ଯୁବପିଢ଼ିଙ୍କ ଚିନ୍ତାଧାରାର ପରିବର୍ତ୍ତନ ହିଁ ଓଡ଼ିଶା ବିକାଶର ଚାବିକାଠି

ଭୁବନେଶ୍ୱର, ଅଗଷ୍ଟ ୩୧, ୨୦୨୬: ଓଡ଼ିଶାରେ କୃଷିକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବା ସହ କୃଷିଭିତ୍ତିକ ଶିଳ୍ପର ବିକାଶ, ସୁଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ଓ ପ୍ରାକୃତିକ ସମ୍ପଦର ସଦୁପଯୋଗ ଓଡ଼ିଶାର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯୁବପିଢ଼ିଙ୍କୁ କେବଳ ଚାକିରି ପ୍ରାର୍ଥୀ ନୁହେଁ, ବରଂ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ଆବଶ୍ୟକ ବୋଲି ନଚିକେତା ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଶନିବାର ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ‘ଓଡ଼ିଶାର ବିକାଶ ପାଇଁ ୧୦ସୂତ୍ରୀ ପ୍ରସ୍ତାବ’ ଶୀର୍ଷକ କାର୍ଯ୍ୟକ୍ରମରେ, ସୁପରିଚିତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ତଥା ସ୍ତମ୍ଭକାର ପୂର୍ଣ୍ଣେନ୍ଦୁ କର ମନ୍ତବ୍ୟ ରଖିଛନ୍ତି।
ଶ୍ରୀ କର କହିଥିଲେ ଯେ, ଓଡ଼ିଶା ପାଖରେ ପ୍ରଚୁର ପ୍ରାକୃତିକ ସମ୍ପଦ ଓ ମୌଳିକ ଭିତ୍ତିଭୂମି ରହିଛି। ତେବେ ଏହି ସମ୍ଭାବନାକୁ ଆର୍ଥିକ ସମୃଦ୍ଧିରେ ପରିଣତ କରିବା ପାଇଁ ଦୃଢ଼ ସଂକଳ୍ପ ଏବଂ ସୁସ୍ପଷ୍ଟ ଓ କେନ୍ଦ୍ରୀଭୂତ ଯୋଜନାର ଆବଶ୍ୟକତା ରହିଛି।
ତାଙ୍କର ସର୍ବ ପ୍ରଥମ ତଥା ମୁଖ୍ୟ ପ୍ରସ୍ତାବ ଥିଲା, କୃଷିକୁ କେବଳ ଏକ ବୃତ୍ତି ଭାବେ ନଦେଖି ଏହାକୁ ଏକ ଉପଯୁକ୍ତ ବ୍ୟବସାୟର ମାଧ୍ୟମରେ ପରିଣତ କରିବା। ନିବେଶ, ମୂଲ୍ୟ ସଂଯୋଗ, ଆଧୁନିକ କୃଷି ପଦ୍ଧତି ଏବଂ ଉନ୍ନତ ବଜାର ସୁଯୋଗ ମାଧ୍ୟମରେ କୃଷିକୁ ଆର୍ଥିକ ଭାବେ ସୁଦୃଢ଼ କରାଯିବା ଉଚିତ। ଏହାଦ୍ୱାରା ଚାଷୀମାନେ ଉତ୍ତମ ଓ ସ୍ଥାୟୀ ରୋଜଗାର କରିପାରିବେ ବୋଲି ସେ କହିଥିଲେ।
ରାଜ୍ୟରେ କୃଷିଭିତ୍ତିକ ଶିଳ୍ପର ଦ୍ରୁତ ବିକାଶ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ ମଧ୍ୟରେ କୃଷିଜାତ ଉତ୍ପାଦର ଉଚିତ ପ୍ରକ୍ରିୟାକରଣ ଓ ମୂଲ୍ୟ ସଂଯୋଗୀକରଣ ହେଲେ ଏହା ଉଭୟ ଚାଷୀ ଏବଂ ରାଜ୍ୟର ବ୍ୟାପକ ଅର୍ଥନୀତିକୁ ଲାଭାନ୍ୱିତ କରିବ ବୋଲି ସେ ମତ ଦେଇଥିଲେ।
ସ୍ଥାନୀୟ ଭାବେ ଉପଲବ୍ଧ କଞ୍ଚାମାଲ ଏବଂ ବର୍ତ୍ତମାନର ଭିତ୍ତିଭୂମିକୁ ଆଧାର କରି ଆବଶ୍ୟକତାଭିତ୍ତିକ ଶିଳ୍ପ ସ୍ଥାପନ କରାଯିବା ଉଚିତ। ଓଡ଼ିଶା ପାଖରେ ବିପୁଳ ସମ୍ପଦ ରହିଥିଲେ ମଧ୍ୟ ତାହାର ପୂର୍ଣ୍ଣ ସଦୁପଯୋଗ ପାଇଁ ଆବଶ୍ୟକ ଦୃଢ଼ ଇଚ୍ଛାଶକ୍ତି ଏବଂ ସମନ୍ୱିତ ପ୍ରୟାସର ଅଭାବ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।
