୧୯୮୧–୨୦୧୦ ତୁଳନାରେ ୨୦୧୧–୨୦୨୪ ମଧ୍ୟରେ ଓଡ଼ିଶାର ହାରାହାରି ମୌସୁମୀ ବର୍ଷାରେ ୧୧% ଅଭିବୃଦ୍ଧି ଘଟିଛି; ବଢୁଛି ତାପମାତ୍ରା ଓ ଜଳବାୟୁର ଅସ୍ଥିରତା: ସିଇଇଡବ୍ଲ୍କୁର ଆକଳନ

ଭୁବନେଶ୍ୱର, ୧୯ ଅଗଷ୍ଟ ୨୦୨୬: ନୂଆଦିଲ୍ଲୀସ୍ଥିତ ଭାରତୀୟ ସଂସ୍ଥା ତଥା ବିଶ୍ୱର ଅଗ୍ରଣୀ ଜଳବାୟୁ ଚିନ୍ତନ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରୁ ଅନ୍ୟତମ କାଉନସିଲ୍ ଅନ୍ ଏନର୍ଜି, ଏନଭାଇରନମେଣ୍ଟ ଆଣ୍ଡ ୱାଟର (ସିଇଇ ଡବ୍ଲୁ) ପକ୍ଷରୁ ଆଜି ଭୁବନେଶ୍ୱରରେ “ଏଆଇ-ଚାଳିତ ଜଳବାୟୁ ନିଷ୍ପତ୍ତି ଓ କାର୍ଯ୍ୟପଦକ୍ଷେପ ମାଧ୍ୟମରେ ଜଳବାୟୁ ସହନଶୀଳତା ସୁଦୃଢ଼ କରିବା” ଶୀର୍ଷକ ଏକ ଜ୍ଞାନ ଆଦାନପ୍ରଦାନ ଗୋଲଟେବୁଲ୍ ବୈଠକ ଆୟୋଜିତ ହୋଇଥିଲା।
ସିଇଇଡବ୍ଲୁର ଗବେଷକମାନେ କହିଛନ୍ତି ଯେ, ଭାରତର ୨୦୨୬ ମୌସୁମୀ ଋତୁ ଦୁଇଟି ବିପରୀତ ବାସ୍ତବତାକୁ ପ୍ରତିଫଳିତ କରୁଛି। ଗୋଟିଏ ପଟେ କେତେକ ରାଜ୍ୟ ବିନାଶକାରୀ ବନ୍ୟାର ସମ୍ମୁଖୀନ ହେଉଥିବାବେଳେ, ଅନ୍ୟପଟେ କେତେକ ରାଜ୍ୟରେ ଗୁରୁତର ବର୍ଷା ଅଭାବ ଦେଖାଦେଇଛି। ଫଳରେ ଦେଶର ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷାର ଅଭାବ ରହିଛି।
ସିଇଇଡବ୍ଲୁର ଗବେଷକମାନେ ଏହି ଅବସରରେ ଜଳବାୟୁ ସ୍ଥିରତା ବିଶ୍ଳେଷଣ ଏବଂ ଭିଜୁଆଲାଇଜେସନ୍ ଇଣ୍ଟେଲିଜେନ୍ସ ସିଷ୍ଟମ୍ (କ୍ରାଭିସ) ପ୍ରଦର୍ଶନ କରିଥିଲେ। ସିଇଇଡବ୍ଲୁ ଦ୍ୱାରା ବିକଶିତ ଏହି ପ୍ରଥମ ଧରଣର ଏଆଇ-ଭିତ୍ତିକ ଜଳବାୟୁ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ୪୦ରୁ ଅଧିକ ବର୍ଷର ଐତିହାସିକ ଜଳବାୟୁ ତଥ୍ୟ ସହ ୨୦୩୦–୨୦୫୦ ଏବଂ ୨୦୫୧–୨୦୭୦ ପର୍ଯ୍ୟନ୍ତର ଆକଳନକୁ ଏକତ୍ର କରିଛି। ବିଭିନ୍ନ ନିର୍ଗମନ ଓ ବିଶ୍ୱ ଉଷ୍ମାୟନ ପରିସ୍ଥିତି ଅନୁଯାୟୀ ୨୭୯ଟି ସୂଚକ ମାଧ୍ୟମରେ ଜିଲ୍ଲାସ୍ତରୀୟ ବିଶ୍ଳେଷଣ କରିବାର ସୁବିଧା ଏଥିରେ ରହିଛି।