ମହିଳାଙ୍କ ଆତ୍ମନିର୍ଭରତା ପାଇଁ କଟକରେ ଟେଲରିଂ ତାଲିମ କେନ୍ଦ୍ର ଆରମ୍ଭ କଲା ଡାଲମିଆ ଭାରତ ଫାଉଣ୍ଡେସନ

କଟକ, ସେପ୍ଟେମ୍ବର ୩୦, ୨୦୨୬: ଭାରତର ଅଗ୍ରଣୀ ସିମେଣ୍ଟ କମ୍ପାନୀ ଡାଲ୍ମିଆ ଭାରତ ଲିମିଟେଡ୍ର ସିଏସ୍ଆର୍ ଶାଖା ଡାଲ୍ମିଆ ଭାରତ ଫାଉଣ୍ଡେସନ୍ (DBF)ପକ୍ଷରୁ ମହିଳାଙ୍କ ଦକ୍ଷତା ବିକାଶ ଓ ଜୀବିକା ଉନ୍ନୟନ ପଦକ୍ଷେପ ଅଧୀନରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ପାରିଆଠାରେ ଟେଲରିଂ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏହି କେନ୍ଦ୍ର ଡାଲ୍ମିଆ ସିମେଣ୍ଟର କଟକସ୍ଥିତ ପ୍ଲାଣ୍ଟ କପିଳାସ ସିମେଣ୍ଟ ୱାର୍କ୍ସ (KCW) ନିକଟରେ ଅବସ୍ଥିତ। ମହିଳାମାନଙ୍କ ପାଇଁ ଟେଲରିଂକୁ ଏକ ସୁବିଧାଜନକ ଓ ଜୀବିକା କୈନ୍ଦ୍ରିକ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି। ବିଶେଷକରି ଘରୁ କାମ କରିବା କିମ୍ବା ନିଜ ଅଞ୍ଚଳରେ ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଇଚ୍ଛୁକ ମହିଳାଙ୍କ ପାଇଁ ଏହା ଏକ ଉପଯୋଗୀ ଜୀବିକାର ମାଧ୍ୟମ ହୋଇପାରିବ। ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ବ୍ୟାବହାରିକ ଓ ଜୀବିକାଭିତ୍ତିକ ଦକ୍ଷତା ପ୍ରଦାନ ସହ ନିଯୁକ୍ତି, ସ୍ୱ-ରୋଜଗାର ଓ ଆର୍ଥିକ ସ୍ୱାବଲମ୍ବନର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରହିଛି। ଏହି ଅବସରରେ ପ୍ରାୟ ୨୦୦ ଜଣ ମହିଳା, ଯୁବକ-ଯୁବତୀ, ସମୁଦାୟ ସଦସ୍ୟ ଓ ସ୍ଥାନୀୟ ନେତୃବୃନ୍ଦଙ୍କ ସମେତ ବିଭିନ୍ନ ଅଂଶୀଦାର ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ବଡ଼ଚଣାର ଏବିଡ଼ିଓ, ଶ୍ରୀ ଜ୍ଞାନ ଦା ନାୟକ, ଶ୍ରୀମତୀ ରଞ୍ଜିତା ରାଣୀ ପଟ୍ଟନାୟକ, ବଡ଼ଚଣା ବିପିଏମ୍ ଓଏଲ୍ଏମ୍, ଶ୍ରୀ ଦେବୀ ପ୍ରସାଦ ଦାସ, କେସିଡବ୍ଲୁ ୟୁନିଟ୍ ହେଡ୍, ଶ୍ରୀ ବେଣୁଧର ବିଶ୍ୱାଳ, ପାରିଆ ସରପଞ୍ଚ, ଶ୍ରୀ ଦେବବ୍ରତ ବେହେରା, ଆଇଇଡିବିଆଇ ବ୍ୟାଙ୍କ, ପାରିଆ ଶାଖା ପରିଚାଳକ ଏବଂ ଡିବିଏଫ୍ ସିଏସ୍ଆର୍ ଟିମ୍ର ସଦସ୍ୟମାନେ ଉପସ୍ଥିତ ଥିଲେ।
