ବରଗଡ଼ରେ ଗଡ଼ିଲା ଟିପିଡବ୍ଲୁଓଡିଏଲର ‘ସୋଲାର ରଥ’

0
Untitled

ବୁର୍ଲା, ସେପ୍ଟେମ୍ବର ୨୧, ୨୦୨୬: ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ସହ ରୁଫ୍‌ଟପ୍ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଟାଟା ପାୱାରା ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବରଗଡ଼ ଜିଲ୍ଲାରେ ‘ସୋଲାର ରଥ’ ମାଧ୍ୟମରେ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଅଛି ।  

ଗତ ସେପ୍ଟେମ୍ବର ୧୯ ତାରିଖରେ ବରଗଡ଼ ଜିଲ୍ଲାପାଳ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଆଇଏଏସ୍, ଏହି ସୋଲାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସମ୍ବଲପୁରରେ ମାନ୍ୟବର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସୋଲାର ରଥ ସଚେତନତା ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ ପରେ ଏହି ଅଭିଯାନ ଏବେ ବରଗଡ଼ରେ ପହଞ୍ଚିଅଛି । ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ଅଧିକ ଅଞ୍ଚଳରେ ରୁଫ୍‌ଟପ୍ ସୋଲାର ଓ ପିଏମ୍ ସୂର୍ଯ୍ୟ ଘର ଯୋଜନା ସମ୍ପର୍କରେ ସୂଚନା ପହଞ୍ଚିବ।

ବରଗଡ଼ ସହରରୁ ଆରମ୍ଭ କରି ଏହି ରଥ ରେଙ୍ଗାଲି କ୍ୟାମ୍ପ, ଅତାବିରା, ସରଣ୍ଡା, ଲହଣ୍ଡା, ଗୋଡ଼ଭଗା, ତୋରା, ଭେଡ଼େନ ଓ ଥୁଆପାଲି ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାତ୍ରା କରିବ । ଗାଁ, ଜନବସତି, ବଜାର ଓ ଅନ୍ୟାନ୍ୟ ସାଧାରଣ ସ୍ଥାନରେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ରୁଫ୍‌ଟପ୍ ସୋଲାର ସ୍ଥାପନ ପାଇଁ ଯୋଗ୍ୟତା, ସରକାରୀ ସବ୍‌ସିଡି, ଆବେଦନ ପ୍ରକ୍ରିୟା ଓ ସ୍ଥାପନ ସମ୍ପର୍କରେ ସରଳ ଭାବେ ସୂଚନା ଦିଆଯିବ । ଏହାଦ୍ୱାରା ଉପଭୋକ୍ତାମାନେ ନିଜର ପ୍ରଶ୍ନର ଉତ୍ତର ପାଇବା ସହ ନିଜ ଘରେ ସୋଲାର ସ୍ଥାପନର ସୁବିଧା ବିଷୟରେ ଜାଣିପାରିବେ।

ଏହି ଅବସରରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଆଇଏଏସ୍, କହିଥିଲେ, “ରୁଫ୍‌ଟପ୍ ସୋଲାର ଏବଂ ପିଏମ୍ ସୂର୍ଯ୍ୟ ଘର ଯୋଜନା ସମ୍ପର୍କରେ ଲୋକଙ୍କ ନିକଟରେ ସିଧାସଳଖ ସଚେତନତା ପହଞ୍ଚାଇବା ପାଇଁ ସୋଲାର ରଥ ଏକ ଅର୍ଥପୂର୍ଣ୍ଣ ପ୍ରୟାସ । ଏହାର ସୁବିଧା, ସବ୍‌ସିଡି ଓ ପ୍ରକ୍ରିୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିଲେ ଉପଭୋକ୍ତାମାନେ ନିଜ ଘର ପାଇଁ ରୁଫ୍‌ଟପ୍ ସୋଲାର ଉପଯୁକ୍ତ କି ନୁହେଁ, ତାହା ବୁଝିପାରିବେ । ଏଭଳି ଜନସମ୍ପର୍କଭିତ୍ତିକ ପଦକ୍ଷେପ ସ୍ୱଚ୍ଛ ଶକ୍ତିର ବ୍ୟବହାରରେ ଅଧିକ ଲୋକଙ୍କ ଭାଗିଦାରୀ ବଢ଼ାଇବାରେ ସହାୟକ ହୋଇପାରିବ।”

