ବେଦାନ୍ତ ଆଲୁମିନିୟମ୍ ଭାରତର ଦ୍ୱିତୀୟ ବୃହତ୍ତମ ଏସ୍ଇଜେଡ୍ ସାମଗ୍ରୀ ରପ୍ତାନିକାରୀ

ଝାରସୁଗୁଡ଼ା, ସେପ୍ଟେମ୍ବର ୨୧, ୨୦୨୬: ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ (ବିଏସ୍ଇ: ୫୪୪୭୮୦ | ଏନ୍ଏସ୍ଇ: ଭିଏଏମ୍ଏଲ୍) ଓଡ଼ିଶାର ଝାରସୁଗୁଡ଼ାସ୍ଥିତ ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳକୁ କେନ୍ଦ୍ର କରି ଭାରତର ଦ୍ୱିତୀୟ ବୃହତ୍ତମ ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳ ସାମଗ୍ରୀ ରପ୍ତାନିକାରୀ ଭାବେ ଉଭା ହୋଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ କମ୍ପାନି ୩.୫ ବିଲିୟନ୍ ଆମେରିକୀୟ ଡଲାରର ସାମଗ୍ରୀ ରପ୍ତାନି କରିଛି, ଯାହା ଭାରତର ମୋଟ ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳ ସାମଗ୍ରୀ ରପ୍ତାନିର ପ୍ରାୟ ୬ ପ୍ରତିଶତ।
ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। କାରଣ, ଭାରତର ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳ ରପ୍ତାନି କ୍ଷେତ୍ରରେ ସେବା କ୍ଷେତ୍ରର ପ୍ରାଧାନ୍ୟ ଜାରି ରହିଛି। ରପ୍ତାନିକାରୀ ୟୁନିଟ୍ ଓ ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳ ପାଇଁ ରପ୍ତାନି ପ୍ରୋତ୍ସାହନ ପରିଷଦର ସଦ୍ୟତମ ବାଣିଜ୍ୟ ତଥ୍ୟ ଅନୁଯାୟୀ, ଦେଶର ମୋଟ ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳ ରପ୍ତାନିର ୬୦ ପ୍ରତିଶତରୁ ଅଧିକ ଅଂଶ ସେବା କ୍ଷେତ୍ରର ଅଟେ। ବେଦାନ୍ତ ଆଲୁମିନିୟମ୍ର ଉତ୍ପାଦ ୟୁରୋପ, ଆମେରିକା, ଜାପାନ ଓ ଦକ୍ଷିଣ-ପୂର୍ବ ଏସିଆ ସମେତ ୬୦ରୁ ଅଧିକ ଦେଶର ଗ୍ରାହକଙ୍କ ନିକଟରେ ପହଞ୍ଚୁଛି। ଏହି ବଜାରଗୁଡ଼ିକରୁ ନିରନ୍ତର ଚାହିଦା, ବିଶେଷକରି ଯେଉଁଠାରେ କଠୋର ଗୁଣବତ୍ତା, ପରିବେଶ ଓ ଅନୁପାଳନ ମାନଦଣ୍ଡ ଲାଗୁ ରହିଛି, ତାହା କମ୍ପାନିର ଉତ୍ପାଦନ ଦକ୍ଷତା ଏବଂ ବିଶ୍ୱସ୍ତରୀୟ ଯାନବାହନ, ବିମାନ ଓ ଶିଳ୍ପ କ୍ଷେତ୍ରର ଗ୍ରାହକଙ୍କ ଆବଶ୍ୟକତା ଅନୁରୂପ ଉତ୍ପାଦ ଯୋଗାଇବାର କ୍ଷମତାକୁ ପ୍ରତିଫଳିତ କରୁଛି।
