ବକ୍ସାଇଟ୍ ଖନନ ଓଡ଼ିଶା ବିକାଶର ଆଧାର ହେବା ସହିତ ଭାରତ ପାଇଁ ଲାଭଦାୟକ

ଭବିଷ୍ୟତ ବିକାଶ ପାଇଁ ଓଡ଼ିଶାର ଶିଳ୍ପଭିତିଭୂମିକୁ ସୁଦୃଢ଼ କରିବା ଏବଂ ଭାରତର ଆତ୍ମନିର୍ଭରତା ଲକ୍ଷ୍ୟକୁ ସମର୍ଥନ କରିବାରେ କଳାହାଣ୍ଡିରେ ଦାୟିତ୍ୱପୂର୍ଣ୍ଣ ଖଣି ଉତୋଳନ ଗୁରୁତ୍ୱପୂର୍ଣ୍ଣ ବୋଲି ଭୁତତ୍ୱୋବିତ ମାନେ ମତ ଦେଇଛନ୍ତି ।
ଭୁବନେଶ୍ୱର: ଇସ୍ପାତ ପରେ ବିଶ୍ୱରେ ସର୍ବାଧିକ ବ୍ୟବହୃତ ଧାତୁ ମଧ୍ୟରେ ଆଲୁମିନିୟମ ଅନ୍ୟତମ । ଏକବିଂଶ ଶତାବ୍ଦୀର ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ଥିବା ଅନେକ କ୍ଷେତ୍ର ନବୀକରଣଯୋଗ୍ୟ ଶକ୍ତି, ବିଦ୍ୟୁତ୍ ଯାନ, ମହାକାଶ ଓ ବିମାନ ଶିଳ୍ପ, ପ୍ରତିରକ୍ଷା, ଭିତିଭୂମି ଆଦି ପାଇଁ ଏହା ଅପରିହାର୍ଯ୍ୟ । ତେଣୁ ଆଲୁମିନିୟମ ଉତ୍ପାଦନ ପାଇଁ ଆବଶ୍ୟକ କଂଚାମାଲର ନିର୍ଭରଯୋଗ୍ୟ ଉପଲବ୍ଧତା ସୁନିଶ୍ଚିତ କରିବା ଏକ ରଣନୀତିକ ଆବଶ୍ୟକତାରେ ପରିଣତ ହୋଇଛି । ଏହି ସୁଯୋଗର କେନ୍ଦ୍ରରେ ରହିଛି ବକ୍ସାଇଟ୍ ।
ଭାରତର ସମୃଦ୍ଧ ବକ୍ସାଇଟ୍ ଭଣ୍ଡାର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଅନ୍ୟତମ । କଳାହାଣ୍ଡିରେ ମଧ୍ୟ ବକ୍ସାଇଟର ବିପୁଳ ଭଣ୍ଡାର ରହିଛି । ତଥାପି ଏହି ସମ୍ଭାବନାର ବଡ଼ ଅଂଶ ଏବେ ବି ଅବ୍ୟବହୃତ ରହିଛି । ଅନ୍ୟପଟେ ଓଡ଼ିଶାରେ ବିଶ୍ୱର କେତେକ ବୃହତ୍ ଆଲୁମିନା ବିଶୋଧନ ଓ ଆଲୁମିନିୟମ ଉତ୍ପାଦନ କାରଖାନା ରହିଛି । ଏହି ବକ୍ସାଇଟ୍ ସମ୍ପଦକୁ ଦାୟିତ୍ୱପୂର୍ଣ୍ଣ ଭାବେ ଉନ୍ମୁକ୍ତ କରି ସୁସ୍ଥିର ପରିଚାଳନା କରାଗଲେ ନୂଆ ପୁଞ୍ଜିନିବେଶ, ନିଯୁକ୍ତି ଓ ଜିଲ୍ଲାସ୍ତରୀୟ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହୋଇପାରିବ । ଏହା ଓଡ଼ିଶାର ‘ବିକଶିତ ଓଡ଼ିଶା ୨୦୩୬’ ଲକ୍ଷ୍ୟ ପୂରଣ ସହ ଭାରତର ଦୀର୍ଘମିଆଦୀ ଉତ୍ପାଦନ ପ୍ରତିଯୋଗିତାକ୍ଷମତାକୁ ମଧ୍ୟ ସୁଦୃଢ଼ କରିପାରିବ ବୋଲି ଶିଳ୍ପ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି ।
