ସାଧବପୁଅଙ୍କ ସାହସିକତାରୁ ଆଜିର ପିଢ଼ି ଶିଖିବା ଉଚିତ: ରାଷ୍ଟ୍ରପତି

0
Untitled

କଟକ, ୨୪/୧୧: ଓଡ଼ିଶାର ଗୌରବମୟ ଐତିହ୍ୟ, ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସାଧବପୁଅଙ୍କ ସାହସିକ ସାମୁଦ୍ରିକ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିଛି ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା। ଭାରତର ମାନନୀୟା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଐତିହାସିକ ବାଲିଯାତ୍ରା-୨୦୨୬ ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ଓଡ଼ିଶାର ସମୃଦ୍ଧ ଅତୀତକୁ ସ୍ମରଣ କରିବା ସହ ଆଗାମୀ ଦିନରେ ଏକ ବିକଶିତ ଓ ଶିଳ୍ପସମୃଦ୍ଧ ଓଡ଼ିଶା ଗଠନର ଆଶା ପ୍ରକାଶ କରିଛନ୍ତି।

ମହାନଦୀର ବକ୍ଷରେ ସୁସଜ୍ଜିତ ସ୍ୱତନ୍ତ୍ର ନୌକା ‘କଳିଙ୍ଗ ତରଙ୍ଗିଣୀ’ରେ ଯାତ୍ରା କରି ବାଲିଯାତ୍ରା ପଡ଼ିଆରେ ପହଞ୍ଚିଥିଲେ ରାଷ୍ଟ୍ରପତି। ତାଙ୍କ ସହ ରାଜ୍ୟପାଳ ଶ୍ରୀଯୁକ୍ତ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ଗଡ଼ଗଡ଼ିଆ ଘାଟଠାରେ ପୁଣ୍ୟତୋୟା ମହାନଦୀର ଆଳତୀ, ପୂଜା ଓ କୀର୍ତ୍ତନ ସହ ବୋଇତ ବନ୍ଦାଣର ପାରମ୍ପରିକ ଆୟୋଜନ ହୋଇଥିଲା। ଏହି ଅବସରରେ ରାଷ୍ଟ୍ରପତି ବୋଇତ ଭସାଇ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ସମ୍ମାନ ଜଣାଇଥିଲେ।

ସନ୍ଧ୍ୟାରେ ତଳ ବାଲିଯାତ୍ରା ପଡ଼ିଆସ୍ଥିତ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପରେ ସେ ଗାଡ଼ିରେ ବୁଲି ବାଲିଯାତ୍ରା ପଡ଼ିଆର ବିଭିନ୍ନ ଆକର୍ଷଣୀୟ ଆୟୋଜନ ଓ ଓରମାସ୍‌ର ଷ୍ଟଲ ପରିଦର୍ଶନ କରିଥିଲେ।

ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ ଯେ, ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଅତ୍ୟନ୍ତ ଗୌରବମୟ। ଏକଦା ନୌବାଣିଜ୍ୟ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ରହିଥିଲା। ସାଧବପୁଅମାନେ ଅନେକ ବାଧାବିଘ୍ନ ଓ ବିପଦକୁ ସାମ୍ନା କରି ସମୁଦ୍ର ପଥରେ ବିଦେଶକୁ ଯାତ୍ରା କରୁଥିଲେ। ସେମାନଙ୍କ ସାହସ, ଉଦ୍ୟମ, ଦୂରଦୃଷ୍ଟି ଓ ବାଣିଜ୍ୟିକ ଦକ୍ଷତାରୁ ଆଜିର ଯୁବପିଢ଼ି ଅନେକ କିଛି ଶିଖିପାରିବେ ବୋଲି ସେ ମତ ଦେଇଥିଲେ।

ଓଡ଼ିଶାର ଆଗାମୀ ଭବିଷ୍ୟତ ସମ୍ପର୍କରେ ଆଶା ପ୍ରକାଶ କରି ରାଷ୍ଟ୍ରପତି କହିଥିଲେ, ୨୦୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନର ଶହେ ବର୍ଷ ପୂରଣ କରିବ। ଏହି ଐତିହାସିକ ମାଇଲଖୁଣ୍ଟ ପୂର୍ବରୁ ରାଜ୍ୟ ବିକାଶର ନୂଆ ଶିଖର ଛୁଇଁବା ଆବଶ୍ୟକ। ଆଗାମୀ ଦିନରେ ଓଡ଼ିଶା ଦେଶର ଏକ ପ୍ରମୁଖ ଶିଳ୍ପ ହବ୍‌ ଭାବେ ଉଭା ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଏହି ପରିପ୍ରେକ୍ଷୀରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନକୁ ସ୍ମରଣ କରିଥିଲେ ରାଷ୍ଟ୍ରପତି। ୧୯୦୪ ମସିହାରେ କଟକରେ ମଧୁବାବୁ ପ୍ରତିଷ୍ଠା କରିଥିବା ‘ଉତ୍କଳ ଟ୍ୟାନେରୀ’ ଆଜି ମଧ୍ୟ ଯୁବପିଢ଼ିଙ୍କ ପାଇଁ ଉଦ୍ୟୋଗ ଓ ଆତ୍ମନିର୍ଭରଶୀଳତାର ଏକ ପ୍ରେରଣାଦାୟୀ ଉଦାହରଣ ବୋଲି ସେ ଉଲ୍ଲେଖ କରିଥିଲେ। ନିଜ ଉଦ୍ୟମ ଓ ଦୂରଦୃଷ୍ଟି ବଳରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାରେ ମଧୁବାବୁଙ୍କ ଭୂମିକା ଆଜି ମଧ୍ୟ ସ୍ମରଣୀୟ ବୋଲି ସେ କହିଥିଲେ।