ଓଡ଼ିଶାରେ ହାରାହାରି ମୌସୁମୀ ବର୍ଷାର ପରିମାଣ ବୃଦ୍ଧି ପାଇଛି। ୧୯୮୧–୨୦୧୦ ମଧ୍ୟରେ ରାଜ୍ୟର ହାରାହାରି ମୌସୁମୀ ବର୍ଷା ୧,୦୫୨ ମିମି ଥିବାବେଳେ ୨୦୧୧–୨୦୨୪ ମଧ୍ୟରେ ଏହା ବୃଦ୍ଧି ପାଇ ୧,୧୫୯ ମିମିରେ ପହଞ୍ଚିଛି। ଆକଳନ ଅନୁଯାୟୀ, ୨୦୩୧–୨୦୫୦ ମଧ୍ୟରେ ଏହା ମଧ୍ୟମ ଭାବେ ବୃଦ୍ଧି ପାଇ ୧,୨୧୧ ମିମି ଏବଂ ୨୦୫୧–୨୦୭୦ ମଧ୍ୟରେ ୧,୩୦୯ ମିମିରେ ପହଞ୍ଚିପାରେ। ତେବେ ପରିବର୍ତ୍ତିତ ଜଳବାୟୁ ପରିସ୍ଥିତି ଯୋଗୁ ଓଡ଼ିଶାର ମୌସୁମୀ ବର୍ଷାର ସାମଗ୍ରିକ ଧାରାରେ ବ୍ୟାଘାତ ଦେଖାଦେଇପାରେ। କେତେକ ଜିଲ୍ଲାରେ ମୌସୁମୀ ବର୍ଷା ଅନିୟମିତ ହୋଇପାରେ, ଅନ୍ୟ କେତେକ ଜିଲ୍ଲାରେ ତୁଳନାତ୍ମକ ଭାବେ ଅଧିକ ବର୍ଷା ଜାରି ରହିପାରେ। ଆଉ କେତେକ ଅଞ୍ଚଳରେ ଜଳବାୟୁର ମୂଳ ଅବସ୍ଥା (କ୍ଲାଇମେଟ୍ ବେସ୍ଲାଇନ୍) ତୁଳନାରେ ବର୍ଷା ପରିମାଣରେ ଅପେକ୍ଷାକୃତ ସ୍ଥିରତା ରହିପାରେ।
ଏହି ପ୍ଲାଟଫର୍ମରେ ଜଳବାୟୁ ତଥ୍ୟକୁ ବିଦ୍ୟୁତ ଭିତ୍ତିଭୂମି, କୃଷି, ଭୂମି ବ୍ୟବହାର, ସାର୍ବଜନୀନ ସ୍ୱାସ୍ଥ୍ୟ ଓ ଜନସଂଖ୍ୟା ଭଳି ବିଭିନ୍ନ କ୍ଷେତ୍ରର ତଥ୍ୟ ସହ ଯୋଡ଼ି ସମନ୍ୱିତ ବିପଦ ବିଶ୍ଳେଷଣ କରାଯାଇପାରିବ। କ୍ରାଭିସକୁ ଏକ ସହଯୋଗୀ ଡାଟା କମନ୍ସ ଭାବେ ବିକଶିତ କରାଯାଇଛି, ଯେଉଁଥିରେ ସଂଗଠନ ଓ ଅଂଶୀଦାରମାନେ ନିଜସ୍ୱ ତଥ୍ୟ ଓ ବିଶ୍ଳେଷଣ ଯୋଡ଼ି ଏହାର ତଥ୍ୟଭଣ୍ଡାରକୁ ଆହୁରି ବ୍ୟାପକ ଓ ସୁଦୃଢ଼ କରିପାରିବେ।
ଓଡ଼ିଶା ଭାରତର ଅନ୍ୟତମ ଘୂର୍ଣ୍ଣିଝଡ଼ ଓ ବନ୍ୟାପ୍ରବଣ ରାଜ୍ୟ। ଦୀର୍ଘ ସମୁଦ୍ରତଟ ଏବଂ ମୌସୁମୀ ବର୍ଷା ଉପରେ ଅଧିକ ନିର୍ଭରଶୀଳତା ଯୋଗୁଁ ରାଜ୍ୟ ଭାରୀ ବର୍ଷା, ଅତ୍ୟଧିକ ଉତ୍ତାପ-ଆର୍ଦ୍ରତା ଓ ଦୀର୍ଘସ୍ଥାୟୀ ଶୁଷ୍କ ପରିସ୍ଥିତି ପ୍ରତି ବିଶେଷ ଭାବେ ସମ୍ବେଦନଶୀଳ। କ୍ରାଭିସ.