ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ପ୍ରଚାର ପାଇଁ ଟିପିସିଓଡିଏଲ୍ ସୋଲାର ରଥ କୁ ଶୁଭାରମ୍ଭ କଲେ ଜଗତସିଂହପୁର ଜିଲ୍ଲାପାଳ

0
Untitled

ଜଗତସିଂହପୁର, ୨୦ ଅଗଷ୍ଟ, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା’ ଅଧୀନରେ ରୁଫଟପ୍ ସୋଲାର ସମ୍ପର୍କରେ ସଚେତନତା ବୃଦ୍ଧି ତଥା ଏହାର ବ୍ୟବହାରକୁ ତ୍ୱରାନ୍ୱିତ କରିବା ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ‘ସୋଲାର ରଥ’ର ଶୁଭାରମ୍ଭ କରାଯାଇଛି ।

ଟିପିସିଓଡିଏଲ୍‌ର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଜେ. ସୋନାଲ୍ (ଆଇଏଏସ୍‌) ଏହି ସୋଲାର ରଥକୁ ଉଦ୍‌ଘାଟନ କରିଥିଲେ । ଏହି ସୋଲାର ରଥ, ଚୟନ କରାଯାଇଥିବା ମଡେଲ ସୋଲାର ଗ୍ରାମଗୁଡ଼ିକ ସମେତ ସମଗ୍ର ଜିଲ୍ଲା ପରିକ୍ରମା କରି ଲୋକମାନଙ୍କୁ ରୁଫଟପ୍ ସୋଲାର, ସରକାରୀ ସବସିଡି, ଯୋଗ୍ୟତା ମାନଦଣ୍ଡ ଏବଂ ସ୍ଥାପନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇବ । ଏଥିସହିତ ସୋଲାର ସାଙ୍ଗ ଟିମ ଉପଭୋକ୍ତାମାନଙ୍କ ସହ ସିଧାସଳଖ ଆଲୋଚନା କରି ଘଟଣାସ୍ଥଳରେ ହିଁ ଆବଶ୍ୟକୀୟ ମାର୍ଗଦର୍ଶନ ପ୍ରଦାନ କରିବେ ।

ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲା ସ୍ତରୀୟ କମିଟି (ଡିଏଲ୍‌ସି) ପିଏମ୍ ସୂର୍ଯ୍ୟ ଘର ଯୋଜନା ଅଧୀନରେ ମଡେଲ ସୋଲାର ଗ୍ରାମ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ୧୦ଟି ଗ୍ରାମକୁ ଚୟନ କରିଥିଲେ । ଏହି ଗ୍ରାମଗୁଡ଼ିକ ୯୦ ଦିନ ମଧ୍ୟରେ ସର୍ବାଧିକ ସଂଖ୍ୟକ ରୁଫଟପ୍ ସୋଲାର ସ୍ଥାପନ କରିବା ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ବିଜୟୀ ହେଉଥିବା ଗ୍ରାମ ଅକ୍ଷୟ ଶକ୍ତି ବିକାଶ ଅନୁଦାନ ଭାବରେ ୧ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ôଥକ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବ ।

ଏହି ଅବସରରେ ଶ୍ରୀ ଜେ. ସୋନାଲ୍ (ଆଇଏଏସ୍‌) କହିଛନ୍ତି ଯେ, “ଏହି ସୋଲାର ରଥ ରୁଫଟପ୍ ସୋଲାର ସମ୍ପର୍କିତ ସଚେତନତାକୁ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଇବ ଏବଂ ଅଧିକରୁ ଅଧିକ ପରିବାରକୁ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା’ର ଲାଭ ଉଠାଇବାରେ ସକ୍ଷମ କରିବ । ଏହି ପଦକ୍ଷେପ ଜଗତସିଂହପୁରରେ ଅକ୍ଷୟ ଶକ୍ତିର ବ୍ୟବହାରକୁ ସୁଦୃଢ଼ କରିବା ସହ ନିରନ୍ତର ବିକାଶରେ ସହାୟକ ହେବ ।”

‘ମୋ ଛାତ, ମୋ ସଞ୍ଚୟ’, ଗ୍ରାମସଭା ସଚେତନତା କାର୍ଯ୍ୟକ୍ରମ ଏବଂ ସୋଲାର ରଥ ଅଭିଯାନ ଭଳି ପଦକ୍ଷେପ ମାଧ୍ୟମରେ ଟିପିସିଓଡିଏଲ୍ ନିଜର ସେବା ଯୋଗାଣ ଅଞ୍ଚଳରେ ଥିବା ପ୍ରତ୍ୟେକ ପରିବାର ନିକଟରେ ସ୍ୱଚ୍ଛ, ସୁଲଭ ତଥା ଦୀର୍ଘସ୍ଥାୟୀ ସୌର ଶକ୍ତି ସୁବିଧା ପହଞ୍ଚାଇବା କାର୍ଯ୍ୟ ଜାରି ରଖିଛି ।

Leave a Reply

Your email address will not be published. Required fields are marked *