ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକନ୍ ଇଣ୍ଡିଆ ୨୦୨୬କୁ ଉଦ୍‌ଘାଟନ କରିଛନ୍ତି

0
Untitled

ଭୁବନେଶ୍ୱର, ୧୯ ସେପ୍େଟମ୍ବର ୨୦୨୬: ନୂଆଦିଲ୍ଲୀରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତକୁ ବିଶ୍ୱର ଏକ ପ୍ରମୁଖ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ଅବସରରେ ସେ ଦୋହରାଇଛନ୍ତି ।

‘ସେମିକନ୍ ୨.୦’ ଏବେ ଏହାର ପରବର୍ତୀ ପର୍ଯ୍ୟାୟକୁ ଅଗ୍ରସର ହେଉଥିବା ବେଳେ ଛଅଟି ରଣନୈତିକ ସ୍ତମ୍ଭ ଯାଥା ଚିପ୍ ଡିଜାଇନ୍‌, ଯନ୍ତ୍ରପାତି ଓ ସାମଗ୍ରୀ, ଅଧିକ ସେମିକଣ୍ଡକ୍ଟର କାରଖାନା ପ୍ରତିଷ୍ଠା, ଏଟିଏମ୍‌ପି/ଓସାଟ୍ ଶିଳ୍ପକୁ ସୁଦୃଢ଼ କରିବା, ଗବେଷଣା ଓ ବିକାଶ ଏବଂ ପ୍ରତିଭା ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ୧,୨୭,୫୦୦ କୋଟି ଟଙ୍କାର ବର୍ଦ୍ଧିତ ବଜେଟ୍ ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମ ଭାରତର ଚିପ୍ ଉତ୍ପାଦନ ଅଭିଯାନରେ ଏକ ନୂଆ ଅଧ୍ୟାୟର ସୂଚନା ଦେଇଛି ।

ଉଦ୍‌ଘାଟନୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଭାରତର ସେମିକଣ୍ଡକ୍ଟର ଯାତ୍ରାକୁ ସେମିକଣ୍ଡକ୍ଟର ଶିଳ୍ପର ‘ଟେପ୍‌-ଆଉଟ୍‌’ ଧାରଣା ସହ ତୁଳନା କରିଥିଲେ । ଏହା ଶେଷ ପର୍ଯ୍ୟାୟ ନୁହେଁ, ବରଂ ପରବର୍ତୀ ପିଢ଼ିର ଆରମ୍ଭ ବୋଲି ସେ କହିଥିଲେ । ମୋଦୀ କହିଥିଲେ, “କୌଣସି ଦେଶ ରାତାରାତି ସେମିକଣ୍ଡକ୍ଟର ପରିବେଶ ଗଢ଼ିପାରେ ନାହିଁ । ଏଥିପାଇଁ ଦଶନ୍ଧି ଧରି କ୍ଷମତା ବିକାଶ କରିବାକୁ ପଡ଼େ । କିନ୍ତୁ ଶିଳ୍ପର ଅଗ୍ରଣୀ ସଂସ୍ଥାଗୁଡ଼ିକର ସହଭାଗିତା ଯୋଗୁଁ ଭାରତ ଏହି ସମୟସୀମାକୁ ଉଲ୍ଲେଖନୀୟ ଭାବେ କମାଇପାରିଛି ।”

ସେମିକନ୍ ଇଣ୍ଡିଆ ୨୦୨୬ ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ‘ସେମିକନ୍ ୨.୦’ ପରିବେଶ ଅଧୀନରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବା ପ୍ରାୟ ୧୧–୧୨ ବିଲିୟନ୍ ଆମେରିକୀୟ ଡଲାରର ନିବେଶ ପ୍ରତିଶ୍ରୁତି ମିଳିସାରିଛି । ଏହି ନିବେଶ ଦ୍ୱାରା ସେମିକଣ୍ଡକ୍ଟର ପରିବେଶରେ ବ୍ୟାପକ ଆର୍ôଥକ କାର୍ଯ୍ୟକଳାପ ସହ ପ୍ରାୟ ୧ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ଏହି ନିବେଶ ବାସ୍ତବ ରୂପ ନେବ । ଆବଶ୍ୟକ ବୋର୍ଡ ଓ ଅଂଶୀଦାର ଅନୁମୋଦନ ମିଳିବା ପରେ କମ୍ପାନିଗୁଡ଼ିକ ନିଜ ନିଜ ନିବେଶ ସମ୍ପର୍କରେ ଘୋଷଣା କରିବେ ।

