ମୟୂରଭଞ୍ଜର ଯୁବ ପ୍ରତିଭାଙ୍କ କୃତିତ୍ୱ : ଏନ୍ପିସିଆଇଏଲ୍ ରେ ଯୁବ ବୈଜ୍ଞାନିକ ଭାବେ ଚର୍ଚ୍ଚିତଙ୍କ ଯୋଗଦାନ

ବାରିପଦା ,୨୨/୦୮(ପ୍ରବାହ ନ୍ୟୁଜ):- ଖଡ଼ଗପୁର ଆଇ.ଆଇ.ଟି.ରେ ଅଧ୍ୟୟନରତ ଥିବା ବାରିପଦାର ଯୁବ ପ୍ରତିଭା ଚର୍ଚ୍ଚିତ କବି ଶତପଥୀ ଏକ କଠିନ ସମ୍ମାନଜନକ ସର୍ବଭାରତୀୟ ପ୍ରତିଦ୍ବନ୍ଦିତାରେ ସାଫଲ୍ୟଲବ୍ଧ ହୋଇ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନସ୍ଥ “ନ୍ୟୁକ୍ଳିଅର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ” (ଏନ୍.ପି.ସି.ଆଇ.ଏଲ୍.) ରେ ଯୁବ ବୈଜ୍ଞାନିକ (ଗ୍ରୁପ୍-ଏ) ଭାବେ ଯୋଗଦାନ କରିଥିବା ସୂଚନା ମିଳିଛି। ଚର୍ଚ୍ଚିତ ହେଉଛନ୍ତି ବିଜେପିର ରାଜ୍ୟ ବରିଷ୍ଠ ପ୍ରବକ୍ତା ତଥା ସୁ ଲେଖକ କବିବିଷ୍ଣୁ ଶତପଥୀ ଏବଂ
ମାତା ଅଧ୍ୟାପିକା ଡକ୍ଟର ହିରଣ୍ମୟୀ ଶତପଥୀଙ୍କ ଜ୍ୟେଷ୍ଠ ପୁତ୍ର । ଚର୍ଚ୍ଚିତ ଏହି ଗୌରବ ହାସଲ କରିବାରେ ସମଗ୍ର ଦେଶର ମାତ୍ର ୪୮ ଜଣ ପ୍ରତିଭାଧର ଯୁବ ବୈଜ୍ଞାନିକଙ୍କ ମଧ୍ୟରୁ ଅନ୍ୟତମ ବୋଲି ଜଣାଯାଇଛି। ଶ୍ରୀ ଶତପଥୀ କେନ୍ଦ୍ରୀୟ ବିଦ୍ୟାଳୟରୁ କୃତିତ୍ୱର ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ବୁର୍ଲା “ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି” (VSSUT) ରୁ ବି.ଟେକ୍. (B.Tech. in Mechanical Engineering) କରି ‘ଗେଟ୍’ (GATE – Graduate Aptitude Test for Engineers) ରେ ସଫଳତା ହାସଲ କରି ଆଇ.ଆଇ.ଟି. (I.I.T.) ଖଡ଼ଗପୁରପୁରରେ ଏମ୍.ଟେକ୍. (M.Tech.) ଶ୍ରେଣୀରେ ଅଧ୍ୟୟନରତ ଥିଲେ। ଏଥିପୂର୍ବରୁ ସେ ବି.ଟେକ୍. (B.Tech.) ଶେଷ ବର୍ଷରେ ଥିବା ବେଳେ ହିଁ ସୁପ୍ରତିଷ୍ଠିତ କମ୍ପାନୀ ଡେ଼ଲୟେଟ୍ (Deloitte-US) ରେ ଭଲ ପଦରେ ଅଧିଷ୍ଠିତ ହୋଇ ଚାକିରି କରିବାର ସୁଯୋଗ ପାଇଥିଲେ। ବି.ଟେକ୍. (B.Tech.) ଶେଷ ପରେ ସେଥିରେ କିଛି କାଳ ଚାକିରି କରିଥିଲେ ହେଁ ବୃହତ୍ତର ଲକ୍ଷ୍ୟ ନେଇ ସେଥିରୁ (ପ୍ରଥମେ ହାଇଦ୍ରାବାଦ ଓ ପରେ କଲିକତାରେ ଅବସ୍ଥାପିତ ହେଇ) ଇସ୍ତଫା ଦେଇଥିଲେ।
ଚର୍ଚ୍ଚିତ ସମ୍ପ୍ରତି ଗୁଜୁରାଟର ସୁରତ ନିକଟରେ ଏନ୍.ପି.ସି.ଆଇ.ଏଲ୍.ର ଜଣେ “କାର୍ଯ୍ୟନିର୍ବାହୀ ଶିକ୍ଷା-ନବୀଶ” ଭାବେ କାର୍ଯ୍ୟାରମ୍ଭ କରିଛନ୍ତି ଏବଂ ସେଠାରେ ଏଗାର ମାସର ବୌଦ୍ଧିକ/ପ୍ରାଶାସନିକ ପ୍ରଶିକ୍ଷଣ ପରେ “ବୈଜ୍ଞାନିକ ଅଧିକାରୀ” ଭାବେ ଦାୟିତ୍ୱ ତୁଲାଇବେ ବୋଲି ଖବର ମିଳିଛି।
ଚର୍ଚ୍ଚିତଙ୍କ ଏହି ଉପଲବ୍ଧିରେ ଏ ଜିଲ୍ଲାର ଶିକ୍ଷାପ୍ରେମୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ଏବଂ ଏହା ଜିଲ୍ଲା ତଥା ରାଜ୍ୟର ବିଜ୍ଞାନ-ଆକାଂକ୍ଷୀ ତରୁଣଙ୍କ ପାଇଁ ଆଶା-ଉତ୍ସାହ-ସଂଚାରକାରୀ ହେବ ବୋଲି ମତ ପ୍ରକାଶ ପାଇଛି।