ଓଡ଼ିଶାର ଦୀର୍ଘ ସମୁଦ୍ର ଉପକୂଳକୁ ଅଧିକ ଉପଯୁକ୍ତ ଓ ଆର୍ଥିକ ବ୍ୟବହାର ଉପଯୋଗୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କୃଷି ଓ ବନ୍ଦରଭିତ୍ତିକ ଶିଳ୍ପ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ରପ୍ତାନି ସହିତ ଅନ୍ୟାନ୍ୟ ରପ୍ତାନିମୁଖୀ ଶିଳ୍ପର ବିକାଶ ମାଧ୍ୟମରେ ଉପକୂଳବର୍ତ୍ତୀ ଅଞ୍ଚଳର କ୍ଷମତା ଓ ସମ୍ଭାବନାର ସର୍ବାଧିକ ଉପଯୋଗ ହୋଇପାରିବ ବୋଲି ସେ ମତ ରଖିଥିଲେ।
ଓଡ଼ିଶାର ସ୍ୱତନ୍ତ୍ର ଜିଆଇ-ଟ୍ୟାଗ୍ପ୍ରାପ୍ତ ଉତ୍ପାଦଗୁଡ଼ିକର ପେସାଦାର ମାର୍କେଟିଂ ଓ ବ୍ରାଣ୍ଡିଂ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ଫଳପ୍ରଦ ପ୍ରଚାର ଓ ବିପଣନ ମାଧ୍ୟମରେ ଏହି ଉତ୍ପାଦଗୁଡ଼ିକ ପାଇଁ ଦେଶ ଓ ବିଦେଶରେ ଅଧିକ ବ୍ୟାପକ ବଜାର ସୃଷ୍ଟି ହୋଇପାରିବ ବୋଲି ସେ କହିଥିଲେ।
ବୃହତ୍ ନିବେଶକୁ ଆକୃଷ୍ଟ କରିବା ପାଇଁ ଏକ ଅନୁକୂଳ ଶିଳ୍ପ ପରିବେଶ ସୃଷ୍ଟି କରିବା ତାଙ୍କର ଆଉ ଏକ ପ୍ରମୁଖ ପ୍ରସ୍ତାବ ଥିଲା। ଶିଳ୍ପ ସ୍ଥାପନ ଓ ସମ୍ପ୍ରସାରଣ ପାଇଁ ରାଜ୍ୟକୁ ଉପଯୁକ୍ତ ପରିବେଶ ଏବଂ ଆବଶ୍ୟକ ସୁବିଧା ଯୋଗାଇବାକୁ ହେବ ବୋଲି ସେ କହିଥିଲେ।
ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ପ୍ରଯୁକ୍ତିଭିତ୍ତିକ ଶିଳ୍ପର ସମ୍ପ୍ରସାରଣ ଏବଂ ଓଡ଼ିଶାର ଉତ୍ପାଦ, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନ ସମ୍ଭାବନା ଓ ନିବେଶ ସୁଯୋଗର ସୁସଂଗଠିତ ବିଶ୍ୱସ୍ତରୀୟ ପ୍ରଚାର ଉପରେ ମଧ୍ୟ ଶ୍ରୀ କର ଗୁରୁତ୍ୱାରୋପ କରିଥିଲେ।
ତାଙ୍କର ଦଶମ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଥିଲା ଓଡ଼ିଶାର ଯୁବପିଢ଼ିଙ୍କ ମାନସିକତାର ପରିବର୍ତ୍ତନ ଆଣିବା। କେବଳ ସରକାରୀ କିମ୍ବା ବେସରକାରୀ ଚାକିରି ପ୍ରତି ଆକର୍ଷିତ ନହୋଇ ଯୁବପିଢ଼ିଙ୍କୁ ବ୍ୟବସାୟ ଓ ଉଦ୍ୟୋଗୀତା ଆଡ଼କୁ ଆଗେଇ ଆସିବା ପାଇଁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ। ଉଦ୍ୟୋଗୀତାକୁ ବ୍ୟାବହାରିକ, ସମ୍ମାନଜନକ ଏବଂ ସମର୍ଥନଯୋଗ୍ୟ କରିବା ପାଇଁ ରାଜ୍ୟକୁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାକୁ ହେବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟଅତିଥି ତଥା ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟର ବିକାଶରେ ଶିକ୍ଷାର କେନ୍ଦ୍ରୀୟ ଭୂମିକା ଉପରେ ଆଲୋକପାତ କରିଥିଲେ। କୃଷି, ଶିଳ୍ପ, ପର୍ଯ୍ୟଟନ, ପ୍ରଯୁକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରର ଉନ୍ନତି, ସାମଗ୍ରୀକ ଭାବେ ଗୁଣାତ୍ମକ ଶିକ୍ଷା ଉପରେ ହିଁ ନିର୍ଭରଶୀଳ ବୋଲି ସେ କହିଥିଲେ। ଏହା ସହ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ଜାତୀୟକରଣ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।
