ରଥଯାତ୍ରା ୨୦୨୬ରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ପାଇଁ ଟିପିସିଓଡିଏଲ ‘ରଥସେବା ସମ୍ମାନ’ରେ ସମ୍ମାନିତ

ସେପ୍େଟମ୍ବର ୧୧, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୬ ସମୟରେ ନିରବଚ୍ଛିନ୍ନ, ଭରସାଯୋଗ୍ୟ ଏବଂ ନିରାପଦ ବିଦ୍ୟୁତ୍ ସରବରାହ ସୁନିଶ୍ଚିତ କରି ପ୍ରତିଷ୍ଠିତ ‘ରଥସେବା ସମ୍ମାନ’ରେ ସମ୍ମାନିତ ହୋଇଛି । ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ପୁରୀ ଟାଉନ୍ ହଲ୍ରେ ଆୟୋଜିତ ୬ଷ୍ଠ ରଥସେବା ସମ୍ମାନ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ନଅ ଦିନ ବ୍ୟାପୀ ଏହି ପର୍ବକୁ ଶୃଙ୍ଖଳିତ, ସୁରୁଖୁରୁ ଏବଂ ସଫଳତାର ସହ ସମ୍ପାଦନ କରିବାରେ ଟିପିସିଓଡିଏଲର ଯୋଗଦାନ ପାଇଁ କମ୍ପାନୀକୁ ଏହି ସମ୍ମାନ ମିଳିଛି । ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ରଥସେବା ସମ୍ମାନ ପ୍ରଦାନ କରିଥିଲେ । ସମଗ୍ର ପୁରୀ ଡିଭିଜନ ଟିମ୍ ତରଫରୁ ଟିପିସିଓଡିଏଲର ଅଧୀକ୍ଷଣ ଯନ୍ତ୍ରୀ (ଏସ୍ଇ) ଶ୍ରୀ ସ୍ମୃତିରଞ୍ଜନ ସ୍ୱାଇଁ ଏହି ସମ୍ମାନ ଗ୍ରହଣ କରିଥିଲେ ।
ରଥଯାତ୍ରା ୨୦୨୬ରେ ବିଦ୍ୟୁତ୍ ଯୋଗାଣର ଏହି ସଫଳ ପରିଚାଳନା ପଛରେ ଟିପିସିଓଡିଏଲ୍ର ୬ ମାସରୁ ଅଧିକ ସମୟର ସୁଚିନ୍ତିତ ଯୋଜନା, ଭିତ୍ତିଭୂମିର ଆଗୁଆ ପ୍ରସ୍ତୁତି, ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ ଏବଂ ଅଧିକାରୀ, ଯନ୍ତ୍ରୀ ତଥା ଫିଲ୍ଡ କର୍ମଚାରୀଙ୍କ ୨୪ ଘଣ୍ଟିଆ ସେବା ରହିଥିଲା । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଓଡ଼ିଶାର ଏହି ବିରାଟ ତଥା ଐତିହାସିକ ଧାର୍ମିକ ପର୍ବରେ କମ୍ପାନୀର ଏହି ପ୍ରୟାସ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସହ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିପାରିଥିଲା ।
ଏହି ସମାରୋହରେ ପୁରୀ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ, ପୁରୀର ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ, ଆଇଜିପି (କେନ୍ଦ୍ରାଞ୍ଚଳ) ଶ୍ରୀ ସତ୍ୟଜିତ ନାୟକଙ୍କ ସମେତ ବିଶିଷ୍ଟ ସେବାୟତ, ଲୋକପ୍ରତିନିଧି ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।
ଏହି ରଥସେବା ସମ୍ମାନ ଟିପିସିଓଡିଏଲର ଉତ୍କୃଷ୍ଟ ସେବା, ପରିଚଳନାଗତ ପ୍ରସ୍ତୁତି ଏବଂ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରୁଛି; ଏହା ସହିତ ଭରସାଯୋଗ୍ୟ ତଥା ସୁଦୃଢ଼ ବିଦ୍ୟୁତ୍ ବିତରଣ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟକୁ ସମର୍ଥନ କରିବାର କମ୍ପାନୀର ନିରନ୍ତର ପ୍ରୟାସକୁ ଆହୁରି ମଜଭୁତ କରୁଛି ।