ସେହିପରି ଓଡ଼ିଶାର ସ୍ଥାନୀୟ ଉତ୍ପାଦକୁ ଜାତୀୟ ସ୍ତରରେ ପରିଚିତ କରାଇବା ଦିଗରେ କନ୍ଧମାଳ ହଳଦୀ ଓ କୋରାପୁଟ କଫିର ଉଦାହରଣ ଦେଇଥିଲେ ରାଷ୍ଟ୍ରପତି। ଏହି ଦୁଇଟି ଉତ୍ପାଦ ଆଜି ଦେଶବ୍ୟାପୀ ପରିଚିତି ହାସଲ କରିଛି। ଓଡ଼ିଶାର ସ୍ଥାନୀୟ ଉତ୍ପାଦ, କୃଷି ଓ ଉଦ୍ୟୋଗରେ ଥିବା ସମ୍ଭାବନାକୁ ଆହୁରି ଆଗକୁ ନେବାର ଆବଶ୍ୟକତା ରହିଛି ବୋଲି ତାଙ୍କ ଅଭିଭାଷଣରେ ପ୍ରତିଫଳିତ ହୋଇଥିଲା।

ଓଡ଼ିଶା ଓ ବାଲି ଦ୍ୱୀପ ମଧ୍ୟରେ ରହିଥିବା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ମଧ୍ୟ ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ। ବାଲି ଦ୍ୱୀପ ସହ ଓଡ଼ିଶା ସରକାରଙ୍କ ସହଯୋଗ ଓ ସାଂସ୍କୃତିକ ଆଦାନପ୍ରଦାନ କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିଥିଲେ। ଏହା ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ସମ୍ପର୍କକୁ ପୁନର୍ଜୀବିତ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ସାଂସ୍କୃତିକ ପରିଚୟକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

ନିଜ ଅଭିଭାଷଣର ଶେଷ ଭାଗରେ ପରିବେଶ ସୁରକ୍ଷା ଓ ନଦୀର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଥିଲେ ରାଷ୍ଟ୍ରପତି। ନଦୀ ଆମ ମାଆ, ତେଣୁ ତାକୁ ପ୍ରଦୂଷିତ କରିବା ଉଚିତ ନୁହେଁ ବୋଲି ସେ କହିଥିଲେ। ବାଲିଯାତ୍ରା ଭଳି ବୃହତ୍‌ ମେଳା ଆୟୋଜନ ପରେ ମହାନଦୀ ଓ ଏହାର ପରିବେଶକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ। ନଦୀରେ ଆବର୍ଜନା ନ ପକାଇବା ସହ ଏହାର ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବାକୁ ସେ ଆହ୍ୱାନ ଦେଇଥିଲେ।

ଉଦ୍‌ଘାଟନୀ ସମାରୋହରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଓ ବାରବାଟୀ-କଟକ ବିଧାୟିକା ଇଂ. ସୋଫିଆ ଫିରଦୋସ ଉପସ୍ଥିତ ଥିଲେ। ଏଥିସହ କଟକ ମହାନଗର ନିଗମର ମେୟର ସୁବାସ ଚନ୍ଦ୍ର ସିଂହ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଦତ୍ତାତ୍ରୟ ଭାଉସାହେବ ଶିଦେଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେଇଥିଲେ।

ରାଷ୍ଟ୍ରପତିଙ୍କ ଏହି ଗସ୍ତ ଓ ଅଭିଭାଷଣ ବାଲିଯାତ୍ରାକୁ କେବଳ ଏକ ଉତ୍ସବ ଭାବେ ନୁହେଁ, ବରଂ ଓଡ଼ିଶାର ଅତୀତର ଗୌରବ, ବର୍ତ୍ତମାନର ସମ୍ଭାବନା ଓ ଭବିଷ୍ୟତର ବିକାଶକୁ ଯୋଡ଼ିବାର ଏକ ମଞ୍ଚ ଭାବେ ପରିଚିତ କରାଇଛି।

Leave a Reply

Your email address will not be published. Required fields are marked *