ସତ୍ୟ ଓ ଧର୍ମର ଜୟ ହେଉ

ଶ୍ରୀମଦ୍ ଭାଗବତ ଗୀତା ଚତୁର୍ଥ ଅଧ୍ୟାୟର ଶ୍ଳୋକ ନଂ ୭-୮ରେ ଲେଖାଅଛି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତଃ, ଅଭ୍ୟୁଥାନମ୍ ଅଧର୍ମସ୍ୟ ତଦାତ୍ମାନମ୍ ସୃଜାମ୍ୟହମ୍, ପରିତ୍ରାଣାୟଃ ସାଧୁନାଂ ବିନାଶାୟଃ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟଃ ସମ୍ଭବାମି ଯୁଗେ ଯୁଗେ ॥ ଅର୍ଥାତ୍ ଯେତେ ବେଳେ ଧର୍ମର କ୍ଷୟ ଓ ଅଧର୍ମର ବୃଦ୍ଧି ହୁଏ ସେତେ ବେଳେ ଧର୍ମର ପ୍ରତିଷ୍ଠା ପାଇଁ ମୋର ଆବିର୍ଭାବ ହୁଏ ।
ପବିତ୍ର କୋରାନ କୁହେ ପ୍ରତ୍ୟେକ ଯୁଗରେ ଓ ପ୍ରତ୍ୟେକ ଜାତି ଏବଂ ପ୍ରତ୍ୟେକ ଗୋଷ୍ଠୀରେ ନବୀ, ରସୁଲ ବା ଅବତାରମାନେ ସଚେତକ ବା ପଥପ୍ରଦର୍ଶକ ଭାବେ ଆବିର୍ଭାବ ହୋଇଥାନ୍ତି । ଇସଲାମ କୁହେ କୌଣସି ଅବତାରଙ୍କ ମଧ୍ୟରେ ପାର୍ଥକ୍ୟ ନକରି ସେମାନଙ୍କୁ ସମ୍ମାନ ପ୍ରକଟ କରିବା ଉଚିତ୍ । ସତ୍ୟ ଯୁଗରେ ନୃସିଂହ ଅବତାର ଆସିଥିଲେ । ପାପି ହିରଣ୍ୟକଷପକୁ ବଧ କରି ଅବତାରତ୍ବର ସମ୍ମାନ ଓ ମର୍ଯ୍ୟାଦା ସ୍ଥାପିତ କରିଥିଲେ । ତ୍ରେତୟା ଯୁଗରେ ରାମଚନ୍ଦ୍ର ଅବତାରତ୍ବର ବେଷରେ ଆସିଥିଲେ । ପାପି ରାବଣର ସୁନାର ଲଙ୍କାକୁ ଧ୍ବଂସକରି ରାବଣକୁ ନିପାତ କଲେ । ଏବଂ ଅଧର୍ମକୁ ବିନାଶ କରି ଧର୍ମକୁ ପ୍ରତିଷ୍ଠା କଲେ । ସେହିଭଳି ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ଅବତାର ରୂପରେ ଆସି ପାପି କଂସର ଅନ୍ୟାୟ ଓ ଅତ୍ୟାଚାରକୁ ଦମନ କରି “ବିନାଶୟଃ ଚ ଦୁଷ୍କୃତାମ୍’’ର ନିଦର୍ଶନ ଦେଖାଇଲେ । ନବୀଶ୍ରେଷ୍ଠ ପୈଗମ୍ବର ହଜରତ ମୁହମ୍ମଦ ସଲ୍ଲମ କୁହନ୍ତି ଭାରତ ବର୍ଷରେ କହ୍ନେଆ ନାମକ ଜଣେ ଅବତାର ଆସିଛନ୍ତି, ଯାହାଙ୍କ ରଙ୍ଗ ସ୍ୟାମଳ ।

