‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍‌ସନ୍ ଏଗ୍ରୋ

0
Untitled

ଭୁବନେଶ୍ୱର, ସେପ୍ଟେମ୍ବର ୨୮, ୨୦୨୬: ଭାରତର ସର୍ବବୃହତ୍‌ ଘରୋଇ ଦୁଗ୍ଧ କମ୍ପାନୀ ହଟ୍‌ସନ୍ ଏଗ୍ରୋ ପ୍ରଡ଼କ୍ଟ ଲିମିଟେଡ୍‌ (HAPL), ଓଡ଼ିଶାର ଦୁଗ୍ଧଚାଷୀମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ‘ଗୋ-ଧନ’ ନାମକ ଏକ ପ୍ରମୁଖ ପଦକ୍ଷେପର ଶୁଭାରମ୍ଭ କରିଛି। ଏହା ମାଧ୍ୟମରେ ଦୁଗ୍ଧଚାଷୀମାନଙ୍କୁ ଆର୍ଥିକ ସହାୟତା, ସରକାରୀ ଯୋଜନା, ଆଧୁନିକ ଦୁଗ୍ଧଚାଷ ପଦ୍ଧତି ଏବଂ ପ୍ରଯୁକ୍ତିର ସୁବିଧା ଅଧିକ ସହଜରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖାଯାଇଛି।

ଭୁବନେଶ୍ୱରସ୍ଥିତ ଓୟୁଏଟି ଅଡିଟୋରିୟମ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ‘ଗୋ-ଧନ’ ପଦକ୍ଷେପର ଔପଚାରିକ ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଓଡ଼ିଶା ସରକାର, ବ୍ୟାଙ୍କିଂ ଏବଂ ଦୁଗ୍ଧ ଶିଳ୍ପ କ୍ଷେତ୍ରର ବହୁ ବିଶିଷ୍ଟ ପ୍ରତିନିଧି ଉପସ୍ଥିତ ଥିଲେ। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ସଚିବ ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଆପିକଲ’ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରାଂଶୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଚିଫ୍ ଜେନେରାଲ୍ ମ୍ୟାନେଜର ଶ୍ରୀ ରାକେଶ କୁମାର ଯାଦବ ଏବଂ ହଟ୍‌ସନ୍ ଏଗ୍ରୋ ପ୍ରଡ଼କ୍ଟ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀ ଆର୍. ଜି. ଚନ୍ଦ୍ରମୋଗନ୍ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ଦୁଗ୍ଧ ଉତ୍ପାଦ, ଆର୍ଥିକ ଏବଂ ସରକାରୀ କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନେ ଏକତ୍ରିତ ହୋଇ ଚାଷୀଙ୍କ ଜୀବିକାକୁ ସଶକ୍ତ କରିବା ସହ ଓଡ଼ିଶାର ଦୁଗ୍ଧ ଅର୍ଥନୀତିର ନିରନ୍ତର ବିକାଶ ପାଇଁ ସାମୂହିକ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

‘ଗୋ-ଧନ’ ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ୧୫ଟି ଜିଲ୍ଲାର ପ୍ରାୟ ୬,୦୦୦ ଦୁଗ୍ଧଚାଷୀ ଉପକୃତ ହେବେ। ଏହା ଦ୍ୱାରା ଚାଷୀମାନଙ୍କୁ ପ୍ରତିଷ୍ଠାନଗତ ଋଣ ଏବଂ ବିଭିନ୍ନ ସରକାରୀ ସହାୟତା ପାଇବାର ସୁଯୋଗ ମିଳିବ। ଉନ୍ନତମାନର ଗୋବଂଶ, ଉନ୍ନତ ଗୋଶାଳା ନିର୍ମାଣ, କୃଷି ଯାନ୍ତ୍ରିକୀକରଣ, ପୋଷଣ ଓ ଗୋପାଳନ ସ୍ୱାସ୍ଥ୍ୟ ପରିଚାଳନା ଭଳି କ୍ଷେତ୍ରରେ ନିବେଶ ପାଇଁ ଚାଷୀମାନେ ଅଧିକ ସୁବିଧା ପାଇପାରିବେ।