“କଳାହାଣ୍ଡିର ବକ୍ସାଇଟ କେବଳ ଉତୋଳନ କରିବାକୁ ଥିବା ଏକ ଖଣିଜ ଭାବେ ଦେଖିବା ଉଚିତ ନୁହେଁ । ଖଣି ଉତୋଳନ ଓ ବିଶୋଧନଠାରୁ ଆରମ୍ଭ କରି ଉତ୍ପାଦନ, ପରିବହନ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ସରକାରୀ ରାଜସ୍ୱ ପର୍ଯ୍ୟନ୍ତ ଏହା ଏକ ବ୍ୟାପକ ବିକାଶ ଶୃଙ୍ଖଳାର ପ୍ରଥମ କଡ଼ି । ଓଡ଼ିଶାରେ ପୂର୍ବରୁ ଯଥେଷ୍ଟ ଆଲୁମିନା ବିଶୋଧନ କ୍ଷମତା ଥିବାରୁ ଉପଯୁକ୍ତ ବକ୍ସାଇଟ୍ ସମ୍ପଦକୁ ଦାୟିତ୍ୱପୂର୍ଣ୍ଣ ଭାବେ ଉନ୍ମୁକ୍ତ କରିବା ଦ୍ୱାରା ବିଦ୍ୟମାନ ଶିଳ୍ପ ବ୍ୟବସ୍ଥା ସୁଦୃଢ଼ ହେବା ସହ ଅଂଚଳରେ ଅଧିକ ଉତ୍ପାଦନଶୀଳ ନିଯୁକ୍ତି ସୃଷ୍ଟି ହୋଇପାରିବ,” ବୋଲି ଭାରତର ଭୂତତୋ୍ୱ ସର୍ବେକ୍ଷଣର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଶିବ ମହାକୁଡ଼ କହିଛନ୍ତି ।
ଖଣିଜ ସମ୍ପଦରୁ ପୁଞ୍ଜିନିବେଶ ଓ ନିଯୁକ୍ତି;
ବକ୍ସାଇଟ୍ ହେଉଛି ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାର ପ୍ରାରମ୍ଭିକ କଂଚାମାଲ । ଏହି ଖଣିଜର ନିର୍ଭରଯୋଗ୍ୟ ଘରୋଇ ଯୋଗାଣ ବିଦ୍ୟମାନ ବିଶୋଧନ କାରଖାନାଗୁଡ଼ିକୁ ସେମାନଙ୍କର ସର୍ବାଧିକ କ୍ଷମତାରେ ଚାଲିବାରେ ସହାୟତା କରିପାରିବ । ଏହା ପୁଞ୍ଜିନିବେଶକାରୀଙ୍କ ଆସ୍ଥା ବଢ଼ାଇବା ସହ ରାଜ୍ୟରେ ଆଗାମୀ ପର୍ଯ୍ୟାୟର ଉତ୍ପାଦନ କ୍ଷମତା ବିକାଶକୁ ମଧ୍ୟ ସମର୍ଥନ କରିପାରିବ । ବର୍ତମାନ ଅଗ୍ରଣୀ ଉତ୍ପାଦକମାନେ ବକ୍ସାଇଟ୍ ଯୋଗାଣରେ ଅଭାବ ରହିଥିବା ଜଣାଇଛନ୍ତି । ଏହା ଦୀର୍ଘଦିନ ଧରି କାରଖାନାଗୁଡ଼ିକର କ୍ଷମତାର ଅପୂର୍ଣ୍ଣ ବ୍ୟବହାର ଏବଂ ରାଜ୍ୟ ରାଜସ୍ୱ ହ୍ରାସର କାରଣ ହୋଇଛି । କଳାହାଣ୍ଡି ପାଇଁ ଦାୟିତ୍ୱପୂର୍ଣ୍ଣ ଖଣି ଉତୋଳନ ପୁଞ୍ଜିନିବେଶ ଓ ଭିତିଭୂମି ବିକାଶଠାରୁ ଆରମ୍ଭ କରି ନିଯୁକ୍ତି, ସ୍ଥାନୀୟ ଉଦ୍ୟୋଗ ଓ ଆର୍ôଥକ ବିକାଶ ପର୍ଯ୍ୟନ୍ତ ଏକ ସିଧାସଳଖ ବିକାଶ ପଥ ସୃଷ୍ଟି କରିପାରିବ ।