ପବିତ୍ର ଜନ୍ମାଷ୍ଟମୀ ଦିବସ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ । ଜନ୍ମ ଦିନର ସ୍ମୃତିରକ୍ଷା ଉତ୍ସବ ପାଳନ ସ୍ବରୂପ ପୂଜାର୍ଚନା ଓ ପିଠାପଣା ଆଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଏହି ବାହ୍ୟ ଉପଚାର ସହିତ ମନରେ ପ୍ରକୃତ କୃଷ୍ଣ ପ୍ରେମ ଜାଗ୍ରତ କରିବା ତଥା ତାଙ୍କର ଆଧ୍ୟାତ୍ମିକ ଜୀବନ ଚରିତ ଏବଂ ସାଙ୍କେତିକ ଭାଷାକୁ ବୁଝିବା ଆବଶ୍ୟକ । ଶ୍ରୀକୃଷ୍ଣ ଥିଲେ ଗୋପ ଓ ଗୋପୀମାନଙ୍କ ପାଳକ । ଯାହାଙ୍କୁ ଅନ୍ୟ ଅର୍ଥରେ ଗୋପାଳ କୁହାଯାଏ । ଶ୍ରୀକୃଷ୍ଣ ବିଷୟରେ କୁହାଯାଏ କି ସେ ଗୋପୀମାନଙ୍କର ବସ୍ତ୍ର ହରଣ କରି ତାଙ୍କ ସହ ଜଳକେଳୀ କରୁଥିଲେ । ଅର୍ଥାତ୍ ସେ ତାଙ୍କ ମାନ୍ୟକାରୀ ମାନଙ୍କ ଠାରୁ ସେମାନଙ୍କ ଧର୍ମ ଭୀରୁତାର ଜୀର୍ଣ୍ଣନ ଓ ମଳିନ ପୋଷାକକୁ ହଟାଇ ଐଶ୍ୱରୀୟ ବାଣୀ ଦ୍ଵାରା ଧର୍ମପିପାସୁଙ୍କ ତୃଷା ନିବାରଣ କରୁଥିଲେ । କୁହାଯାଏ ଶ୍ରୀକୃଷ୍ଣ ବଂଶୀ ବଜାଇ ଗୋପୀମାନଙ୍କୁ ନିଜର କରିନେଉଥିଲେ । ଜାଣିବା ଉଚିତ୍ ଯେ ବଂଶୀର ନିଜସ୍ୱ କୌଣସି ଧ୍ଵନୀ ନାହିଁ । ଯେକେହି ତାକୁ ବଜାଇଥାଏ ତାର ଧ୍ଵନୀ ବଂଶୀ ଦ୍ୱାରା ଧ୍ଵନିତ ହୋଇଥାଏ । ଅର୍ଥାତ୍ କୃଷ୍ଣ ଥିଲେ ପରମେଶ୍ୱରଙ୍କ ହସ୍ତର ଦିବ୍ୟବଂଶୀ । ଐଶ୍ୱରୀକ ବାଣୀ ତାଙ୍କ ମାଧ୍ୟମରେ ଧ୍ଵନିତ ହେଉଥିଲା । ସେ ଈଶ୍ବରଙ୍କ ବାଣୀକୁ ଗୋପୀମାନଙ୍କୁ ଶୁଣାଉ ଥିଲେ । ସେହି ଈଶ୍ଵର ପ୍ରେମୀମାନେ ଐଶୀବାଣୀ ଧ୍ଵନୀରେ ପାଗଳ ହୋଇ ଘର,ଦ୍ଵାର, କୁଳ ଓ ମାନ ମର୍ଯ୍ୟାଦାକୁ ତେଜି ତାଙ୍କରି ଆଡ଼କୁ ଧାଇଁ ଆସୁଥିଲେ । ଶ୍ରୀକୃଷ୍ଣଙ୍କ ସହ ରାଧା ନାମ ବେଶ ପରିଚିତ । ଯିଏ ଧ୍ୟାନ କରେ ନିଜ ଆରାଧ ଦେବତାଙ୍କୁ, ସେ ହେଉଛନ୍ତି ରାଧା । ଏହି ଶବ୍ଦଟି ଆରାଧନା ଶବ୍ଦରୁ ଉଦୃତ । କୃଷ୍ଣ ନାମ ଜପ କରିବା ଓ ଧ୍ୟାନରତ ହେବାରେ ଉପାସନାକାରୀର ଜୀବନ ଉଦ୍ଭାସିତ ହୋଇଥାଏ । ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି, ” ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ । ଅହଂ ତ୍ବାଂ ସର୍ବପାପେଭ୍ୟୋ ମୋକ୍ଷୟିସ୍ୟାମି ମା ଶୁଚଃ । ‘ଅର୍ଥାତ୍ ହେ ଅର୍ଜୁନ ! ତୁମେ ସବୁ ମନ ଗଢା ଧର୍ମ ତ୍ୟାଗ କରି ମୋର ଶରଣ ନିଅ । ମୁଁ ତୁମକୁ ସବୁ ପାପରୁ ମୁକ୍ତି ଦେବି । ଶୋଚନା କରନାହିଁ । ଏହି ଦେହଧାରୀ ମାନବାବତାର ହିଁ ସକଳ ଚିନ୍ତନ ଓ ଶକ୍ତିର ମୂଳଉତ୍ସ । ସେମାନେ ଈଶ୍ଵରଙ୍କୁ ପାଇବାର ମୂଳ ଆଧାର ହୋଇ ଆସିଥାନ୍ତି ।
ଏଯୁଗର ପଥପ୍ରଦର୍ଶକ ତଥା ଅହମଦୀୟା ମୁସଲିମ ସମ୍ପ୍ରଦାୟର ପ୍ରତିଷ୍ଠାତା ହଜରତ ମିର୍ଜା ଗୁଲାମ ଅହମଦ କୁହନ୍ତି, ସର୍ବଶକ୍ତିମାନ ଅନ୍ତଃ ମୋତେ ଶ୍ରୀକୃଷ୍ଣଙ୍କ ସଂବନ୍ଧରେ ଦୈବୀବାଣୀ ମାଧ୍ଯମରେ କହିଛନ୍ତି ଯେ ‘“ ହେ କୃଷ୍ଣ ରିଦ୍ର ଗୋପାଲ୍ ତେରି ମହିମା ଗୀତା ମେଁ ଲିଖିଗଇ ହୈ ।’’ଅର୍ଥାତ୍ ହେ କୃଷ୍ଣ ରୁଦ୍ର ଗୋପାଳ ତୁମ ମହିମା ଗୀତାରେ ଲେଖାହୋଇଛି । ପୁସ୍ତକ ଶାନ୍ତିର ବାର୍ତ୍ତାରେ ସେ ଲେଖିଛନ୍ତି; … ଜଣେ ମହାନ ଯଶସ୍ବୀ ସନ୍ଥ ଆମ ଦେଶ ଭାରତ ଓ ବଙ୍ଗରେ ‘ଶ୍ରୀକୃଷ୍ଣ’ନାମରେ ପରିଚିତ । ସେ ଜଣେ ଐଶିବାଣୀ ଗ୍ରହୀତା ହୋଇଥିବାରୁ ନିଜକୁ ଈଶ୍ବରଙ୍କ ଦିବ୍ୟ ସ୍ଵରୂପ ଭାବରେ ପ୍ରତିପାଦିତ କରିଛନ୍ତି । ତାଙ୍କର ଅନୁଗାମୀମାନେ ଈଶ୍ବର ପ୍ରେରିତ ବାର୍ତ୍ତାବହ ରୂପେ ତାଙ୍କୁ ଯେ କେବଳ ସ୍ୱୀକାର କରନ୍ତି ସେତିକି ନୁହେଁ, ବରଂ ତାଙ୍କୁ ସ୍ଵୟଂ ଈଶ୍ଵର ରୂପେ ମାନ୍ୟତା ଦେଇଥାନ୍ତି । ତେବେ ଏହା କହିବା ବାହୁଲ୍ୟ ଯେ ଶ୍ରୀକୃଷ୍ଣ ନିଜ ସମୟର ଈଶ୍ୱରଙ୍କ ପ୍ରତିନିଧିତ୍ବ କରୁଥିବା ଅବତାରୀ ପୁରୁଷ ଥିଲେ । ସେ ଈଶ୍ବରଙ୍କ ସହିତ ବାର୍ତ୍ତାଳାପ ମଧ୍ଯ କରୁଥିଲେ । ଥରେ ମୁଁ କୃଷ୍ଣଙ୍କୁ ସ୍ୱପ୍ନରେ ଦେଖିଲି । ସେ କଳା ବର୍ଣ୍ଣର ଥିଲେ, ତାଙ୍କର ନାକ ପତଳା ଓ ଚଉଡ଼ା ମଥା ଥିଲା । ସେ ଉଠି ପଡ଼ି ନିଜ ନାକ ମୋ ନାକ ସହିତ ଓ ନିଜ ମଥା ମୋ ମଥା ସହିତ ଘଷି ଜଡ଼ିତ କରିଦେଲେ । ପୁଣି ସଂସ୍ଥାପକ ଅହମଦୀୟା ମୁସଲିମ ସଂଗଠନ ହଜରତ ମିର୍ଜା ଗୁଲାମ ଅହମଦ କୁହନ୍ତି ମୁଁ କୃଷ୍ଣଙ୍କୁ ଗଭୀର ପ୍ରେମ କରେ । କାରଣ ମୁଁ ତାହାଙ୍କ ସ୍ୱରୂପରେ ରୂପାୟିତ ହୋଇଛି ।… ରାଜା ଶ୍ରୀକୃଷ୍ଣଙ୍କୁ ଯେଉଁ ପ୍ରକାରରେ ମୋ ଠାରେ ପ୍ରକାଶିତ କରାଯାଇଛି, ବାସ୍ତବରେ ସେ ଜଣେ ପରିପୂର୍ଣ୍ଣ ବ୍ୟକ୍ତିତ୍ବଧାରୀ ଉତ୍ତମ ପୁରୁଷ ଥିଲେ, ଯାହାର ଦୃଷ୍ଟାନ୍ତ ହିନ୍ଦୁମାନଙ୍କର କୌଣସି ମୁନି ଋଷି ଅବା ଅବତାରମାନଙ୍କ ଠାରେ ଦେଖାଯାଏ ନାହିଁ । ନିଜ ସମୟରେ ସେ ଅବତାର ଥିଲେ, ଯାହାଙ୍କ ଠାରେ ପ୍ରଭୁଙ୍କ ଆଡୁ ପବିତ୍ର ଆତ୍ମା ଅବତୀର୍ଣ୍ଣ ହେଉଥିଲା । ସେ ପ୍ରଭୁଙ୍କ ତରଫରୁ ବିଜୟର ସୌଭାଗ୍ୟ ପ୍ରାପ୍ତ କରିଥିଲେ, ଯିଏ କି ଆର୍ଯ୍ୟାବର୍ତର ଭୂମିକୁ ପାପ ମୁକ୍ତ କରିଥିଲେ । … ସେ ପ୍ରଭୁଙ୍କ ପ୍ରେମରେ ପରିପୂର୍ଣ୍ଣ ଥିଲେ ଓ ସାଧୁମାନଙ୍କ ସହିତ ମିତ୍ରତା ତଥା ଅସାଧୁମାନଙ୍କ ସହିତ ଶତ୍ରୁତା କରୁଥିଲେ ।
ହଜରତ ମିର୍ଜା ଗୁଲାମ ଅହମଦ କୁହନ୍ତି; ମୁଁ ସବୁ ମୁସଲମାନ, ଖ୍ରୀଷ୍ଟିୟାନ, ହିନ୍ଦୁ ଓ ଆର୍ଯ୍ୟମାନଙ୍କ ନିକଟରେ ଘୋଷଣା କରୁଛି ଯେ ଏହି ସଂସାରରେ ମୋର କେହି ଶତ୍ରୁ ନାହାନ୍ତି । ମୁଁ ମାନବ ସମାଜକୁ ଏପରି ପ୍ରେମ କରେ, ଯେପରି ଜଣେ କରୁଣାମୟୀ ମାତା ତା’ ସନ୍ତାନକୁ ପ୍ରେମ କରେ, ବରଂ ତା’ ଠାରୁ ମଧ୍ୟ ଅଧିକ । ମଣିଷ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ମୋର କର୍ତ୍ତବ୍ୟ ।
କଳିର ଅଧର୍ମ କାଳରେ ଧର୍ମ ଓ ସତ୍ୟର ଜୟ ହେଉ । ପାପ ଓ ଅସତ୍ୟର ବିନାଶ ହେଉ I ଶ୍ରୀକୃଷ୍ଣଙ୍କ ‘ ସମ୍ଭବାମି ଯୁଗେ ଯୁଗେ’’ର ଯୁଗାନ୍ତକାରୀ ବାର୍ତ୍ତା ଅଶାନ୍ତ ଜଗତକୁ ଶାନ୍ତି,ପ୍ରେମ ଓ ମୈତ୍ରୀର ନୂତନ ଦିଗ୍ଦର୍ଶନ ଦେଉ । ଏହା ହିଁ ପବିତ୍ର ଜନ୍ମାଷ୍ଟମୀରେ ଆମର କାମନା ।