ଏହି ସଫଳତା ସମ୍ପର୍କରେ ବେଦାନ୍ତ ଆଲୁମିନିୟମ୍ର ମୁଖ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର କହିଛନ୍ତି, “ଏହି ସଫଳତା ଆମ ଆଲୁମିନିୟମ୍ର ନିରନ୍ତର ଗୁଣବତ୍ତା ଏବଂ ବିଶ୍ୱ ବଜାରର କଠୋର ମାନଦଣ୍ଡ ପୂରଣ କରିବାର କ୍ଷମତାର ପ୍ରମାଣ। ଭାରତର ବାଣିଜ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳଗୁଡ଼ିକ ଅଧିକ ଗୁରୁତ୍ୱ ବହନ କରୁଥିବା ବେଳେ, ଆମେ ଆମର କ୍ଷମତା ବଢ଼ାଇବା ସହିତ ଭାରତକୁ ବିଶ୍ୱସ୍ତରୀୟ ଉତ୍ପାଦନ ଓ ରପ୍ତାନି କେନ୍ଦ୍ରରେ ପରିଣତ କରିବାର ଜାତୀୟ ଲକ୍ଷ୍ୟରେ ଅବଦାନ ଜାରି ରଖିବୁ।”
ବେଦାନ୍ତ ଆଲୁମିନିୟମ୍ର ରପ୍ତାନି ତାଲିକାରେ ପ୍ରାଥମିକ ଏବଂ ମୂଲ୍ୟବର୍ଦ୍ଧିତ ଉତ୍ପାଦର ସମ୍ପୂର୍ଣ୍ଣ ପରିସର ରହିଛି। ଏଥିରେ ବିଲେଟ୍, ତାର ରଡ୍, ରୋଲ୍ଡ ଉତ୍ପାଦ, ପ୍ରାଥମିକ ଫାଉଣ୍ଡ୍ରି ମିଶ୍ରଧାତୁ, ଇଙ୍ଗଟ୍ ସହିତ କମ୍ କାର୍ବନ୍ ନିସ୍ସରଣ ବିଶିଷ୍ଟ ‘ରେଷ୍ଟୋରା’ ଆଲୁମିନିୟମ୍ ରହିଛି।
ଏହି ଉତ୍ପାଦଗୁଡ଼ିକ ଯାନବାହନ, ବିମାନ, ବିଦ୍ୟୁତ୍, ନିର୍ମାଣ ଓ ପ୍ୟାକେଜିଂ ଶିଳ୍ପ ସମେତ ଅକ୍ଷୟ ଶକ୍ତି, ବିଦ୍ୟୁତ୍ ଚାଳିତ ଯାନ, କୃତ୍ରିମ ବୁଦ୍ଧିମତ୍ତା ଭିତ୍ତିକ ଭିତ୍ତିଭୂମି ଓ ତଥ୍ୟ କେନ୍ଦ୍ର ଭଳି ଉଦୀୟମାନ କ୍ଷେତ୍ରରେ ବ୍ୟବହୃତ ହେଉଛି। ଭାରତର ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳଗୁଡ଼ିକ ୨୦୨୫ ଏପ୍ରିଲ୍ରୁ ଡିସେମ୍ବର ମଧ୍ୟରେ ପ୍ରାୟ ୧୩୪.୪ ବିଲିୟନ୍ ଆମେରିକୀୟ ଡଲାରର ସାମଗ୍ରୀ ଓ ସେବା ରପ୍ତାନି କରିଛନ୍ତି। ଏଥିରେ ସେବା ରପ୍ତାନିର ପରିମାଣ ପ୍ରାୟ ୮୪.୫ ବିଲିୟନ୍ ଡଲାର, ଅର୍ଥାତ୍ ମୋଟ ରପ୍ତାନିର ପ୍ରାୟ ୬୩ ପ୍ରତିଶତ। ସେହିପରି ସାମଗ୍ରୀ ରପ୍ତାନିର ପରିମାଣ ପ୍ରାୟ ୪୯.୯ ବିଲିୟନ୍ ଡଲାର, ଯାହା ମୋଟ ରପ୍ତାନିର ପ୍ରାୟ ୩୭ ପ୍ରତିଶତ। ଏହା ବିଶ୍ୱ ବାଣିଜ୍ୟରେ ସେବା ଓ ଉତ୍ପାଦନ କ୍ଷେତ୍ରର ପରସ୍ପର ପୂରକ ଭୂମିକାକୁ ସ୍ପଷ୍ଟ କରୁଛି। ଏହି ତଥ୍ୟ ଭାରତର ରପ୍ତାନି କ୍ଷେତ୍ରରେ ଚାଲିଥିବା ବ୍ୟାପକ ପରିବର୍ତ୍ତନର ସଙ୍କେତ ଦେଉଛି। ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳଗୁଡ଼ିକ ବିଶ୍ୱସ୍ତରରେ ପ୍ରତିଯୋଗିତାକ୍ଷମ ସେବା ଓ ଉତ୍ପାଦନ ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଉଭା ହେଉଛନ୍ତି। ଦେଶର ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳ ସାମଗ୍ରୀ ରପ୍ତାନିକାରୀଙ୍କ ଶୀର୍ଷ ସ୍ଥାନଗୁଡ଼ିକରେ ବେଦାନ୍ତ ଆଲୁମିନିୟମ୍ର ନିରନ୍ତର ଉପସ୍ଥିତି ଏହି ପରିବର୍ତ୍ତନରେ ଭାରତୀୟ ଧାତୁ ଓ ଉତ୍ପାଦନ ଶିଳ୍ପର ବଢ଼ୁଥିବା ଭୂମିକାକୁ ଦର୍ଶାଉଛି।
