ନୀଳାଚଳ ଇସ୍ପାତ ନିଗମରେ ଜରୁରୀକାଳୀନ ସୁରକ୍ଷା ମକ୍‌ଡ୍ରିଲ୍ ଅନୁଷ୍ଠିତ

0
Untitled

କଳିଙ୍ଗନଗର, ସେପ୍ଟେମ୍ବର ୨୨,୨୦୨୬ : ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ତଥା ଶିଳ୍ପ ସୁରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୀଳାଚଳ ଇସ୍ପାତ ନିଗମ (ଏନ୍‌ଆଇଏନ୍‌ଏଲ୍‌) ପକ୍ଷରୁ କଳିଙ୍ଗନଗରସ୍ଥିତ କାରଖାନା ପରିସରରେ ମଙ୍ଗଳବାର ଏକ ପୂର୍ଣ୍ଣାଙ୍ଗ ଅନ୍-ସାଇଟ୍ ଜରୁରୀକାଳୀନ ମକ୍‌ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।

ଏହି ମକ୍‌ଡ୍ରିଲ୍ ସମୟରେ ଅକ୍ସିଜେନ୍ ପ୍ଲାଣ୍ଟ, ୟୁଟିଲିଟିଜ୍ ଏବଂ ପାୱାର ସିଷ୍ଟମରେ ଥିବା ଲିକ୍ୱିଡ୍ ଅକ୍ସିଜେନ୍ ଟ୍ୟାଙ୍କର ମୁଖ୍ୟ ହେଡରରୁ ଅମ୍ଳଜାନ ଗ୍ୟାସ ଲିକ୍ ହେବାର ଏକ କୃତ୍ରିମ ପରିସ୍ଥିତି ସୃଷ୍ଟି କରାଯାଇ ତତ୍ପରତା ଯାଞ୍ଚ କରାଯାଇଥିଲା।

ଯାଜପୁର ଜୋନ୍‌ର କାରଖାନା ଓ ବଏଲର ବିଭାଗ ଉପ-ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ସୁତାର, ସହକାରୀ ନିର୍ଦ୍ଦେଶକ ଦେବାଶିଷ ନାୟକ, କଳିଙ୍ଗନଗର ଥାନା ସବ୍-ଇନ୍ସପେକ୍ଟର ରମେଶ ଚନ୍ଦ୍ର ବେହେରା ଏବଂ ଦାନଗଦି ଅଗ୍ନିଶମ ଅଧିକାରୀ ଅଜିତ କୁମାର ରାଉତଙ୍କ ତତ୍ତ୍ୱାବଧାନ ସହିତ ଏନ୍‌ଆଇଏନ୍‌ଏଲ୍‌ର ସୁରକ୍ଷା ଟିମ୍‌ର ମିଳିତ ସହଯୋଗରେ ଏହି ମକ୍‌ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା।

ଯେକୌଣସି ବଡ଼ ଧରଣର ବିପଦପୂର୍ଣ୍ଣ ସ୍ଥିତିକୁ ସାମ୍ନା କରିବା ପାଇଁ କାରଖାନାର ସୁରକ୍ଷା ବ୍ୟବସ୍ଥା କେତେ ପ୍ରସ୍ତୁତ ଅଛି ତାହା ତଦାରଖ କରିବା ଏବଂ ଜରୁରୀକାଳୀନ ଟିମ୍‌ଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅଭ୍ୟାସ ଜରିଆରେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିବା ସମୟ, ସୁରକ୍ଷା ଉପକରଣ କାମ କରୁଛି କି ନାହିଁ ତାହାର ଯାଞ୍ଚ ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ପରଖାଯାଇଥିଲା ।  ଏହା କର୍ମଚାରୀଙ୍କ ସୁରକ୍ଷା,  ସମ୍ଭାବ୍ୟ ବିପଦର ପରିଚାଳନା ତଥା ନିର୍ଭୁଲ କାର୍ଯ୍ୟଶୈଳୀ ପ୍ରତି ଏନ୍‌ଆଇଏନ୍‌ଏଲ୍‌ର ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣିତ କରିଛି ।

ଏଭଳି ନିୟମିତ ସୁରକ୍ଷା ଅଭ୍ୟାସ ଜରିଆରେ ଏନ୍‌ଆଇଏନ୍‌ଏଲ୍ କାରଖାନାର ପ୍ରତ୍ୟେକ କ୍ଷେତ୍ରରେ ନିରାପତ୍ତା ସଚେତନତା ଓ ଜରୁରୀକାଳୀନ ପ୍ରସ୍ତୁତିକୁ ଆହୁରି ମଜଭୁତ କରୁଛି ।

Leave a Reply

Your email address will not be published. Required fields are marked *