ଏହାର ପ୍ରଥମ ପ୍ରଭାବ ପଡ଼ିବ ପୁଞ୍ଜିନିବେଶ ଉପରେ । ଖଣି ପ୍ରକଳ୍ପ ପାଇଁ ଅନୁସନ୍ଧାନ, ଯନ୍ତ୍ରପାତି, ପରିବହନ, ସୁରକ୍ଷା ଓ ପରିବେଶ ପରିଚାଳନାରେ ବିପୁଳ ଖର୍ଚ୍ଚ ଆବଶ୍ୟକ ହୁଏ । ଉତ୍ପାଦନ ଆରମ୍ଭ ହେବା ପୂର୍ବରୁ ହିଁ ଏହା ସ୍ଥାନୀୟ ଠିକାଦାର ଓ ଯୋଗାଣକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ଏବଂ ଅଂଚଳର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶକୁ ଗତି ଦେବ । ନିଯୁକ୍ତିର ପ୍ରଭାବ କେବଳ ପ୍ରତ୍ୟକ୍ଷ ଖଣି ନିଯୁକ୍ତିରେ ସୀମିତ ରହିବ ନାହିଁ । ମୁଖ୍ୟ ପରିଚାଳନା, ରକ୍ଷଣାବେକ୍ଷଣ, ଗୁଣବତା ପରୀକ୍ଷାଗାର, ସୁରକ୍ଷା ସେବା ଓ ନିର୍ମାଣ କ୍ଷେତ୍ରରେ ମଧ୍ୟ ସୁଯୋଗ ସୃଷ୍ଟି ହୋଇପାରିବ । ଫଳରେ ଅଞ୍ଚଳର ଯୁବପିଢ଼ି ନିଜ ଅଂଚଳ ନିକଟରେ ନିଯୁକ୍ତିର ସୁଯୋଗ ପାଇପାରିବେ ।
ସରକାରୀ ରାଜସ୍ୱର ଲାଭ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ଖଣିଜ ଉତ୍ପାଦନ ବଢ଼ାଇବା ଉପରେ ଓଡ଼ିଶାର ଗୁରୁତ୍ୱ ସହିତ ସମ୍ପଦର ବ୍ୟବହାରକୁ ମାପଯୋଗ୍ୟ ସାର୍ବଜନୀନ ଲାଭ ସହ ଯୋଡ଼ିବା ପାଇଁ ସମୟୋପଯୋଗୀ ନୀତିଗତ ପଦକ୍ଷେପ ମଧ୍ୟ ଆବଶ୍ୟକ । ଖଣି ରାଜସ୍ୱରୁ ରୟାଲଟି, କର, ବିଭିନ୍ନ ଶୁଳ୍କ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିକୁ ଅର୍ଥ ମିଳେ । ଏହି ଅର୍ଥ ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟସେବା, ବିଦ୍ୟାଳୟ ଓ ଦକ୍ଷତା ବିକାଶ ଭଳି ପ୍ରକଳ୍ପରେ ବିନିଯୋଗ କରାଯାଏ ।
କଳାହାଣ୍ଡି ଏହାର ଏକ ପ୍ରାସଙ୍ଗିକ ଉଦାହରଣ । ଏଠାରେ ଉଲ୍ଲେଖନୀୟ ଆଲୁମିନା ବିଶୋଧନ କ୍ଷମତା ବିକଶିତ ହୋଇଛି । ଏହା ସହିତ ବିଭିନ୍ନ ବ୍ୟବସାୟିକ ସଂସ୍ଥା ସ୍ଥାନୀୟ ସ୍ୱାସ୍ଥ୍ୟସେବା, ଶିକ୍ଷା କାର୍ଯ୍ୟକ୍ରମ ଓ କ୍ଷୁଦ୍ର ବ୍ୟବସାୟକୁ ମଧ୍ୟ ସମର୍ଥନ ଦେଉଛନ୍ତି ।
ତେବେ ବିଶୋଧନ କ୍ଷମତାକୁ ପର୍ଯ୍ୟାପ୍ତ ସ୍ଥାନୀୟ ବକ୍ସାଇଟ୍ ଯୋଗାଣ ନ ହେବା ତଥା ବାହାର ରାଜ୍ୟର ଯୋଗାଣ ଉପରେ ନିର୍ଭର କରିବାକୁ ପଡ଼ିଲେ ଏହି ବିକାଶ ଚକ୍ର ଅସମ୍ପୂର୍ଣ୍ଣ ରହିଯାଏ । କ୍ଷମତାର ଅପୂର୍ଣ୍ଣ ବ୍ୟବହାରର ଅର୍ଥ ହେଉଛି ଉତ୍ପାଦନ ହ୍ରାସ, ନିଯୁକ୍ତି ହ୍ରାସ ଏବଂ ଓଡ଼ିଶା ପାଇଁ ଆର୍ôଥକ ମୂଲ୍ୟର କ୍ଷତି । ତେଣୁ ସ୍ଥାନୀୟ ଭାବେ ଉପଲବ୍ଧ ବକ୍ସାଇଟ୍ର ନିର୍ଭରଯୋଗ୍ୟ ଉପଲବ୍ଧତା ସୁନିଶ୍ଚିତ କରିବା ଓଡ଼ିଶାର ସମ୍ପୂର୍ଣ୍ଣ ଆର୍ôଥକ ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ଅତ୍ୟନ୍ତ ଜରୁରୀ ।
“ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କେବଳ କେତେ ପରିମାଣର ଖଣିଜ ଉତ୍ପାଦନ ହେଉଛି ତାହା ନୁହେଁ; ବରଂ ଏଥିରୁ କେତେ ମୂଲ୍ୟ ଓଡ଼ିଶା ମଧ୍ୟରେ ରହୁଛି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସ୍ଥାନୀୟ ବକ୍ସାଇଟ୍ର ଉପଲବ୍ଧତା ଅଧିକ ପୁଞ୍ଜିନିବେଶ, ସରକାରୀ ରାଜସ୍ୱ ବୃଦ୍ଧି, ସ୍ଥାନୀୟ ବ୍ୟବସାୟର ସୁଦୃଢ଼ତା ଓ ଉନ୍ନତ ସାମାଜିକ ଭିତିଭୂମି ମାଧ୍ୟମରେ ବହୁଗୁଣିତ ପ୍ରଭାବ ସୃଷ୍ଟି କରିପାରେ । ଏହି ପ୍ରକ୍ରିୟାରେ ଖଣିଜ ସମ୍ପଦ ବିକାଶର ରଣନୀତିରେ ପରିଣତ ହୁଏ । ଅଷ୍ଟ୍ରେଲିଆ ଓ କାନାଡା ଭଳି ବିକଶିତ ଅର୍ଥନୀତିଗୁଡ଼ିକ ଦେଖାଇଛନ୍ତି ଯେ ଖଣି ଉତୋଳନକୁ ବିଶୋଧନ, ଦକ୍ଷତା, ପ୍ରଯୁକ୍ତି ଓ ସ୍ଥାନୀୟ ଉଦ୍ୟୋଗ ସହ ଯୋଡ଼ିଲେ ଏହା ବ୍ୟାପକ ଆର୍ôଥକ ବ୍ୟବସ୍ଥାକୁ ସମର୍ଥନ କରିପାରେ । ସ୍ଥାନୀୟ ବିଶୋଧନ, ପରବର୍ତୀ ପର୍ଯ୍ୟାୟର ଉତ୍ପାଦନ ଏବଂ ସୁଦୃଢ଼ ଯୋଗାଣକାରୀ ନେଟୱର୍କ ମାଧ୍ୟମରେ ଓଡ଼ିଶା ମଧ୍ୟ ସମାନ ମଡେଲ୍ ଅନୁସରଣ କରିପାରେ,” ବୋଲି ଭାରତର ଭୂତତୋ୍ୱ ସର୍ବେକ୍ଷଣର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଶିବ ମହାକୁଡ଼ କହିଛନ୍ତି ।
ଆଧୁନିକ ଖଣି ପ୍ରଣାଳୀ କଠୋର ନିୟାମକୀୟ ନିରୀକ୍ଷଣ ଅଧୀନରେ ପରିଚାଳିତ ହେଉଛି । ଖଣି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ହିଁ ପର୍ଯ୍ୟାୟକ୍ରମେ ଖଣି ବନ୍ଦ, ପରିବେଶ ପୁନରୁଦ୍ଧାର ଓ ଜମି ପୁନର୍ବିକାଶ ଭଳି ବ୍ୟବସ୍ଥା ପ୍ରକଳ୍ପର ଅଂଶ ହୋଇଥାଏ । ବିଶ୍ୱର ବିଭିନ୍ନ ସ୍ଥାନରେ ଖଣି କାର୍ଯ୍ୟ ସମାପ୍ତ ହୋଇଥିବା ଅଂଚଳକୁ ପୁନର୍ବାର ସବୁଜ କରିବା, ପରିବେଶ ପୁନରୁଦ୍ଧାର କରିବା ଏବଂ କୃଷି ସମେତ ଉତ୍ପାଦନଶୀଳ ବ୍ୟବହାରକୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଦିଆଯାଉଛି । ପଶ୍ଚିମ ଅଷ୍ଟ୍ରେଲିଆରେ ବକ୍ସାଇଟ୍ ଖଣି କାର୍ଯ୍ୟ ସମାପ୍ତ ହୋଇଥିବା ଅଂଚଳକୁ ଜଙ୍ଗଲ ପରିବେଶରେ ପୁନରୁଦ୍ଧାର କରାଯାଇଛି । ଭାରତରେ ଗୋଆର ସାନକ୍ୱେଲିମ୍ ଖଣି ଅଂଚଳର ପୁନର୍ବିକାଶ ପ୍ରୟାସ ଫଳରେ ବ୍ୟାପକ ସବୁଜୀକରଣ ସହ ସମୁଦାୟ ବ୍ୟବହାର ପାଇଁ ଭିତିଭୂମି ମଧ୍ୟ ବିକଶିତ ହୋଇଛି ।
ସମସ୍ତ ନୂଆ ଖଣି ପ୍ରକଳ୍ପରେ ପ୍ରଯୁଜ୍ୟ ଅନୁମୋଦନ, ଅର୍ଥପୂର୍ଣ୍ଣ ପରାମର୍ଶ ପ୍ରକ୍ରିୟା, ପୁନର୍ବାସ ପ୍ରତିଶ୍ରୁତି, ପର୍ଯ୍ୟାୟକ୍ରମେ ଖଣି ବନ୍ଦ ଯୋଜନା ଏବଂ ସ୍ଥାନୀୟ ନିଯୁକ୍ତିକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ । ଖଣି ରାଜସ୍ୱ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ବ୍ୟୟ, ସ୍ଥାନୀୟ ନିଯୁକ୍ତି ଓ ସ୍ଥାନୀୟ ଉଦ୍ୟୋଗରୁ କ୍ରୟ ଭଳି ବିଷୟକୁ ନେଇ ରାଜ୍ୟ ସରକାର ଜିଲ୍ଲାସ୍ତରୀୟ ସୂଚନାପଟ ପ୍ରକାଶ କରିପାରନ୍ତି । ଏହା ସୁସ୍ଥିର ଖଣି ଉତୋଳନ ପାଇଁ ଏକ ଅନୁକରଣୀୟ ବ୍ୟବସ୍ଥା ସୃଷ୍ଟି କରିପାରିବ । ଏପରି ସ୍ୱଚ୍ଛତା ଦ୍ୱାରା ଖଣିଜ ସମ୍ପଦରୁ ମିଳୁଥିବା ଲାଭ ସ୍ପଷ୍ଟ ହେବା ସହ ଜନସାଧାରଣଙ୍କ ଆସ୍ଥା ମଧ୍ୟ ବଢ଼ିବ ।
କଳାହାଣ୍ଡି ଭଳି ଅଂଚଳ ପାଇଁ ବିକାଶ ଓ ଦାୟିତ୍ୱକୁ ପରସ୍ପର ବିରୋଧୀ ଭାବେ ଦେଖିବା ଉଚିତ ନୁହେଁ । ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ସମୁଦାୟର ଅଂଶଗ୍ରହଣ ସହ ଦାୟିତ୍ୱପୂର୍ଣ୍ଣ ବକ୍ସାଇଟ୍ ଖଣି ଉତୋଳନ ଉଭୟ ଲକ୍ଷ୍ୟକୁ ସାକାର କରିପାରିବ । ଉପଯୁକ୍ତ ବକ୍ସାଇଟ୍ ସମ୍ପଦକୁ ଉନ୍ମୁକ୍ତ କରିବା ଦ୍ୱାରା ପୁଞ୍ଜିନିବେଶକାରୀଙ୍କ ଆସ୍ଥା ବଢ଼ିବ, ଶିଳ୍ପ କ୍ଷମତାର ଉତମ ବ୍ୟବହାର ହେବ ଏବଂ ଭାରତର ଆତ୍ମନିର୍ଭରତା ଯାତ୍ରାରେ ଓଡ଼ିଶାର ଭୂମିକା ଆହୁରି ସୁଦୃଢ଼ ହେବ । ରାଜ୍ୟର ଲୁକ୍କାୟିତ ଖଣିଜ ସମ୍ପଦକୁ ପୁଞ୍ଜିନିବେଶ, ନିଯୁକ୍ତି ଓ ସମଗ୍ର ରାଜ୍ୟର ବିକାଶ ମାଧ୍ୟମରେ ଦୃଶ୍ୟମାନ ପ୍ରଗତିରେ ପରିଣତ କରିବା ହିଁ ଏହି ସୁଯୋଗର ମୂଳ ଲକ୍ଷ୍ୟ ହୋଇପାରେ ।