ସେମିର ସଭାପତି ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଅଜିତ ମନୋଚା କହିଛନ୍ତି, “୨୦୩୦ ସୁଦ୍ଧା ୧ ଟ୍ରିଲିୟନ୍ ଡଲାରର ସେମିକଣ୍ଡକ୍ଟର ଲକ୍ଷ୍ୟ ଏବେ ୨ ଟ୍ରିଲିୟନ୍ ଡଲାରରୁ ଅଧିକ ସ୍ତରରେ ପହଂଚିବା ଦିଗରେ ଅଗ୍ରସର ହେଉଛି । ଭାରତର ବ୍ୟବହାର ପ୍ରତିବର୍ଷ ଦୁଇଗୁଣ ହେଉଥିବା ବେଳେ ବିଶ୍ୱ ବଜାର ୬୦ ପ୍ରତିଶତ ହାରରେ ବଢ଼ୁଛି । ସେମିକନ୍ ୨.୦ ଅଧୀନରେ ଦେଶୀୟ ଉତ୍ପାଦନ ବୃଦ୍ଧି ପାଇଲେ ଭାରତ ଦୀର୍ଘମିଆଦରେ ଉଲ୍ଲେଖନୀୟ ଆର୍ôଥକ ବିକାଶ ହାସଲ କରିପାରିବ ।”

ସେ ଆହୁରି କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତାର ଯୁଗରେ ନୂଆ ପ୍ରଯୁକ୍ତିର ବିକାଶ, ଯୋଗାଣ ଶୃଙ୍ଖଳାର ସ୍ଥିରତା ଏବଂ ପ୍ରତିଭାର ବିକାଶ ପାଇଁ ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାକୁ ଅଧିକ ଭୌଗୋଳିକ ଅଂଚଳକୁ ବିସ୍ତାର କରିବା ଆବଶ୍ୟକ । ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏକ ସ୍ୱୀକୃତିପ୍ରାପ୍ତ କେନ୍ଦ୍ର ଓ ଗୁରୁତ୍ୱପୂର୍ଣ୍ଣ ପରିବେଶ ଗଢ଼ିବା ଦିଗରେ ଭାରତର ରଣନୈତିକ ଧ୍ୟାନ ଏହାର ପୁରୁଣା ଶକ୍ତିକୁ ଆଧାର କରି ନୂଆ କ୍ଷମତା ବିକାଶ କରୁଛି । “୨୦୨୬ର ଶବ୍ଦ ହେଉଛି ଅପରିହାର୍ଯ୍ୟତା । ଭାରତର ଆଗାମୀ ପଥ ଏହି ଦିଗରେ,” ବୋଲି ସେ କହିଛନ୍ତି ।

ସେମି ଇଣ୍ଡିଆ ଏବଂ ଆଇଇଏସ୍‌ଏର ସଭାପତି ଅଶୋକ ଚାନ୍ଦକ କହିଛନ୍ତି, “ସେମିକନ୍ ଇଣ୍ଡିଆ ୨୦୨୬ର ସଫଳ ଦୁଇ ଦିନ ଭାରତର ସେମିକଣ୍ଡକ୍ଟର ଯାତ୍ରା ପ୍ରତି ବଢ଼ୁଥିବା ବିଶ୍ୱାସ, ପ୍ରତିବଦ୍ଧତା ଓ ଗତିକୁ ପ୍ରଦର୍ଶନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ଘାଟନ ଏହି ଯାତ୍ରାକୁ ଆହୁରି ଦୃଢ଼ ଜାତୀୟ ଓ ବିଶ୍ୱସ୍ତରୀୟ ମାନ୍ୟତା ଦେଇଛି । ୫୦ରୁ ଅଧିକ ବୁଝାମଣାପତ୍ର, ୭ ବିଲିୟନ୍ ଡଲାରରୁ ଅଧିକ ନିବେଶ ପ୍ରତିଶ୍ରୁତି, ବାଣିଜ୍ୟିକ ଉତ୍ପାଦ ଉନ୍ମୋଚନ, ବିଶ୍ୱସ୍ତରୀୟ କମ୍ପାନିର ଶୀର୍ଷ ଅଧିକାରୀଙ୍କ ଅଂଶଗ୍ରହଣ ଏବଂ ଶିଳ୍ପର ଦୃଢ଼ ସହଭାଗିତା ସହ ସେମିକନ୍ ଇଣ୍ଡିଆ ୨୦୨୬ ଏହି ପରିବେଶ କେତେ ବଡ଼ ଆକାର ନେଉଛି ତାହା ପ୍ରଦର୍ଶନ କରିଛି ।”

