖ ଉପଭୋକ୍ତାମାନଙ୍କ ନିକଟରେ ରୁଫଟପ୍ ସୌର ଶକ୍ତି ସମ୍ପର୍କରେ ସଚେତନତା ପହଞ୍ଚାଇବା ପାଇଁ ସୌର ରଥ ସହିତ ଦୁଇଜଣ ଉତ୍ସର୍ଗୀକୃତ ସୋଲାର ସାଙ୍ଗ ସାମିଲ ଅଛନ୍ତି । ସେମାନେ ଲୋକମାନଙ୍କୁ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ଲାଭ, ରୁଫଟପ୍ ସୌର ଶକ୍ତି ବ୍ୟବହାର ଦ୍ୱାରା ହେଉଥିବା ଆର୍ôଥକ ସଞ୍ଚୟ, ଉପଲବ୍ଧ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ
ସବ୍‌ସିଡି, ଯୋଗ୍ୟତା ମାପଦଣ୍ଡ ଏବଂ ପର୍ଯ୍ୟାୟକ୍ରମିକ ଆବେଦନ ପ୍ରକ୍ରିୟା ବିଷୟରେ ଲୋକଙ୍କୁ ଅବଗତ କରୁଛନ୍ତି ।

ଏହି ଅଭିଯାନରେ ଗୋଟିଏ ୧ କିଲୋୱାଟ୍ ୟୁଏଲଏ ମଡେଲ୍ ସହିତ ବିଭିନ୍ନ ପ୍ରକାରର ରୁଫଟପ୍ ସୋଲାର ସମାଧାନକୁ ମଧ୍ୟ ପ୍ରଦର୍ଶିତ କରାଯାଉଛି, ଯାହା ଦ୍ୱାରା ଉପଭୋକ୍ତାମାନେ ସେମାନଙ୍କ ଘରୋଇ ଶକ୍ତି ଆବଶ୍ୟକତା ପାଇଁ ସବୁଠାରୁ ଉପଯୁକ୍ତ ବ୍ୟବସ୍ଥାକୁ ଭଲ ଭାବରେ ବୁଝିପାରିବେ ଏବଂ ଚିହ୍ନଟ କରିପାରିବେ । ଏହି ସୌର ରଥ ପୁରୀ ସହର ସମେତ କୋଣାର୍କ, କାକଟପୁର, ନିମାପଡ଼ା, ପିପିଲି, ସାକ୍ଷୀଗୋପାଳ, ଚନ୍ଦନପୁର, କଣାସ ଏବଂ ବ୍ରହ୍ମଗିରି ଭଳି ଜିଲ୍ଲାର ପ୍ରମୁଖ ସ୍ଥାନଗୁଡ଼ିକ ପରିକ୍ରମା କରୁଛି । ଗାଁ ଗାଁ ବୁଲି ଲୋକସମ୍ପର୍କ ଏବଂ ସଚେତନତା ସଭା ମାଧ୍ୟମରେ, ରୁଫଟପ୍ ସୋଲାର ସମ୍ପର୍କିତ ସଠିକ୍ ସୂଚନା ସହଜରେ ପହଞ୍ଚାଇବା ଟିପିସିଓଡିଏଲ୍‌ର ମୁଖ୍ୟ ଲକ୍ଷ୍ୟ । ଏହାଦ୍ୱାରା ଅଧିକରୁ ଅଧିକ ପରିବାର ସେମାନଙ୍କ ବିଜୁଳି ବିଲ୍ କମାଇବା ସହ ସ୍ୱଚ୍ଛ ଶକ୍ତି ଉତ୍ପାଦନ କରି ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନରେ ନିଜର ଯୋଗଦାନ ଦେଇପାରିବେ । ଏହି ପଦକ୍ଷେପ ଭାରତ ସରକାରଙ୍କ ଏହି ପ୍ରମୁଖ ରୁଫଟପ୍‌ ସୋଲାର ଯୋଜନାରେ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ଉତ୍ସାହିତ କରିବ । ସୌର ରଥ ମାଧ୍ୟମରେ ଟିପିସିଓଡିଏଲ୍ ନିଜର ଉପଭୋକ୍ତା ସେବାକୁ ଆହୁରି ସୁଦୃଢ଼ କରୁଛି । ଏଥିସହିତ ଅକ୍ଷୟ ଶକ୍ତିର ଅଧିକରୁ ଅଧିକ ବ୍ୟବହାର କରି ଏକ ସ୍ୱଚ୍ଛ, ସବୁଜ ଓ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନ କରିବା ପାଇଁ ସରକାରଙ୍କ ଯୋଜନାକୁ ସଫଳ କରିବା ଦିଗରେ ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ।

Leave a Reply

Your email address will not be published. Required fields are marked *