ଏହି ପଦକ୍ଷେପରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ଭଳି ସରକାରୀ ସବ୍‌ସିଡି ଯୋଜନାଗୁଡ଼ିକର ଲାଭକୁ ମଧ୍ୟ ସାମିଲ କରାଯିବ। ଏହା ମାଧ୍ୟମରେ ଅଂଶଗ୍ରହଣକାରୀ ଚାଷୀମାନେ ତୁଳନାତ୍ମକ ଭାବେ ସୁଲଭ ମୂଳଧନ ପାଇ ନିଜ ଦୁଗ୍ଧ ବ୍ୟବସାୟକୁ ସୁଦୃଢ଼ ଓ ବିସ୍ତାର କରିପାରିବେ। ଗ୍ରାମୀଣ ପରିବାରଗୁଡ଼ିକ ପାଇଁ ଦୁଗ୍ଧଚାଷ ଏକ ଗୁରୁତ୍ୱପୂର୍ଣ୍ଣ ଜୀବିକାର ମାଧ୍ୟମ ହୋଇଥିବାରୁ, ଅର୍ଥ ଯୋଗାଣ, ବୈଜ୍ଞାନିକ ପଦ୍ଧତିରେ ଚାଷ ଏବଂ ଉତ୍ପାଦନ ବୃଦ୍ଧି ଭଳି ମୁଖ୍ୟ ଆବଶ୍ୟକତାକୁ ପୂରଣ କରି ସ୍ଥାୟୀ ଦୁଗ୍ଧ ବିକାଶକୁ ଏହି ପଦକ୍ଷେପ ଗୁରୁତ୍ୱ ଦେବ।

ଏହି ଅବସରରେ ହଟସନ୍ ଏଗ୍ରୋ ପ୍ରଡକ୍ଟ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀ ଆର୍. ଜି. ଚନ୍ଦ୍ରମୋଗନ୍ କହିଥିଲେ, “ହଟସନ୍ ଏଗ୍ରୋ ପ୍ରଡକ୍ଟ ଲିମିଟେଡ୍ ଦୀର୍ଘ ଦଶନ୍ଧି ଧରି ଦକ୍ଷିଣ ଭାରତର ଦୁଗ୍ଧ ଓ ପଶୁପାଳନ କ୍ଷେତ୍ରର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି। ଦୁଗ୍ଧଚାଷୀଙ୍କ ସମୃଦ୍ଧି ହିଁ ଏକ ସୁଦୃଢ଼ ଓ ସ୍ଥାୟୀ ଦୁଗ୍ଧ ଶିଳ୍ପର ମୂଳଦୁଆ—ଏହି ବିଶ୍ୱାସ ଆମର ଯାତ୍ରାକୁ ସର୍ବଦା ଦିଗଦର୍ଶନ ଦେଇଆସିଛି।”

ସେ କହିଥିଲେ, “‘ଗୋ-ଧନ’ ପଦକ୍ଷେପ ମାଧ୍ୟମରେ ଆଗାମୀ ୩ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ୬,୦୦୦ରୁ ଅଧିକ ଦୁଗ୍ଧ ଫାର୍ମ ପ୍ରତିଷ୍ଠାରେ ସହଯୋଗ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏହି ପଦକ୍ଷେପ ଚାଷୀଙ୍କ ଆୟ ବୃଦ୍ଧି, ବୈଜ୍ଞାନିକ ପଦ୍ଧତିରେ ଦୁଗ୍ଧଚାଷକୁ ପ୍ରୋତ୍ସାହନ ଏବଂ ଓଡ଼ିଶାରେ ଏକ ସ୍ଥାୟୀ ଦୁଗ୍ଧ ଅର୍ଥନୀତି ଗଠନରେ ସହାୟକ ହେବ।”