ଏଆଇ ଅନୁଯାୟୀ, ଆଗାମୀ ଦଶନ୍ଧିଗୁଡ଼ିକରେ ଏହି ଜଳବାୟୁ ବିପଦ ଆହୁରି ତୀବ୍ର ହେବାର ଆଶଙ୍କା ରହିଛି। ବିଶେଷକରି ବିଭିନ୍ନ ଜିଲ୍ଲାରେ ବର୍ଷାର ତାରତମ୍ୟ ଏବଂ ଉତ୍ତାପର ପ୍ରଭାବ ବଢ଼ିପାରେ।
୨୦୧୧–୨୦୨୪ ସମୟରେ ଓଡ଼ିଶାର ପ୍ରାୟ ୫୩% ଜିଲ୍ଲାରେ ୧,୦୨୫–୧,୧୭୫ ମିଲିମିଟର ମୌସୁମୀ ବର୍ଷା ହୋଇଥିବାବେଳେ ୨୬% ଜିଲ୍ଲାରେ ୧,୧୭୫ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ୨୦୫୧–୨୦୭୦ ମଧ୍ୟରେ ବର୍ଷା ଆହୁରି ଅସ୍ଥିର ହେବାର ଆକଳନ କରାଯାଇଛି। ଏହି ସମୟରେ ୨୭% ଜିଲ୍ଲାରେ ୮୪୬–୧,୦୨୫ ମିଲିମିଟର ଏବଂ ୩୦% ଜିଲ୍ଲାରେ ୧,୧୭୫ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ।
ସାମଗ୍ରିକ ଭାବେ, ୧୯୮୧–୨୦୧୦ର ଜଳବାୟୁ ଆଧାରରେଖା ତୁଳନାରେ ୨୦୧୧–୨୦୨୪ ମଧ୍ୟରେ ଓଡ଼ିଶାର ହାରାହାରି ମୌସୁମୀ ବର୍ଷା ପ୍ରାୟ ୧୧% ବଢ଼ିଛି। ଆଗାମୀ ଦଶନ୍ଧିଗୁଡ଼ିକରେ ଏହା ସେହି ଆଧାରରେଖା ତୁଳନାରେ ପ୍ରାୟ ୧୩% ବୃଦ୍ଧି ପାଇବାର ଆକଳନ କରାଯାଇଛି। ଏହାର ଅର୍ଥ ହେଉଛି, ଓଡ଼ିଶାର ସାମଗ୍ରିକ ମୌସୁମୀ ବର୍ଷାରେ ପରିବର୍ତ୍ତନ ଆସିବା ସହ କେତେକ ଜିଲ୍ଲାରେ ଅନିୟମିତ ମୌସୁମୀ ବର୍ଷା ଏବଂ ଅନ୍ୟ କେତେକ ଜିଲ୍ଲାରେ ତୁଳନାତ୍ମକ ଭାବେ ଅଧିକ ବର୍ଷା ଜାରି ରହିପାରେ।
ଭାରତରେ ଏବେଠାରୁ ଉତ୍ତାପ ପ୍ରତି ବଢ଼ୁଥିବା ସଂସ୍ପର୍ଶ ଦେଖିବାକୁ ମିଳୁଛି। ଦେଶର ୫୭%ରୁ ଅଧିକ ଜିଲ୍ଲା ଏବଂ ପ୍ରାୟ ୭୫% ଜନସଂଖ୍ୟା ଉଚ୍ଚରୁ ଅତ୍ୟୁଚ୍ଚ ଉତ୍ତାପ ବିପଦର ସମ୍ମୁଖୀନ ହେଉଛନ୍ତି। ସିଇଇଡବ୍ଲୁର କ୍ରାଭିସ.ଏଆଇ ଅନୁଯାୟୀ, ଆଗାମୀ ଦଶନ୍ଧିଗୁଡ଼ିକରେ ଭାରତରେ ଅତ୍ୟଧିକ ଉତ୍ତାପ ଯଥେଷ୍ଟ ବୃଦ୍ଧି ପାଇବ।
