ଏନଫୋର୍ସମେଣ୍ଟ ଟିମ୍ ଉପରେ ଆକ୍ରମଣକୁ ଟିପିଏନଓଡିଏଲ୍ ର ନିନ୍ଦା; ଜନସାଧାରଣଙ୍କ ସହଯୋଗ ପାଇଁ ନିବେଦନ

0
TPNODL-e1680750013248

ବାଲେଶ୍ୱର, ୨୩ ଜୁନ୍ ୨୦୨୬: ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ଗତ ୧୯ ଜୁନ୍‌ରେ ଭଦ୍ରକ ଜିଲ୍ଲାର ଚାନ୍ଦିପୁର ଗ୍ରାମରେ ନିୟମିତ ଯାଞ୍ଚ ବେଳେ ଏନଫୋର୍ସମେଣ୍ଟ ଟିମ୍ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି । ବିଦ୍ୟୁତ୍ ବିତରଣ ବ୍ୟବସ୍ଥାର ସ୍ୱଚ୍ଛତା ବଜାୟ ରଖିବା ଏବଂ ଅଞ୍ଚଳର ସମସ୍ତ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନେ ନିଜର ଦାୟିତ୍ୱ ତୁଲାଉଥିଲେ। ଟିପିଏନଓଡିଏଲ୍ ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି।

ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ନେଇ ଲାଇନମ୍ୟାନ, ଇଞ୍ଜିନିୟର, ସହକାରୀ ସଂସ୍ଥା କର୍ମଚାରୀ, ଏନଫୋର୍ସମେଣ୍ଟ କର୍ମଚାରୀ ଏବଂ ଗ୍ରାହକ ସେବା ଅଧିକାରୀ ପ୍ରଭୃତି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି । ଦୂର୍ଗମ ଅଞ୍ଚଳ, ବିଳମ୍ବିତ ରାତି, ପ୍ରତିକୂଳ ପାଗ, ବାତ୍ୟା ତଥା କାଳବୈଶାଖୀ ସମୟରେ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା, ଯାଞ୍ଚ କରିବା ତଥା ଉପଭୋକ୍ତାଙ୍କୁ ଉପଯୁକ୍ତ ବିଦ୍ୟୁତ ସେବା ଯୋଗାଇବା ପାଇଁ ସଦାସର୍ବଦା କାର୍ଯ୍ୟରତ ରହିଥାନ୍ତି । ଏଭଳି ହିଂସାତ୍ମକ କାର୍ଯ୍ୟ କର୍ତ୍ତବ୍ୟରତ କର୍ମଚାରୀଙ୍କ ସୁରକ୍ଷାକୁ ବିପଦରେ ପକାଇବା ସହ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ଦିନରାତି କାର୍ଯ୍ୟରତ କର୍ମୀଚାରୀଙ୍କ ମନୋବଳ ହ୍ରାସ କରିଥାଏ ।

ଏହି ଘଟଣାକୁ ନିନ୍ଦା କରି ଟିପିଏନଓଡିଏଲ୍ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି ଯେ କମ୍ପାନୀ ଏଭଳି ଘଟଣାକୁ ଜନସ୍ୱାର୍ଥ ତଥା ବିକାଶର ଏକ ପ୍ରତିବନ୍ଧକ ଭାବେ ଗ୍ରହଣ କରେ । କ୍ଷେତ୍ରସ୍ତରରେ କାର୍ଯ୍ୟରତ ବିଦ୍ୟୁତ ଅଧିକାରୀଙ୍କୁ ସହଯୋଗ କରିବା ସହ ସେମାନଙ୍କ କର୍ତ୍ତବ୍ୟରେ ବାଧା ସୃଷ୍ଟି କରୁଥିବା ଆଚରଣରୁ ବିରତ ରହିବାକୁ ଉପଭୋକ୍ତାମାନଙ୍କୁ ସେ ଅନୁରୋଧ କରିଛନ୍ତି।

ଏହା ସହିତ ଟିପିଏନଓଡିଏଲ୍ ନିଜ ନିଜ ଅଞ୍ଚଳରେ ହେଉଥିବା ବିଦ୍ୟୁତ୍ ଚୋରି ଘଟଣା ସମ୍ପର୍କରେ ସୂଚନା ଦେବାକୁଉପଭୋକ୍ତାମାନଙ୍କୁ ଆହ୍ୱାନ କରିଛି। ବିଦ୍ୟୁତ୍ ଆଇନ, ୨୦୦୩ ଅନୁଯାୟୀ ବିଦ୍ୟୁତ ଚୋରି ଏକ ଦଣ୍ଡନୀୟ ଅପରାଧ, ଯାହା ପାଇଁ ଜରିମାନା ଏବଂ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି। ବିଦ୍ୟୁତ ଚୋରି ଯୋଗୁଁ ସାଧୁ ଗ୍ରାହକଙ୍କ ଉପରେ ଆର୍ଥିକ ବୋଝ ପଡ଼ିବା ସହ ସମଗ୍ର ଅଞ୍ଚଳ ତଥା ରାଜ୍ୟରେ ବିଦ୍ୟୁତ ସେବାର ଗୁଣବତ୍ତା ଓ ନିର୍ଭରଯୋଗ୍ୟତା ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ।

ଟିପିଏନଓଡିଏଲ୍ ନିଜ ଅଞ୍ଚଳର ବିଦ୍ୟୁତ ଉପଭୋକ୍ତାମାନଙ୍କ ସେବାରେ ନିୟୋଜିତ ଏହାର କର୍ମଚାରୀମାନଙ୍କ ମର୍ଯ୍ୟାଦା ଓ ସୁରକ୍ଷା ସୁନିଶ୍ଟିତ କରିବା ସହ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ଗୁଣାତ୍ମକ ବିଦ୍ୟୁତ ସେବା ପ୍ରଦାନ କରିବାକୁ ସଦା ପ୍ରତିବଦ୍ଧ ରହିଛି।

Leave a Reply

Your email address will not be published. Required fields are marked *