ପ୍ରବଳ ବର୍ଷା ଯୋଗୁଁ ଦେବକୁଣ୍ଡ ସାମୟିକ ଭାବେ ବନ୍ଦ

ବାରିପଦା, ୨୬/୦୯(ପ୍ରବାହ ନ୍ୟୁଜ): ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ସଦ୍ୟ ଗଭୀର ଅବପାତ ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିବାରୁ ସିମିଳିପାଳ ଅଞ୍ଚଳର ବିଭିନ୍ନ ଝରଣା ଓ ଜଳପଥରେ ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଇଛି। ଏହାସହ ଦେବକୁଣ୍ଡକୁ ଯାଉଥିବା ରାସ୍ତାରେ ଥିବା କେତେକ ପୋଲ ଓ କଲଭର୍ଟ ବର୍ଷାଜଳରେ ଧୋଇଯିବା ସହ କ୍ଷତିଗ୍ରସ୍ତ ହୋଇଛି।
ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ଦେବକୁଣ୍ଡ ଯିବା ରାସ୍ତା ଓ ଜଳପଥର ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦେବକୁଣ୍ଡ ପର୍ଯ୍ୟଟକଙ୍କ ପାଇଁ ସାମୟିକ ଭାବେ ବନ୍ଦ ରହିବ।
କୌଣସି ଅଘଟଣକୁ ଏଡ଼ାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ଏହି ବନ୍ଦ ନିଷ୍ପତ୍ତି ନିଆଯାଇଛି। ରାସ୍ତା ଓ କ୍ଷତିଗ୍ରସ୍ତ ପୋଲ/କଲଭର୍ଟର ଯାଞ୍ଚ ଏବଂ ମରାମତି ପରେ, ସୁରକ୍ଷା ସମ୍ପର୍କିତ ଅନୁମତି ମିଳିଲେ ହିଁ ଦେବକୁଣ୍ଡକୁ ପୁନର୍ବାର ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ।
ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନେ ପ୍ରଶାସନକୁ ସହଯୋଗ କରିବା ସହ ବନ୍ଦ ଅଞ୍ଚଳକୁ ପ୍ରବେଶ କରିବାକୁ ଚେଷ୍ଟା ନକରିବା ପାଇଁ ଅନୁରୋଧ କରାଯାଇଛି। ଏନେଇ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ଉପ-ନିର୍ଦ୍ଦେଶକ ଗଣ ମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ।