୧୯୮୧–୨୦୧୦ର ଆଧାର ସମୟରେ କେବଳ ୧୫% ଜିଲ୍ଲାରେ ବର୍ଷକୁ ୧୧୬ ଦିନରୁ ଅଧିକ ସମୟ ସର୍ବାଧିକ ତାପମାତ୍ରା ୩୫°ସି ରୁ ଅଧିକ ରହୁଥିଲା। ୨୦୩୧–୨୦୫୦ରେ ଏହା ୪୬% ଜିଲ୍ଲା ଏବଂ ୨୦୫୧–୨୦୭୦ରେ ୫୭% ଜିଲ୍ଲାକୁ ବୃଦ୍ଧି ପାଇବାର ଆକଳନ ହୋଇଛି।
ରାତି ସମୟର ଉତ୍ତାପ ଆହୁରି ଦ୍ରୁତ ଗତିରେ ବଢ଼ିବାର ଆଶଙ୍କା ରହିଛି। ଆଧାର ସମୟରେ କେବଳ ୭% ଜିଲ୍ଲାରେ ବର୍ଷକୁ ୧୦୭ ଦିନରୁ ଅଧିକ ସମୟ ସର୍ବନିମ୍ନ ତାପମାତ୍ରା ୨୫°Cରୁ ଅଧିକ ଥିଲା। ୨୦୩୧–୨୦୫୦ରେ ଏହା ୪୭% ଜିଲ୍ଲା ଏବଂ ୨୦୫୧–୨୦୭୦ରେ ୫୯% ଜିଲ୍ଲାକୁ ବଢ଼ିପାରେ। ରାତିରେ ତାପମାତ୍ରା ଅଧିକ ରହିବା ଯୋଗୁଁ ସୂର୍ଯ୍ୟାସ୍ତ ପରେ ଶରୀରକୁ ଥଣ୍ଡା ହେବାର ସୁଯୋଗ କମିଯାଏ। ଏହା ମାନବ ସ୍ୱାସ୍ଥ୍ୟ ସହ ଶ୍ରମ ଉତ୍ପାଦକତା, ଭିତ୍ତିଭୂମିର କାର୍ଯ୍ୟଦକ୍ଷତା ଓ ଅର୍ଥନୈତିକ ସହନଶୀଳତା ଉପରେ ପ୍ରଭାବ ପକାଇପାରେ।
ଗତ କିଛି ବର୍ଷ ଧରି ଓଡ଼ିଶାରେ ଅତ୍ୟଧିକ ଉତ୍ତାପ ବୃଦ୍ଧିର ପ୍ରଭାବ ସ୍ପଷ୍ଟ ହେଉଛି। ୧୯୮୧–୨୦୧୦ର ଆଧାର ସମୟରେ ଓଡ଼ିଶାର ୩୭% ଜିଲ୍ଲାରେ ବର୍ଷକୁ ୬୧–୮୦ ଦିନ ଏବଂ ୨୭% ଜିଲ୍ଲାରେ ୮୦–୮୯ ଦିନ ସର୍ବାଧିକ ତାପମାତ୍ରା ୩୫°ସି ରୁ ଅଧିକ ରହୁଥିଲା। ଏହି ସଂସ୍ପର୍ଶ ଭବିଷ୍ୟତରେ ଯଥେଷ୍ଟ ବୃଦ୍ଧି ପାଇବାର ଆକଳନ ହୋଇଛି।
୨୦୩୧–୨୦୫୦ରେ ଓଡ଼ିଶାର ୪୦% ଜିଲ୍ଲାରେ ପ୍ରତିବର୍ଷ ୧୦୮–୧୨୧ ଦିନ ଏବଂ ଆଉ ୨୦% ଜିଲ୍ଲାରେ ୧୨୧–୧୩୭ ଦିନ ୩୫°ସି ରୁ ଅଧିକ ତାପମାତ୍ରା ରହିପାରେ। ୨୦୫୧–୨୦୭୦ରେ ଓଡ଼ିଶାର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରତିବର୍ଷ ୧୨୧–୧୩୭ ଦିନ ଅତ୍ୟଧିକ ଉତ୍ତାପ ରହିବାର ଆକଳନ କରାଯାଇଛି।
ରାତି ସମୟର ଉତ୍ତାପ ମଧ୍ୟ ବଢ଼ୁଛି, ଯାହା ଦିନର ଅଧିକ ତାପମାତ୍ରା ପରେ ଲୋକଙ୍କୁ ଶାରୀରିକ ଭାବେ ସୁସ୍ଥ ହେବାରେ ବାଧା ସୃଷ୍ଟି କରିପାରେ। ୧୯୮୧–୨୦୧୦ ଆଧାର ସମୟରେ ବର୍ଷକୁ ୨୫° ସି ରୁ ଅଧିକ ସର୍ବନିମ୍ନ ତାପମାତ୍ରା ଥିବା ରାତିର ହାରାହାରି ସଂଖ୍ୟା ୬୭ ଦିନ ଥିବାବେଳେ, ୨୦୧୧–୨୦୨୪ରେ ଏହା ୭୧ ଦିନକୁ ବଢ଼ିଛି। ୨୦୩୧–୨୦୫୦ରେ ଏହା ବୃଦ୍ଧି ପାଇ ୧୩୮ ରାତି ଏବଂ ୨୦୫୧–୨୦୭୦ରେ ୧୪୬ ରାତି ହୋଇପାରେ।
ଏହି ବୃଦ୍ଧି ସମଗ୍ର ରାଜ୍ୟରେ ଦେଖାଯିବାର ଆଶଙ୍କା ରହିଛି। ଆଧାର ସମୟରେ ଓଡ଼ିଶାର ୭୦% ଜିଲ୍ଲାରେ ବର୍ଷକୁ ୭୬ରୁ କମ୍ ରାତିରେ ତାପମାତ୍ରା ୨୫° ସି ରୁ ଅଧିକ ରହୁଥିଲା। ୨୦୩୧–୨୦୫୦ରେ ୩୭% ଜିଲ୍ଲାରେ ୧୩୬–୧୫୨ ଏବଂ ୨୭% ଜିଲ୍ଲାରେ ୧୫୨–୧୮୨ ରାତି ଏଭଳି ଉଷ୍ମ ରହିପାରେ। ୨୦୫୧–୨୦୭୦ରେ ୪୩% ଜିଲ୍ଲାରେ ୧୫୨–୧୮୨ ରାତି ୨୫°ସି ରୁ ଅଧିକ ତାପମାତ୍ରା ରହିବାର ଆକଳନ କରାଯାଇଛି।
ଏହି ସମସ୍ତ ପରିବର୍ତ୍ତନ ମିଶି ଏକ ଏଭଳି ଭବିଷ୍ୟତର ସଙ୍କେତ ଦେଉଛି, ଯେଉଁଠାରେ ଓଡ଼ିଶାକୁ ଅଧିକ ଅସମ ବର୍ଷା ପରିସ୍ଥିତି, ବାରମ୍ବାର ଅତ୍ୟଧିକ ଉତ୍ତାପ ଏବଂ ଉଲ୍ଲେଖନୀୟ ଭାବେ ଅଧିକ ଉଷ୍ମ ରାତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହା ଜଳ ସମ୍ପଦ, କୃଷି, ପଶୁପାଳନ, ସାର୍ବଜନୀନ ସ୍ୱାସ୍ଥ୍ୟ ଓ ଗ୍ରାମୀଣ ଜୀବିକା ଉପରେ ଅତିରିକ୍ତ ଚାପ ସୃଷ୍ଟି କରିପାରେ।
ସିଇଇଡବଲ୍କୁର ଫେଲୋ ଡ. ବିଶ୍ୱାସ ଚିତାଲେ କହିଛନ୍ତି, “ସ୍ଥାନୀୟ ସ୍ତରର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ କ୍ରାଭିସକୁ ସାମିଲ କରାଗଲେ ଏହା ବାସ୍ତବ ପ୍ରଭାବ ସୃଷ୍ଟି କରିପାରିବ। ଏହା ଜଟିଳ ଜଳବାୟୁ ସୂଚନାକୁ ନୀତି ନିର୍ମାତା, ଶିଳ୍ପପତି, ଆର୍ଥିକ ବିଶେଷଜ୍ଞ, ସାମ୍ବାଦିକ ଓ ସହର ଯୋଜନାକାରୀଙ୍କ ପାଇଁ ସହଜରେ ବୋଧଗମ୍ୟ କରିଥାଏ। ରାଜ୍ୟ ବିଭାଗଗୁଡ଼ିକ ସହର ଓ ଜିଲ୍ଲାସ୍ତରୀୟ ଉତ୍ତାପ ଏବଂ ବର୍ଷା ସୂଚକ ବ୍ୟବହାର କରି ହିଟ୍ ଆକ୍ସନ୍ ପ୍ଲାନ୍ ଓ ପ୍ରସ୍ତୁତି ରଣନୀତିକୁ ଅଦ୍ୟତନ କରିପାରିବେ। ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ମାଷ୍ଟର ପ୍ଲାନ୍ ଓ ଭିତ୍ତିଭୂମି ନିବେଶରେ ଜଳବାୟୁ ତଥ୍ୟକୁ ସାମିଲ କରିପାରିବେ। ଏଥିସହ ନିୟାମକ ଓ ବିଦ୍ୟୁତ ଉପଯୋଗୀ ସଂସ୍ଥାଗୁଡ଼ିକ ଚାହିଦା ପୂର୍ବାନୁମାନ ଏବଂ ସହନଶୀଳତା ଯୋଜନାରେ ଏହି ଆକଳନକୁ ବ୍ୟବହାର କରିପାରିବେ।”
କ୍ରାଭିସ ଜିଲ୍ଲା, ଗ୍ରିଡ୍ ଓ ରାଜ୍ୟସ୍ତରରେ ୨୭୯ଟି ସୂଚକ ଅଧୀନରେ ଜଳବାୟୁ ତଥ୍ୟ ଉପଲବ୍ଧ କରାଉଛି। ଏହାକୁ ତାପମାତ୍ରା, ବର୍ଷାପାତ ଓ ଆର୍ଦ୍ରତା ସମ୍ପର୍କିତ ୨୦ରୁ ଅଧିକ ବିଶ୍ଳେଷଣ-ଉପଯୋଗୀ ମେଟ୍ରିକ୍ସରେ ସଂକ୍ଷିପ୍ତ କରାଯାଇଛି। ଏଥିରେ ଅତ୍ୟଧିକ ଉତ୍ତାପ ଦିନ, ଭାରୀ ବର୍ଷା ଘଟଣା, ମରୁଡ଼ିର ତୀବ୍ରତା ଏବଂ ସର୍ବାଧିକ ଦୀର୍ଘ ଶୁଷ୍କ ସମୟ ଭଳି ସୂଚକ ସାମିଲ ଅଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି), କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ (ସିଇଏ), ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫଏସଆଇ), ଆଇଆଇଟି ଦିଲ୍ଲୀ, ଆଇଆଇଟିଏମ ପୁଣେ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ସ୍ରୋତରୁ ତଥ୍ୟ ସଂଗ୍ରହ କରି କ୍ରାଭିସକୁ ବିଶ୍ୱସନୀୟ ଏବଂ ନିଷ୍ପତ୍ତି ଗ୍ରହଣ-ଉପଯୋଗୀ ଜଳବାୟୁ ଇଣ୍ଟେଲିଜେନ୍ସ ପ୍ରଦାନ ପାଇଁ ପ୍ରସ୍ତୁତ କରାଯାଇଛି। ଏକ ଗତିଶୀଳ ପ୍ଲାଟଫର୍ମ ଭାବେ କ୍ରାଭିସକୁ ଡିଜାଇନ୍ କରାଯାଇଥିବାରୁ ମୂଳ ତଥ୍ୟସମୂହ ଅଦ୍ୟତନ ହେବା ସହ ଏହା ମଧ୍ୟ ଅଦ୍ୟତନ ହେବ। ଫଳରେ ଅନିଶ୍ଚିତତା ବଢ଼ୁଥିବା ଭବିଷ୍ୟତରେ ଜଳବାୟୁ-ଭିତ୍ତିକ ଯୋଜନା ପ୍ରସ୍ତୁତି ପାଇଁ ଏହା ଏକ ନିରନ୍ତର ବିକଶିତ ସମ୍ପଦ ଭାବେ କାର୍ଯ୍ୟ କରିବ।