ଏହି ଅଭିଯାନରେ ‘ସୋଲାର ସାଙ୍ଗ’ ଉପଭୋକ୍ତାଙ୍କ ସହ ଆଲୋଚନା କରି ରୁଫ୍‌ଟପ୍ ସୋଲାର ଗ୍ରହଣ ସମ୍ପର୍କରେ ମାର୍ଗଦର୍ଶନ କରିବେ । ଏଥିସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ତୃଣମୂଳ ସ୍ତରର ସୋଲାର ଚାମ୍ପିଅନ୍‌ମାନଙ୍କୁ ନେଇ ଗଠିତ ଟିପିଡବ୍ଲୁଓଡିଏଲ୍‌ର ‘ସୋଲାର ଦିଦି’ମାନେ ଘରକୁ ଘର ଯାଇ ଆଲୋଚନା ଓ ସଚେତନତା ମାଧ୍ୟମରେ ଏହି ଅଭିଯାନକୁ ଆହୁରି ସୁଦୃଢ଼ କରିବେ ।

ସୋଲାର ରଥ ଜରିଆରେ ଟିପିଡବ୍ଲୁଓଡିଏଲ୍ ରୁଫ୍‌ଟପ୍ ସୋଲାର ସମ୍ପର୍କିତ ସୂଚନାକୁ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚାଉଛି । ମୋବାଇଲ୍ ଆଉଟ୍‌ରିଚ୍, ଜନସମ୍ପର୍କ ଓ ତୃଣମୂଳ ସ୍ତରର ସହଯୋଗ ମାଧ୍ୟମରେ ବରଗଡ଼ ଜିଲ୍ଲାର ଅଧିକ ପରିବାରକୁ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜଲି ଯୋଜନାର ସୁବିଧା ସହ ଯୋଡ଼ିବା ପାଇଁ ଏହି ଅଭିଯାନ ଜାରି ରହିବ ।
ଟିପିଡବ୍ଲୁଓଡିଏଲ୍ ସମ୍ବନ୍ଧରେ: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ହେଉଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ, ଯେଉଁଥିରେ ଉଭୟଙ୍କ ଅଂଶଧନ ଯଥାକ୍ରମେ ୫୧:୪୯ ଅଟେ । ଟିପିଡବ୍ଲୁଓଡିଏଲ୍ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଏବଂ ଖୁଚୁରା ଯୋଗାଣ ଦାୟିତ୍ୱରେ ୯ଟି ଜିଲ୍ଲା ଏବଂ ପ୍ରାୟ ୪୮,୦୦୦ ବର୍ଗ କିଲୋମିଟର ବିତରଣ କ୍ଷେତ୍ରରେ ୨୧ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଅଛି । କମ୍ପାନୀ ନିର୍ଭରଯୋଗ୍ୟ, ସୁରକ୍ଷିତ ଏବଂ ଗ୍ରାହକ-କେନ୍ଦ୍ରିକ ବିଦ୍ୟୁତ ସେବା ପ୍ରଦାନ ସହିତ ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ, କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା, ଡିଜିଟାଲ ରୂପାନ୍ତରଣ, ସ୍ଥାୟୀ ବିକାଶ ଏବଂ ସମ୍ପ୍ରଦାୟ ବିକାଶ ପଦକ୍ଷେପକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ଅଟେ । ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାହକ ସେବାରେ ନିରନ୍ତର ନିବେଶ ମାଧ୍ୟମରେ, ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହିତ ଏହି ଅଞ୍ଚଳର ଶକ୍ତି ରୂପାନ୍ତରଣ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି ।

Leave a Reply

Your email address will not be published. Required fields are marked *