ମୟୂରଭଞ୍ଜରେ ପ୍ରବଳ ବର୍ଷା, ୨୬ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର

ବାରିପଦା, ୧୭/୦୮(ପ୍ରବାହ ନ୍ୟୁଜ)**:- ମୟୂରଭଞ୍ଜ ଜିଲ୍ଲାରେ ଅଗଷ୍ଟ ୧୩ ତାରିଖରୁ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି। ଜିଲ୍ଲାର ୨୨ଟି ବ୍ଲକ, ୫୪ଟି ପଞ୍ଚାୟତ, ୧୨୬ଟି ଗାଁ ଏବଂ ଗୋଟିଏ ପୌରାଞ୍ଚଳର ୮ଟି ୱାର୍ଡ ପ୍ରଭାବିତ ହୋଇଛି। ପ୍ରାୟ ୨୭,୯୮୧ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୬,୭୪୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଜିଲ୍ଲାରେ ମୋଟ ୨୩୮୪.୭ ମିମି ବର୍ଷା ହୋଇଛି। କରଞ୍ଜିଆରେ ସର୍ବାଧିକ ୧୬୪ ମିମି, କୁସୁମୀରେ ୧୪୪ ମିମି, କପ୍ତିପଦାରେ ୧୩୮ ମିମି, ବଡ଼ସାହି ଓ ଯଶିପୁରରେ ୧୩୫ ମିମି ବର୍ଷା ରେକର୍ଡ ହୋଇଛି।
ବନ୍ୟା ଓ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ୧୨ଟି ମେଡିକାଲ ଟିମ୍, ୩ଟି ପଶୁ ଚିକିତ୍ସା ଟିମ୍, ୨ଟି ଓଡ୍ରାଫ୍ ଟିମ୍, ଗୋଟିଏ ଏନ୍ଡିଆରଏଫ୍ ଟିମ୍, ୧୩ଟି ଅଗ୍ନିଶମ ଟିମ୍ ଏବଂ ୨୬ଟି ପୁଲିସ ଓ ସ୍ଥାନୀୟ ଟିମ୍ ନିୟୋଜିତ ଅଛନ୍ତି।ନଦୀ ସ୍ଥିତି ମଧ୍ୟ ଚିନ୍ତାଜନକ ରହିଛି। ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ତେବେ ବୁଢ଼ାବଳଙ୍ଗ ନଦୀ ବାରିପଦା-ଅସ୍ତିଆ ଓ ରାଜଘାଟ ଠାରେ ଏବଂ ସୁବର୍ଣ୍ଣରେଖା ରାଜଘାଟ ଠାରେ ସତର୍କ ସଙ୍କେତ ତଳେ ରହିଛି।ଜିଲ୍ଲାରେ ୩୯ଟି ମାଗଣା ରୋଷେଇ କେନ୍ଦ୍ର ଓ ରିଲିଫ୍ ସେଣ୍ଟର ଚାଲୁ ରହିଛି। ଏଠାରେ ୨୬,୭୪୧ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ଏଥିସହ ଚୁଡ଼ା ୩୯.୭୪ କ୍ୱିଣ୍ଟାଲ ଓ ଗୁଡ଼ ୬.୪୧ କ୍ୱିଣ୍ଟାଲ ବଣ୍ଟନ କରାଯାଇଛି। ରାସଗୋବିନ୍ଦପୁର ବ୍ଲକର ଗୋଟିଏ ଗାଁ ଏବେ ବି ଜଳବନ୍ଦୀ ରହିଛି। ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛି।