ସେ କହିଛନ୍ତି, “ଏହା କେବଳ ଆରମ୍ଭ । ଆହୁରି ଅନେକ ନିବେଶ, ସହଭାଗିତା ଓ ସୁଯୋଗ ଆଗାମୀ ଦିନରେ ଆସୁଛି । ଭାରତ ଏବେ ବିଶ୍ୱସନୀୟତା ଗଢ଼ିବାରୁ କ୍ଷମତା ଗଢ଼ିବା ଦିଗକୁ ଅଗ୍ରସର ହେଉଛି ଏବଂ ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରେ ଏକ ବିଶ୍ୱସନୀୟ ଓ ପ୍ରତିଯୋଗୀ ଭାଗୀଦାର ଭାବେ ନିଜକୁ ସ୍ଥାପିତ କରୁଛି ।”

ସେମିକନ୍ ଇଣ୍ଡିଆ ୨୦୨୬ର ପ୍ରଥମ ଦୁଇ ଦିନରେ ନୀତି ନିର୍ଦ୍ଧାରକ, ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନି, ଭାରତୀୟ ଶିଳ୍ପ, ଗବେଷକ, ଷ୍ଟାର୍ଟଅପ୍‌, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୨୮ ହଜାର ଲୋକ ସାମିଲ ହୋଇଛନ୍ତି । ଉତ୍ପାଦନ, ଯୋଗାଣ ଶୃଙ୍ଖଳା, ଗବେଷଣା ଓ ବିକାଶ, ଅନ୍ତର୍ଜାତୀୟ ସହଭାଗିତା, ଚିପ୍ ଡିଜାଇନ୍‌, ଉନ୍ନତ ପ୍ୟାକେଜିଂ, ସାମଗ୍ରୀ ଓ ପ୍ରତିଭା ବିକାଶ ଭଳି ବିଭିନ୍ନ ବିଷୟ ଉପରେ ଏଠାରେ ଆଲୋଚନା ହୋଇଛି । ଏହା ଭାରତ ଏକ ସମନ୍ୱିତ ଓ ବିଶ୍ୱସ୍ତରୀୟ ପ୍ରତିଯୋଗୀ ‘ସିଲିକନ୍ ଟୁ ସିଷ୍ଟମ୍ସ’ ପରିବେଶ ଗଢ଼ିବା ଦିଗରେ ଆଗକୁ ବଢ଼ୁଥିବାର ପ୍ରତିଫଳନ ।

କାର୍ଯ୍ୟକ୍ରମର ପ୍ରଥମ ଦୁଇ ଦିନରେ ଦେଖାଦେଇଥିବା ଉତ୍ସାହ ଓ ଗତିକୁ ଉଲ୍ଲେଖ କରି ଅଶୋକ ଚାନ୍ଦକ କହିଛନ୍ତି, “ଚଳିତ ବର୍ଷ ସେମିକନ୍ ଇଣ୍ଡିଆର ଉତ୍ସାହ ନିଜେ ଏହାର ପ୍ରମାଣ । ପ୍ରଦର୍ଶନୀ ପ୍ରାଙ୍ଗଣଠାରୁ ଆରମ୍ଭ କରି ହ୍ୟାକାଥନ୍‌, ଷ୍ଟାର୍ଟଅପ୍ ପାଭିଲିୟନ୍‌, ଦେଶଭିତିକ ଆଲୋଚନା ଏବଂ ସେମିକଣ୍ଡକ୍ଟର ସାମଗ୍ରୀ, ଉତ୍ପାଦନ, ପାୱାର ଇଲେକ୍ଟ୍ରୋନିକ୍ସ, ଉନ୍ନତ ପ୍ୟାକେଜିଂ, ପରିବହନ, ଡିଜାଇନ୍ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତୀୟ ଓ ବିଶ୍ୱସ୍ତରୀୟ ସହଯୋଗୀଙ୍କ ସହ ହୋଇଥିବା ରଣନୈତିକ ସହଯୋଗ ସବୁକିଛି ସ୍ପଷ୍ଟ କରୁଛି ଯେ ଏହା କେବଳ ଏକ ମୁହୂର୍ତ ନୁହେଁ, ବରଂ ଏକ ଆନ୍ଦୋଳନ । ଭାରତର ସେମିକଣ୍ଡକ୍ଟର ଯାତ୍ରା ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।”

ସେମିକନ୍ ଇଣ୍ଡିଆ ୨୦୨୬ର ପ୍ରଥମ ଓ ଦ୍ୱିତୀୟ ଦିନରେ ଆୟୋଜିତ ବୁଝାମଣାପତ୍ର ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ରହି ଅନେକ ବୁଝାମଣାପତ୍ର ଓ ଉତ୍ପାଦ ଉନ୍ମୋଚନର ସାକ୍ଷୀ ହୋଇଥିଲେ । ଏହା ଭାରତର ସେମିକଣ୍ଡକ୍ଟର ପରିବେଶକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଉଛି ।

Leave a Reply

Your email address will not be published. Required fields are marked *