ସମ୍ମାନିତ ଅତିଥି ତଥା ଓଡ଼ିଆ ଦୈନିକ ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ତଥା ପ୍ରକାଶକ ବିରୂପାକ୍ଷ ତ୍ରିପାଠୀ ଶିକ୍ଷା, ସରକାରୀ ସ୍ୱାସ୍ଥ୍ୟସେବା, ନିଯୁକ୍ତି ସୃଷ୍ଟି, ପ୍ରାକୃତିକ ସମ୍ପଦର ସଦୁପଯୋଗ, କୃଷି ଓ ଜଳସେଚନ, ବନ୍ୟା ପରିଚାଳନା ଏବଂ ସମବାୟ କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଥିଲେ। ଯୁବପିଢ଼ି କେବଳ ଚାକିରିଆ ନୁହେଁ, ବରଂ ନିଯୁକ୍ତିଦାତା ହେବା ପାଇଁ ଆଗ୍ରହୀ ହୁଅନ୍ତୁ ବୋଲି ଉଦ୍ବୋଧନ ମଧ୍ୟ ଦେଇଥିଲେ। ସାଂସ୍କୃତିକ ବିକାଶ ପ୍ରତି ଅଧିକ ଧ୍ୟାନ ଦେବା ସହ ପ୍ରତ୍ୟେକ କ୍ଷେତ୍ରରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ମଧ୍ୟ ସେ ଯୁବସମାଜକୁ ଆହ୍ୱାନ କରିଥିଲେ।
ସମ୍ମାନିତ ଅତିଥି ତଥା ‘ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍’, ର ସମ୍ପାଦକ ଶିବ ମହାନ୍ତି, ଉଦ୍ୟୋଗୀତା ପ୍ରତି ଅନୁକୂଳ ମାନସିକତା, ଅଧିକ ନିବେଶ, ସୁଦୃଢ଼ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବଂ କୃଷିଭିତ୍ତିକ ଶିଳ୍ପର ବିକାଶ ଉପରେ ମତ ରଖିଥିଲେ।ବିକାଶ ଓ ପରିବେଶ ସୁରକ୍ଷା ସମାନ୍ତରାଳ ଭାବେ ଆଗେଇବା ଆବଶ୍ୟକ ବୋଲି ସେ କହିବା ସହ ଶିଳ୍ପ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ କେବଳ ଭୁବନେଶ୍ୱର ଓ କିଛି ଉପକୂଳବର୍ତ୍ତୀ ସହର ମଧ୍ୟରେ ସୀମିତ ନରଖି ରାଜ୍ୟବ୍ୟାପୀ ବିକେନ୍ଦ୍ରୀକରଣ କରିବାକୁ ମତ ଦେଇଥିଲେ।
ବିଶିଷ୍ଟ ସାହିତ୍ୟିକ ତଥା ନଚିକେତା ଫାଉଣ୍ଡେସନ୍ ଟ୍ରଷ୍ଟର ପରିଚାଳନା ସଦସ୍ୟ ଗୌରହରି ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶା ନିଜର ଅତୀତକୁ ନେଇ ସବୁବେଳେ ଚିନ୍ତିତ ରହିବା କିମ୍ବା ଅନୁନ୍ନତି ପାଇଁ ଅନ୍ୟମାନଙ୍କୁ ଦୋଷ ଦେଇ ଚାଲିବା ଉଚିତ ନୁହେଁ। ବରଂ ଅତୀତରୁ ଶିକ୍ଷା ଗ୍ରହଣ କରି ଏକ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନକୁ ବାସ୍ତବତାର ରୂପ ଦେବା ପାଇଁ ଚେଷ୍ଟା କରିବା ଦରକାର। ବିଶେଷ ଭାବେ ଓଡ଼ିଶାର ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସେ କହିଥିଲେ।
ରାଜକିଶୋର ଦାଶ, ସଭାରେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ, ଟ୍ରଷ୍ଟି ପ୍ରିୟବ୍ରତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ। କାର୍ଯ୍ୟକ୍ରମରେ ଲେଖକ, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀଙ୍କ ସମେତ ନଚିକେତା ଫାଉଣ୍ଡେସନ୍ ଟ୍ରଷ୍ଟର ଟ୍ରଷ୍ଟି ସଂଯୁକ୍ତା ନାୟକ ଓ ଡା. ଗୌତମୀ ଦାସ ନାୟକଙ୍କ ସହିତ ଶଶିମିରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