“ଏହି ଯାତ୍ରାରେ ଆମର ସହଯୋଗୀ—ଓଡ଼ିଶାର ଦୁଗ୍ଧଚାଷୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ, ଓଡ଼ିଶା ସରକାର, ଆପିକଲ ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆଙ୍କ ପ୍ରତି ଆମେ ଗଭୀର କୃତଜ୍ଞ। ସେମାନଙ୍କ ସହଯୋଗ ଓ ସମନ୍ୱୟ ଏହି ପଦକ୍ଷେପକୁ ସମ୍ଭବ କରିଛି। ମିଳିତ ଭାବେ ଆମେ ଓଡ଼ିଶାକୁ ଏକ ସମୃଦ୍ଧ ଦୁଗ୍ଧ ଉତ୍ପାଦନକାରୀ ରାଜ୍ୟରେ ପରିଣତ କରିବା ସହ ଏହାର ଚାଷୀ ସମାଜ ପାଇଁ ଉନ୍ନତ ସୁଯୋଗ, ଅଧିକ ଆୟ ଓ ଦୀର୍ଘମିଆଦୀ ସମୃଦ୍ଧିର ଦ୍ୱାର ଖୋଲିବାକୁ ପ୍ରତିବଦ୍ଧ।”

ଶ୍ରୀ ଚନ୍ଦ୍ରମୋଗନ୍ ଆହୁରି ମଧ୍ୟ କହିଥିଲେ, “ହଟ୍‌ସନ୍ ଏଗ୍ରୋର ମୁଖ୍ୟ ଗୁରୁତ୍ୱ ସର୍ବଦା ଦୁଗ୍ଧଚାଷ ଉପରେ ରହିଆସିଛି, ଯାହା ଗୌଣ କୃଷିର ଏକ ପ୍ରମୁଖ ଅଂଶ। ଦୁଗ୍ଧଚାଷକୁ ସୁଦୃଢ଼ କରିବା ଦ୍ୱାରା ପ୍ରାଥମିକ କୃଷି କ୍ଷେତ୍ର ମଧ୍ୟ ଲାଭବାନ ହେବ, କାରଣ ଏହା ଚାଷୀଙ୍କୁ ଏକ ସ୍ଥିର ଓ ନିରନ୍ତର ଆୟର ମାଧ୍ୟମ ପ୍ରଦାନ କରିବ। ଏହି ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏକ ସୁଦୃଢ଼ ଦୁଗ୍ଧ ମୂଲ୍ୟଶୃଙ୍ଖଳ ଗଠନ କରିପାରିବା ଯାହା ରାଜ୍ୟର କୃଷି ସମ୍ଭାବନାକୁ ନୂଆ ଦିଗ ପ୍ରଦାନ କରିବ ଏବଂ ଚାଷୀ ସମାଜ ପାଇଁ ଦୀର୍ଘମିଆଦୀ ସମୃଦ୍ଧିର ସୁଯୋଗ ସୃଷ୍ଟି କରିବା ଆମର ଲକ୍ଷ୍ୟ।”

ସେ ଆହୁରି କହିଥିଲେ, “ଓଡ଼ିଶା ମଧ୍ୟରେ କ୍ଷୀର ଉତ୍ପାଦନ ଓ ସଂଗ୍ରହ ମାଧ୍ୟମରେ ସ୍ଥାନୀୟ ଚାଷୀଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବା ସହ ଓଡ଼ିଶାର ଗ୍ରାହକଙ୍କ ଚାହିଦା ପୂରଣ କରିବା ଆମର ଉଦ୍ଦେଶ୍ୟ। ଏଥିସହ ପଶ୍ଚିମବଙ୍ଗ, ଉତ୍ତର ଆନ୍ଧ୍ରପ୍ରଦେଶ ଓ ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟର ବଜାରକୁ ମଧ୍ୟ କ୍ଷୀର ଯୋଗାଣ ଓ ରପ୍ତାନିର ସୁଯୋଗ ସୃଷ୍ଟି କରିବାକୁ ଆମେ ଆଗ୍ରହୀ। ଏହି ପଦକ୍ଷେପ ଆଞ୍ଚଳିକ ଦୁଗ୍ଧ ଅର୍ଥନୀତିକୁ ସୁଦୃଢ଼ କରିବ ଏବଂ ଏହାସହ ଜଡ଼ିତ ସମସ୍ତଙ୍କ ପାଇଁ ସ୍ଥାୟୀ ଅଭିବୃଦ୍ଧିର ସୁଯୋଗ ସୃଷ୍ଟି କରିବ।”

Leave a Reply

Your email address will not be published. Required fields are marked *