ପ୍ରଥମ ବ୍ୟାଚ୍ରେ ୨୫ ଜଣ ମହିଳା ପ୍ରଶିକ୍ଷାର୍ଥୀ ରହିଛନ୍ତି। ଏଥିପାଇଁ ଜଣେ ଯୋଗ୍ୟ ପ୍ରଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ତିନି ମାସିଆ ଏହି ପ୍ରଶିକ୍ଷଣ ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଏଥିରେ ପ୍ରଶିକ୍ଷାର୍ଥୀମାନେ ଟେଲରିଂ ସମ୍ପର୍କିତ ବ୍ୟାବହାରିକ ଜ୍ଞାନ ଓ ହସ୍ତକଳାରେ ପ୍ରଶିକ୍ଷଣ ପାଇବେ। ପ୍ରଥମ ବ୍ୟାଚ୍ର ପ୍ରଶିକ୍ଷଣ ଶେଷ ହେବା ପରେ ପରବର୍ତ୍ତୀ ବ୍ୟାଚ୍ରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ। ଏହା ଫଳରେ ପର୍ଯ୍ୟାୟକ୍ରମେ ଆଖପାଖ ଅଞ୍ଚଳର ଅଧିକ ସଂଖ୍ୟକ ମହିଳା ଏହି ସୁଯୋଗରୁ ଲାଭ ପାଇପାରିବେ।
ଏହି ପଦକ୍ଷେପ ସମ୍ପର୍କରେ କେସିଡବ୍ଲୁ ୟୁନିଟ୍ ହେଡ୍ ଶ୍ରୀ ଦେବୀ ପ୍ରସାଦ ଦାସ କହିଛନ୍ତି, “ମହିଳାମାନଙ୍କୁ ଆବଶ୍ୟକ ଓ ପ୍ରାସଙ୍ଗିକ ଦକ୍ଷତା ପ୍ରଦାନ କରିବା ଦ୍ୱାରା ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ମିଳିବା ସହ ସ୍ଥାୟୀ ଜୀବିକା ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇପାରିବ। ଏହି ପଦକ୍ଷେପ ମାଧ୍ୟମରେ ଆମେ ଏକ ସ୍ଥାନୀୟ ମଞ୍ଚ ସୃଷ୍ଟି କରୁଛୁ, ଯେଉଁଠାରେ ମହିଳାମାନେ ଏକ ବ୍ୟାବହାରିକ ଦକ୍ଷତା ଶିଖିବା ସହ ସ୍ୱ-ରୋଜଗାରର ସୁଯୋଗ ଅନ୍ୱେଷଣ କରିପାରିବେ ଏବଂ ଆର୍ଥିକ ସ୍ୱାବଲମ୍ବନ ଦିଗରେ ପଦକ୍ଷେପ ନେଇପାରିବେ। କେନ୍ଦ୍ରରେ ପର୍ଯ୍ୟାୟକ୍ରମେ ନୂଆ ବ୍ୟାଚ୍ ଆରମ୍ଭ କରାଯିବା ସହ ଅଧିକ ସଂଖ୍ୟକ ମହିଳାଙ୍କ ନିକଟରେ ଏହି ସୁଯୋଗ ପହଞ୍ଚାଇବା ଏବଂ ଆଖପାଖ ଅଞ୍ଚଳରେ ଅଧିକ ସୁଦୃଢ଼ ଓ ସ୍ଥାୟୀ ଜୀବିକା ସୃଷ୍ଟି କରିବା ହେଉଛି ଆମର ଉଦ୍ୟମ।”ମହିଳାଙ୍କ ଦକ୍ଷତା ବିକାଶ, ଜୀବିକା ସୃଷ୍ଟି ଓ ସଶକ୍ତିକରଣ ଭଳି କ୍ଷେତ୍ରରେ ଏହି ପଦକ୍ଷେପ ମାଧ୍ୟମରେ ସାମୂହିକ ଓ ସ୍ଥାୟୀ ସାମାଜିକ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଡିବିଏଫ୍ର ବ୍ୟାପକ ପ୍ରତିବଦ୍ଧତାର ଏହା ଏକ ଅଂଶବିଶେଷ। ଗ୍ରାମାଞ୍ଚଳର ମହିଳାମାନଙ୍କ ପାଇଁ ଆୟ ସୃଷ୍ଟିକାରୀ ଦକ୍ଷତା ହାସଲ କରିବାର ସୁଯୋଗ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସେମାନଙ୍କ ଆର୍ଥିକ ଭାଗୀଦାରିକୁ ସୁଦୃଢ଼ କରିବା ସହ ସମଗ୍ର ସମୁଦାୟର ସାମାଜିକ-ଆର୍ଥିକ ବିକାଶରେ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି।
