ସେପ୍ଟେମ୍ବର ୧୨ରେ ଟିପିସିଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ

0
Untitled

ଭୁବନେଶ୍ୱର, ୦୯ ସେପ୍ଟେମ୍ବର, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଅନାଧିକୃତ ବିଦ୍ୟୁତ୍ ବ୍ୟବହାର ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଏହାର ସେବାଯୋଗାଣ ଅଞ୍ଚଳ ଅଧୀନରେ ଆସନ୍ତା ୧୨ ସେପ୍ଟେମ୍ବର, ୨୦୨୬ରେ ତୃତୀୟ ଜାତୀୟ ଲୋକ ଅଦାଲତ ତଥା ସମାଧାନ ଶିବିରର ଆୟୋଜନ କରାଯାଉଛି । ଏହି ପଦକ୍ଷେପ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ଅଧୀନରେ ପରିଚାଳିତ ହେଉଛି, ଯାହା ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ବିଚାରାଧୀନ ଥିବା ଏନଫୋର୍ସମେଣ୍ଟ ସମ୍ବନ୍ଧୀୟ ମାମଲାଗୁଡ଼ିକର ଫଇସଲା ପାଇଁ ଏକ ସୁଲଭ, ସ୍ୱଚ୍ଛ ତଥା ସମୟାନୁବନ୍ଧିତ ମଞ୍ଚ ପ୍ରଦାନ କରିବ । ଏହି ଲୋକ ଅଦାଲତ ଟିପିସିଓଡିଏଲ୍ ଅଧୀନରେ ଥିବା ସମସ୍ତ ଡିଭିଜନ୍‌, ସବ୍‌-ଡିଭିଜନ୍ ଏବଂ ସେକ୍ସନ୍ କାର୍ଯ୍ୟାଳୟଗୁଡ଼ିକରେ ପୂର୍ବାହ୍ନ ୧୦:୦୦ ଘଟିକାରୁ ଅପରାହ୍ନ ୫:୦୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଉପଭୋକ୍ତାମାନେ ଉପଯୁକ୍ତ ଏନଫୋର୍ସମେଣ୍ଟ ମାମଲାର ସମାଧାନ ତଥା ନିଜର ବିଦ୍ୟୁତ୍ ସଂଯୋଗକୁ ନିୟମିତ କରିବା ପାଇଁ ଏହି ଶିବିରଗୁଡ଼ିକରୁ ତତ୍କାଳ ସହାୟତା ପାଇପାରିବେ ।


ବିଚାରାଧୀନ ଏନଫୋର୍ସମେଣ୍ଟ ମାମଲା ଥିବା ଉପଭୋକ୍ତାମାନେ ଏହି ସିଙ୍ଗଲ୍‌-ୱିଣ୍ଡୋ ସମାଧାନ ବ୍ୟବସ୍ଥା ମାଧ୍ୟମରେ ଆପୋସ ବୁଝାମଣା ଦ୍ୱାରା ବିବାଦର ସମାଧାନ କରିବା ସହ ଭବିଷ୍ୟତର ଆଇନଗତ କିମ୍ବା ଆର୍ôଥକ ଜଟିଳତାରୁ ମୁକ୍ତ ରହିବାକୁ ଟିପିସିଓଡିଏଲ୍ ପକ୍ଷରୁ ଅନୁରୋଧ କରାଯାଇଛି । ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇବା ପାଇଁ ପ୍ରତ୍ୟେକ ନିର୍ଦ୍ଧାରିତ କାର୍ଯ୍ୟାଳୟରେ ଏନଫୋର୍ସମେଣ୍ଟ ଅଧିକାରୀ, ଆଇନ ବିଶେଷଜ୍ଞ ଏବଂ ତାଲିମପ୍ରାପ୍ତ ସହାୟକ କର୍ମଚାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି । ଏହି ଟିମ୍ ଉପଭୋକ୍ତାମାନଙ୍କୁ ଆବଶ୍ୟକୀୟ କାଗଜପତ୍ର, ଯୋଗ୍ୟତା ମାନଦଣ୍ଡ ଏବଂ ସମାଧାନର ସମସ୍ତ ପ୍ରକ୍ରିୟାରେ ସହଯୋଗ କରିବେ ।


ଏଥିପାଇଁ ଜିଲ୍ଲାସ୍ତରୀୟ ବ୍ୟବସ୍ଥା ତଥା ବିସ୍ତୃତ ସମାଧାନ ନିର୍ଦ୍ଦେଶାବଳୀ ଟିପିସିଓଡିଏଲ୍‌ର ସମସ୍ତ କାର୍ଯ୍ୟାଳୟରେ ଉପଲବ୍ଧ କରାଯାଇଛି । ଉପଭୋକ୍ତାମାନେ ସହାୟତା ପାଇଁ ନିଜର ନିକଟତମ ଗ୍ରାହକ ସେବା କେନ୍ଦ୍ର (ସିସିସି) ସହିତ ମଧ୍ୟ ଯୋଗାଯୋଗ କରିପାରିବେ । ଆଇନଗତ ପ୍ରାଧିକରଣମାନଙ୍କ ସମନ୍ୱୟରେ ଆୟୋଜିତ ଏହି ତୃତୀୟ ଜାତୀୟ ଲୋକ ଅଦାଲତ ଦୀର୍ଘ ଦିନରୁ ବିଚାରାଧୀନ ଥିବା ଏନଫୋର୍ସମେଣ୍ଟ ବିବାଦକୁ ହ୍ରାସ କରିବ, ଉପଭୋକ୍ତା ଅଭିଯୋଗ ନିବାରଣ ବ୍ୟବସ୍ଥାକୁ ସୁଦୃଢ଼ କରିବ ଏବଂ ସମଗ୍ର ସେଣ୍ଟ୍ରାଲ ଓଡ଼ିଶାରେ ଏକ ସ୍ୱଚ୍ଛ ତଥା ଉପଭୋକ୍ତା-କେନ୍ଦ୍ରିକ ବିଦ୍ୟୁତ୍ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *